• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜମୁଇ : ପ୍ରେମ ପାଇଁ ବଳିଦାନ । ଜୀବନସାଥୀ ପାଇଁ ବଡ଼ ତ୍ୟାଗ । ବିହାରର ଜମୁଇରେ ନିଃସ୍ୱାର୍ଥପର ପ୍ରେମ ଓ ବଳିଦାନର ଏକ ନିଆରା କାହାଣୀ ଦେଖିବାକୁ ମିଳିଛି । ଏ କାହାଣୀଟି ସଞ୍ଜୟ ଲୀଲା ଭନସାଲୀଙ୍କ ଚଳଚ୍ଚିତ୍ର 'ହମ୍ ଦିଲ୍ ଦେ ଚୁକେ ସନମ୍' ପରି । ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ସମସ୍ତଙ୍କ ସାମ୍ନାରେ ତା’ ପ୍ରେମିକ ସହ ବିବାହ କରାଇଛନ୍ତି । ପ୍ରାୟ ସପ୍ତାହେ ପୂର୍ବରୁ ଏହି ଘଟଣା ଘଟିଛି । କିନ୍ତୁ ବିବାହର ଭିଡିଓ ଏବେ ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାର ମତ ରଖୁଛନ୍ତି ।

ସ୍ୱାମୀଙ୍କ ନାଁ ବିକାଶ କୁମାର ଯିଏ ଜମୁଇ ସୋନୋ ପୋଲିସ ଷ୍ଟେସନ ଅନ୍ତର୍ଗତ ବଲଥର ଗାଁର ବାସିନ୍ଦା । ଗାଁରେ ତାଙ୍କର ବାହାଘର ହୋଇଥିଲା । ବିକାଶ କୁମାର ବାଙ୍ଗାଲୋରରେ କାମ କରୁଥିଲେ । ତେଣୁ ବିବାହ ପରେ ସ୍ତ୍ରୀଙ୍କୁ କର୍ମସ୍ଥଳୀ ବାଙ୍ଗାଲୋର ନେଇ ଆସିଥିଲେ । ବିକାଶ କୁମାରଙ୍କ ଏହା ଥିଲା ଦ୍ୱିତୀୟ ବିବାହ । ତାଙ୍କର ପ୍ରଥମ ପତ୍ନୀଙ୍କର ମୃତ୍ୟୁ ପରେ ବିକାଶ ଦୁଇ ବର୍ଷ ପୂର୍ବେ ଶିବାନୀ ନାମକ ଜଣେ ଝିଅକୁ ବିବାହ କରିଥିଲେ । ହେଲେ ଦିନରେ ଘରେ କୌଣସି ଜିନିଷ ଖୋଜାଖୋଜି କରିବା ସମୟରେ ବିକାଶ ନିଜ ସ୍ତ୍ରୀ ଲଗେଜରେ ଏକ ପୁଅର ଫଟୋ ପାଇଥିଲେ । ମନରେ ସନ୍ଦେହ ଥିଲେ ସୁଦ୍ଧା ଫଟୋ ସମ୍ପର୍କରେ ଶିବାନୀଙ୍କୁ କିଛି ପଚାରି ନଥିଲେ । ବିକାଶକୁ ମିଳିଥିବା ଫଟୋଟି ଶିବାନୀଙ୍କ ପ୍ରେମିକ ସଚିନଙ୍କର ଥିଲା ।

ତେବେ ଏହି ରିଅଲ୍ ଲାଇଫ୍ ଚଳଚ୍ଚିତ୍ରର ହଠାତ୍ ଟ୍ୱିଷ୍ଟ ଆସିଗଲା । ପ୍ରେମିକା ସଚିନ୍ ଦିନେ ପ୍ରେମିକାକୁ ଭେଟିବାକୁ ବେଙ୍ଗାଲୁରୁ ପହଞ୍ଚି ଯାଇଥିଲେ । ପ୍ରେମିକା ଶିବାନୀକୁ ତା’ର ସ୍ୱାମୀ ବିକାଶ ବେଙ୍ଗାଲୁରୁ ନେଇ ଯାଇଥିବା ସଚିନ ଜାଣିବାକୁ ପାଇଥିଲା । ଆଉ ତା’ପରେ ମାମୁଙ୍କ ଫ୍ୟାକ୍ଟ୍ରିରେ କାମ କରିବା ବାହାନାରେ ବାଙ୍ଗାଲୋରରେ ପହଞ୍ଚି ପ୍ରେମିକା ଶିବାନୀଙ୍କୁ ଭେଟିବା ଆରମ୍ଭ କରିଥିଲା । ଏ ବିଷୟରେ ଜାଣିବା ପରେ ସ୍ୱାମୀ ପତ୍ନୀ ଶିବାନୀଙ୍କୁ ବହୁତ ବୁଝାଇଥିଲେ ଓ ଉଭୟଙ୍କ ମିଳାମିଶାକୁ ବିରୋଧ କରିଥିଲେ । କିନ୍ତୁ ପତ୍ନୀ ବିକାଶଙ୍କ କଥାକୁ ଅଣଦେଖା କରି ସଚିନଙ୍କୁ ଭେଟିବା ଜାରି ରଖିଥିଲେ ।

ଶେଷରେ ସ୍ତ୍ରୀର ଜିଦ୍‌ ଦେଖି ତାଙ୍କୁ ପ୍ରେମିକ ସଚିନଙ୍କ ସହ ବିବାହ କରାଇବା ପାଇଁ ମନସ୍ଥ କରିଥିଲେ ବିକାଶ । ପ୍ରେମିକକୁ ସ୍ୱାମୀ ରୂପରେ ପାଇବା କଥା ଶୁଣି ରାଜି ହୋଇଯାଇଥିଲେ ଶିବାନୀ । ଏହା ପରେ ବିକାଶ ସଚିନଙ୍କୁ ଡକାଇ ଶିବାନୀଙ୍କ ବିବାହ କରାଇଥିଲେ । ସେ ନିଜେ ବିବାହର ଭିଡିଓ ପ୍ରସ୍ତୁତ କରିଥିଲେ । ଏକ ବଡ ହୃଦୟ ଦେଖାଇ ବିକାଶ ତାଙ୍କ ସ୍ତ୍ରୀ ଏବଂ ପ୍ରେମିକକୁ ମିଳାଇ ଥିବାରୁ କିଛି ଲୋକ ପ୍ରଶଂସା କରୁଥିବା ବେଳେ କିଛି ଲୋକ ନିର୍ବୋଧ ବୋଲି କହୁଛନ୍ତି ।