• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିଠୁ ଆରମ୍ଭ ହେଉଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମୀର ଶ୍ରୀନଗରରେ ଶେଷ ହେବ ଏହି ଯାତ୍ରା । ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । କଂଗ୍ରେସ ନେତା ରାହୁଲ ଗାନ୍ଧି କଂଗ୍ରେସର ଏହି ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ କରିବେ ।

ସେପଟେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ନେଇ ତେଜିଛି ରାଜନୀତି । ବିଜେପି ଏନେଇ କଡ଼ା ସମାଲୋଚନା କରିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ‘ଯଦି ଭାରତକୁ ଯୋଡ଼ିବାକୁ ଚାହୁଁଛନ୍ତି, ତା’ହେଲେ ପାକିସ୍ତାନରୁ ଯାତ୍ରା ଆରମ୍ଭ କରନ୍ତୁ’ । ତାଙ୍କ କହିବାନୁଯାୟୀ, ଭାରତ ୧୯୪୭ ରୁ ହିଁ ଯୋଡ଼ି ହୋଇ ଅଛି । କଂଗ୍ରେସ ସମୟରେ ହିଁ ଭାରତ ପାକିସ୍ତାନ ଅଲଗା ହୋଇଥିଲା । ତେବେ କଂଗ୍ରେସର ଏହି ଯାତ୍ରାର କିଛି ଆବଶ୍ୟକତା ନାହିଁ । ଯଦି କଂଗ୍ରେସ ଦଳ ଭାରତକୁ ଯୋଡ଼ିବାକୁ ଚାହୁଁଛି, ତେବେ ପାକିସ୍ତାନ ଯାଆନ୍ତୁ ଓ ସେଠି ଯାତ୍ରା କରନ୍ତୁ ।

କଂଗ୍ରେସର ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ ତିରୁଅନନ୍ତପୁରମ, କୋଚି, ନୀଲାମ୍ବୁର, ମହୀଶୁର, ବେଲାରୀ, ରାୟଚୁର, ବିକାରାବାଦ, ନାନ୍ଦେଡ, ଜଲଗା, ଇନ୍ଦୋର, କୋଟା, ଦୌସା, ଅଲଓ୍ୱର, ବୁଲନ୍ଦଶହର, ଦିଲ୍ଲୀ, ଅମ୍ବାଲା, ପଠାନକୋଟ, ଜମ୍ମୁ ହୋଇ ଶ୍ରୀନଗରରେ ଶେଷ ହେବ । କନ୍ୟାକୁମାରୀରେ ଅପରାହ୍ନ ୫ଟାରେ ଏକ ସଭାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ଭାରତ ଯୋଡ଼ୋ ଯାତ୍ରା ବିଧିବଦ୍ଧ ଭାବେ ଆରମ୍ଭ କରାଯିବ । ଯାତ୍ରାରେ କଂଗ୍ରେସ ଦଳୀୟ ପତାକା ବଦଳରେ ତ୍ରିରଙ୍ଗା ନେଇ ଯାତ୍ରା କରିବ ।

ମୋଟ ୧୧୮ ନେତା ପଦଯାତ୍ରାରେ ସାମିଲ ହେବେ । ପ୍ରତିଦିନ ପ୍ରାୟ ୨୦ରୁ ୨୫ କିଲୋମିଟର ଚାଲିବେ କଂଗ୍ରେସ କର୍ମୀ । ୧୫୦ ଦିନର ଏହି ଯାତ୍ରାରେ ଦୀର୍ଘ ୩ ହଜାର ୫୭୦ କିଲୋମିଟର ରାସ୍ତା ଅତିକ୍ରମ କରିବେ କର୍ମୀ ଓ ନେତା । ଏହାସହ ଅନ୍ୟ ରାଜ୍ୟରେ ଛୋଟ ଛୋଟ ସ୍ତରର ଭାରତ ଯାତ୍ରାର ମଧ୍ୟ ଆୟୋଜନ କରାଯିବ । କଂଗ୍ରେସରେ ଏହି ଭାରତ ଯୋଡ଼ୋ ଯାତ୍ରା ପରିବର୍ତ୍ତନଶୀଳ ରାଜନୀତି ଉଦ୍ଦେଶ୍ୟରେ କରାଯାଉଛି ।

ଏହି ଅଭିଯାନ ମାଧ୍ୟମରେ ଦେଶର ସମସ୍ତ କଂଗ୍ରେସ କର୍ମୀ ଓ ସଦସ୍ୟଙ୍କୁ ଯୋଡ଼ିବା ଏହି ଅଭିଯାନର ମୂଳ ମନ୍ତ୍ର । ମୁଖ୍ୟତଃ ଏହି ଯାତ୍ରା ଜରିଆରେ କଂଗ୍ରେସର ଟାର୍ଗେଟ୍‌ରେ ରହିବ ବିଜେପି । ସମାଜରେ ସବୁ ଧର୍ମର ଲୋକ ଏହି ଯାତ୍ରାରେ ସାମିଲ ହେବା ପାଇଁ କଂଗ୍ରେସ ଆହ୍ୱାନ ଦେଇଛି ।