ଭୟଙ୍କର ହେଲାଣି ବନାଗ୍ନି, ନିଆଁ ଲିଭାଉଛି ବାୟୁସେନା ହେଲିକପ୍ଟର

ନିଆଁ ନୈନିତାଲକୁ ବ୍ୟାପିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେନାର ସହାୟତା ନିଆଯାଇଛି ।

Fire

ଉତ୍ତରାଖଣ୍ଡରେ ଭୟଙ୍କର ହେଲାଣି ଜଙ୍ଗଲ ନିଆଁ । ଏତେ ମାତ୍ରାରେ ନିଆଁ ଲାଗିଛି ଯେ ଏହାର ପ୍ରକୋପ ନୈନିତାଲ ହାଇକୋର୍ଟ କୋଲନୀ ପର୍ଯ୍ୟନ୍ତ ବ୍ୟାପିଲାଣି । ନିଆଁ ଲିଭାଇବା ପାଇଁ ହେଲିକପ୍ଟର ସହାୟତା ନିଆଯାଉଛି । କେମିତି ନିଆଁକୁ ଆୟତ୍ତ କରାଯାଇପାରିବ ସେନେଇ ବାଟ

ବାହାର କରିବାକୁ ଜଙ୍ଗଲ ବିଭାଗ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

ନିଆଁ ନୈନିତାଲକୁ ବ୍ୟାପିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେନାର ସହାୟତା ନିଆଯାଇଛି । ନିଆଁ ଓ ଧୂଆଁ ଯୋଗୁ ଉତ୍ତରାଖଣ୍ଡର ନୈନିତାଲରେ ଅସ୍ତବ୍ୟସ୍ତ ହୋଇଗଲାଣି ଜୀବନଯାତ୍ରା । ସେପଟେ ଲାରିଆକାଣ୍ଟା ଆଞ୍ଚଳରେ ବି ନିଆଁ ବ୍ୟାପୁଛି । ଜନବସତି ପାଖରେ ଜଙ୍ଗଲ ନିଆଁ ପହଞ୍ଚିଗଲାଣି । ସ୍ଥାନୀୟ ITI କୋଠା ଜଙ୍ଗଲ ନିଆଁରେ ଜଳି ଯାଇ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।

ସେପଟେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ରୁଦ୍ର ପ୍ରୟାଗ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଉତ୍ତରାଖଣ୍ଡରେ ଗତ ସପ୍ତାହେ ହେଲା ବ୍ୟାପିଛି ଜଙ୍ଗଲ ନିଆଁ । ଏହି ଜଙ୍ଗଲ ନିଆଁରେ ୩୩.୩୪ ହେକ୍ଟର ଜଙ୍ଗଲ ପୋଡ଼ି ଧ୍ୱଂସ ହୋଇଗଲାଣି । ତେବେ ଗତ ୨୪ ଘଣ୍ଟାରେ ନୂଆ ୩୧ଟି ପଏଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ନିଆଁ ଲିଭାଇବା ପାଇଁ ବାୟୁସେନାର MI-17 ହେଲିକପ୍ଟର ବ୍ୟବହାର କରାଯାଉଛି । ଭୀମତାଲ ହ୍ରଦରୁ ହେଲିକପ୍ଟର ଦ୍ୱାରା ପାଣି ନେଇ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଚାଲିଛି ।

ତେବେ କେବଳ ଉତ୍ତରାଖଣ୍ଡ ନୁହେଁ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଫଳରେ ୨୭ ଶହ ୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡକୁ ନିଆଁ ମାଡି ଚାଲିଛି । ଆଜି ପୁଣି ଶିମିଳିପାଳର
୩୫ଟି ପଏଣ୍ଟରେ ଲାଗିଛି ନିଆଁ । ଏଥିରେ ଦକ୍ଷିଣ ଶିମିଳିପାଳର ୨୨ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଉତ୍ତର ଶିମିଳିପାଳରେ ୧୩ଟି ପଏଣ୍ଟରେ ଲାଗିଛି ନିଆଁ । ଦିନ ବେଳେ ନିଆଁ ଲାଗିବା ପଏଣ୍ଟ ଅଧିକ ହେଉଥିବା ସୂଚନା ମିଳିଛି ।

ନିଆଁ ଲିଭେଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ୍‌ ସାମିଲ ଅଛନ୍ତି । ଶିମିଳିପାଳରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଏବଂ ବହୁ ମୂଲ୍ୟବାନ ଗଛ ସହ ଔଷଧୀୟ ଗଛ ଏବେ ବିପଦରେ । ଶିମିଳିପାଳ ଅଭୟାରଣ୍ୟରେ ୨୮୪ ଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ନିଆଁକୁ ରୋକି ପାରୁନି ବନବିଭାଗ । ନିଆଁ ଲିଭାଇବା ପାଇଁ ପାଖାପାଖି ୩୦୦ ସ୍କ୍ୱାର୍ଡ ଗଠନ କରାଯାଇଛି । ଏଥିରେ ସ୍ଥାୟୀ ଏବଂ ଅସ୍ଥାୟୀ ୧ ହଜାରରୁ ଅଧିକ କର୍ମଚାରୀ ସାମିଲ ହୋଇଛନ୍ତି । ତଥାପି ନିଆଁକୁ ଆୟତ୍ତ କରାଯାଇ ପାରୁନି ।