ଭାରତରେ ଦୁଇଟି ପର୍ଯ୍ୟାୟରେ ଜନଗଣନା ଅନୁଷ୍ଠିତ ହେବା ନେଇ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରି ସାରିଛନ୍ତି । ଦେଶର ପରବର୍ତ୍ତୀ ଜନଗଣନା ୨୦୨୭ରେ କରାଯିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି । ଜନଗଣନା ଅଧିନିୟମ ୧୯୪୮ ଅନୁଯାୟୀ, ଜନଗଣନା ଓ ଜାତି ଜନଗଣନା ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରିଛି ଗୃହ ମନ୍ତ୍ରଣାଳୟ । ଭାରତରେ ପ୍ରତି ୧୦ ବର୍ଷରେ ଜନଗଣନା ହେଉଥିଲେ ସୁଦ୍ଧା କରୋନା ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ବିଜ୍ଞପ୍ତି ଅନୁସାରେ ଲଦାଖ ସମେତ ଚାରୋଟି ପାହାଡ଼ି ରାଜ୍ୟରେ ଅକ୍ଟୋବର ୧, ୨୦୨୬ ରେ ଜନଗଣନା କରାଯିବ। ଅନ୍ୟପଟେ ଦେଶର ବାକି ସ୍ଥାନରେ ମାର୍ଚ୍ଚ ୧, ୨୦୨୭ରୁ ଜନଗଣନା ଆରମ୍ଭ ହେବ । ଏହି ଜନଗଣନା ସମ୍ପୂର୍ଣ୍ଣ ଡିଜିଟାଲ୍ ହେବ ଏବଂ ଏଥିପାଇଁ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯିବ ।
Also Read
ଜନଗଣନା କ’ଣ ?
ଦେଶରେ ବାସ କରୁଥିବା ପ୍ରତିଟି ଲୋକଙ୍କୁ ନିର୍ଭୁଲ ଭାବରେ ଗଣନା କରି ସରକାରୀ ସ୍ତରରେ ତଥ୍ୟ ରେକର୍ଡ କରିବା ହେଲା ଜନଗଣନା । ଏହାଦ୍ୱାରା କେବଳ ଦେଶର ଲୋକସଂଖ୍ୟା ସମ୍ପର୍କରେ ଜାଣିହୁଏ ନାହିଁ ବରଂ ଏଥିରେ ଧର୍ମ, ଜାତି, ମାତୃଭାଷା, ସାକ୍ଷରତା, ଶିକ୍ଷାର ସ୍ତର, ଅର୍ଥନୀତି ବିଷୟରେ ମଧ୍ୟ ସୂଚନା ସଂଗ୍ରହ କରାଯାଏ। ସାମଗ୍ରିକ ଭାବରେ କହିବାକୁ ଗଲେ ଜନଗଣନା କେବଳ ଲୋକଙ୍କୁ ଗଣନା କରିବା ନୁହେଁ, ଏହା ଦେଶ ପାଇଁ ଆଇନା ସଦୃଶ କାମ କରେ । ଜନଗଣନା ଆଧାରରେ ସରକାର ଯୋଜନା ଏବଂ ନୀତି ପ୍ରସ୍ତୁତ କରନ୍ତି।
ଜନଗଣନାର ଆବଶ୍ୟକତା କ’ଣ ?
ଜନଗଣନା ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାର ଜନଗଣନା ଆଧାରରେ ରାଜ୍ୟ ଏବଂ ଜିଲ୍ଲାଗୁଡ଼ିକୁ ଜନସଂଖ୍ୟା ଆଧାରରେ ସବସିଡି ଓ ରାସନ ପରି ଅନୁଦାନ ପ୍ରଦାନ କରନ୍ତି । ମନ୍ତ୍ରଣାଳୟ ଗୁଡ଼ିକ ଶିକ୍ଷା, ଗ୍ରାମୀଣ ବିକାଶ, ସ୍କୁଲ, ପିଏଚସି ଏବଂ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଜନଗଣନା ଉପରେ ନିର୍ଭରଶୀଳ ଥାଆନ୍ତି । କହିବାକୁ ଗଲେ ଜନଗଣନା ସିଧାସଳଖ ନୀତି ଏବଂ ରାଜନୀତିକୁ ପ୍ରଭାବିତ କରେ। ଜନଗଣନାରୁ ପ୍ରାପ୍ତ ଜନସଂଖ୍ୟା ଅନୁସାରେ ଲୋକସଭା ଏବଂ ବିଧାନସଭା ଆସନ ନିର୍ଣ୍ଣୟ କରାଯାଏ। କୌଣସି ପ୍ରକାର ଯୋଜନା କାର୍ଯ୍ୟକାରୀ କରିବା ପାଇ ସରକାର ଜନଗଣନା ତଥ୍ୟ ବ୍ୟବହାର କରନ୍ତି ।
ଭାରତରେ ଶେଷ ଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା । ଫଳରେ ୨୦୨୫ରେ ମଧ୍ୟ ୨୦୧୧ ଜନଗଣନା ଆଧାରରେ ଚାଲିଛି ଆମ ଦେଶ । ୧୪ ବର୍ଷ ପୁୁରୁଣା ତଥ୍ୟକୁ ନେଇ ଦେଶ କାମ କରୁଛି । ସମସ୍ତ ନୀତି ଏବଂ ଯୋଜନା ୨୦୧୧ ତଥ୍ୟ ଆଧାରରେ ପ୍ରସ୍ତୁତ ହୋଇଛି । ୨୦୧୧ ଜନଗଣନା ଅନୁସାରେ ଭାରତର ଜନସଂଖ୍ୟା ୧୨୧ କୋଟି ଥିଲା। ୨୦୨୫ ସୁଦ୍ଧା ଭାରତର ଜନସଂଖ୍ୟାରେ ଏକ ବଡ଼ ବୃଦ୍ଧି ହେବ ବୋଲି ଆକଳନ କରାଯାଉଛି।
କିପରି ଆରମ୍ଭ ହୋଇଥିଲା ଜନଗଣନା ?
ବ୍ରିଟିଶ ଶାସନ କାଳରେ ପ୍ରଥମ ଥର ପାଇଁ ଭାରତରେ ଜନଗଣନା ଅନୁଷ୍ଠିତ ହୋଇଥିଲା । ୧୮୩୦ ମସିହାରେ ଢାକା ସହରର ଜନଗଣନା କରାଇଥିଲେ ହେନରୀ ୱାଲ୍ଟର । ଭାରତରେ ପ୍ରଥମ ଥର ପାଇଁ ସରକାରୀ ଜନଗଣନା ୧୮୭୨ ମସିହାରେ କରାଯାଇଥିଲା । ୧୦ ବର୍ଷ ପରେ ୧୮୮୧ ମସିହାରେ ସାରା ଦେଶରେ ସଂପୂର୍ଣ୍ଣ ରୂପରେ ଜନଗଣନା କରାଯାଇଥିଲା। ସେବେଠାରୁ ପ୍ରତି ୧୦ ବର୍ଷରେ ଦେଶରେ ଥରେ ଲେଖାଏଁ ଜନଗଣନା କରାଯାଉଛି। ୧୮୯୧ ଜନଗଣନାରେ ଜାଟ ଏବଂ ରାଜପୁତମାନଙ୍କୁ ଜାତି ଭାବରେ ରେକର୍ଡ କରାଯାଇଥିଲା। ୧୯୩୧ ଜନଗଣନା ସମୟରେ ଶେଷ ଥର ପାଇଁ ଜାତିକୁ ମଧ୍ୟ ଏକ ମାନଦଣ୍ଡ ଭାବରେ ବିବେଚନା କରାଯାଇଥିଲା। ସେହି ସମୟରେ ଦେଶରେ ୨୨୫ଟି ଭାଷା ନେଇ ତଥ୍ୟ ରେକର୍ଡ କରାଯାଇଥିଲା। ଏହା ସହିତ ଦେଶର ୪୧୪୭ଟି ଜାତି ବିଷୟରେ ସୂଚନା ମିଳିଥିଲା।ଇଂରେଜ ଅମଳରେ ୧୯୪୧ ମସିହାରେ ଶେଷ ଜନଗଣନା କରାଯାଇଥିଲା।
ସ୍ୱାଧୀନତା ପରଠାରୁ ମଧ୍ୟ ଭାରତରେ ଜନଗଣନା ଜାରି ରହିଛି। ୧୯୪୮ ମସିହାରେ ଜନଗଣନା ଆଇନ କାର୍ଯ୍ୟକାରୀ ହୋଇଥିଲା। ଏହି ଆଇନ ଅନୁସାରେ ଦେଶରେ ସମୟ ସମୟରେ ଜନଗଣନା କରିବା ବାଧ୍ୟତାମୂଳକ କରାଯାଇଥିଲା। ସ୍ୱାଧୀନ ଭାରତରେ ପ୍ରଥମ ଜନଗଣନା ୧୯୫୧ ମସିହାରେ ଅନୁଷ୍ଠିତ ହୋଇଥିଲା । ୧୯୫୧ ଜନଗଣନା ଅନୁଯାୟୀ, ସେତେବେଳେ ଦେଶର ଜନସଂଖ୍ୟା ୩୬.୧୦ କୋଟିରୁ ଅଧିକ ଥିବାବେଳେ ସାକ୍ଷରତା ହାର ଥିଲା ୧୬.୬୭% ।
୧୦ ବର୍ଷରେ ଥରେ ଜନଗଣନା
ପ୍ରତି ୧୦ ବର୍ଷରେ ଥରେ ଦେଶରେ ଜନଗଣନା କରାଯାଏ। ୧୯୯୧ ମସିହାରେ ଜମ୍ମୁ ଓ କାଶ୍ମୀରକୁ ଜନଗଣନାରୁ ବାଦ ଦିଆଯାଇଥିଲା। ଧାର୍ମିକ ସମ୍ପ୍ରଦାୟ ତଥ୍ୟ ଆଧାରରେ ରାଜ୍ୟର ତଥ୍ୟ ଆକଳନ କରାଯାଇଥିଲା। ଏହି ଜନଗଣନାରୁ ଜଣାପଡ଼ିଥିଲା , ଦେଶରେ ୪୯,୭୩୬ ଜଣ ଲୋକ ସଂସ୍କୃତ ଭାଷାଭାଷୀ ଥିଲେ । ୧୯୯୧ ମସିହାର ଜନଗଣନା ଅନୁଯାୟୀ, ଦେଶର ଜନସଂଖ୍ୟା ୮୩.୮୫ କୋଟିରୁ ଅଧିକ ଥିଲା।
୨୦୦୧ ମସିହାର ଜନଗଣନାରେ ଭାରତର ଜନସଂଖ୍ୟା ୧୦୦ କୋଟି ଅତିକ୍ରମ କରିଥିଲା। ପ୍ରଥମ ଥର ପାଇଁ ଦେଶରେ ବାୟୋମେଟ୍ରିକ୍ ସୂଚନା ସଂଗ୍ରହ କରାଯାଇଥିଲା। ପ୍ରଥମ ଥର ପାଇଁ ଭାରତ ଏବଂ ବାଂଲାଦେଶ ସୀମାରେ ଏକତ୍ର ଜନଗଣନା ହୋଇଥିଲା । ୨୦୧୧ ମସିହାରେ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡରମାନଙ୍କୁ ଜନସଂଖ୍ୟାର ଏକ ପୃଥକ ବର୍ଗ ଭାବରେ ଗଣନା କରାଯାଇଥିଲା । ୨୦୧୧ ମସିହାର ଜନଗଣନା ପାଇଁ ୨,୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସରକାର ।
କିପରି କରାଯାଏ ଜନଗଣନା ?
ଚଳିତ ଥର ୧୬ ବର୍ଷ ପରେ ୨୦୨୭ରେ ଜନଗଣନା ହେବାକୁ ଯାଉଛି । ଆମ ଦେଶରେ ଜନଗଣନା, ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନରଙ୍କ ଦ୍ୱାରା ତଦାରଖ କରାଯାଏ। ଜନଗଣନା ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ଗୃହ ତାଲିକାକରଣ କାର୍ଯ୍ୟ ଏବଂ ଦ୍ୱିତୀୟ ଜନସଂଖ୍ୟା ଗଣନା।
ଜନଗଣନାକୁ ସୁଚାରୁରୂପେ କରିବା ପାଇଁ ୩୦ ଲକ୍ଷ କର୍ମଚାରୀ ନିୟୋଜିତ ହେବେ। ଶିକ୍ଷକମାନଙ୍କୁ ଏହି ଗଣନା କାର୍ଯ୍ୟର ଦାୟିତ୍ୱ ଦିଆଯିବ । ଏହା ବ୍ୟତୀତ ଜିଲ୍ଲା ଏବଂ ଉପ-ଜିଲ୍ଲା ସ୍ତରରେ ଜନଗଣନାରେ ସାହାଯ୍ୟ କରିବା ପାଇଁ ୧.୨୦ ଲକ୍ଷ ପ୍ରଶିକ୍ଷକ ରହିବେ । ଏହି କର୍ମଚାରୀମାନଙ୍କୁ ଘର ଘର ଯାଇ ସୂଚନା ସଂଗ୍ରହ କରିବାକୁ ପଡିବ। ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପରିଚୟପତ୍ର ନେଇ ଏମାନେ ତଥ୍ୟ ସଂଗ୍ରହ କରିବେ । ଏହି କର୍ମଚାରୀମାନେ ଲୋକଙ୍କୁ ପ୍ରଶ୍ନ ପଚାରି ଉତ୍ତର ସହିତ ଫର୍ମ ପୂରଣ କରିବେ । ଏହି ପ୍ରକ୍ରିୟାରେ ସାରା ଭାରତର ତଥ୍ୟ ସଂଗ୍ରହ କରାଯାଏ।
ପର୍ଯ୍ୟାୟ ୧ : ଗୃହ ତାଲିକାକରଣ କାର୍ଯ୍ୟ
ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଜନସଂଖ୍ୟା ନୁହେଁ ଘରର ତାଲିକାକରଣ ଏବଂ ଘରର ସ୍ଥିତି ସମ୍ପର୍କୀତ ତଥ୍ୟ ସଂଗ୍ରହ କରାଯାଏ । ଜନଗଣନା କରୁଥିବା କର୍ମଚାରୀମାନେ ଘର ଘର ଯାଇ ଲୋକଙ୍କ ବାସସ୍ଥାନର ପ୍ରକାର, ପାଣିର ଉତ୍ସ, ଶୌଚାଳୟର ସୁବିଧା, ରୋଷେଇ ଇନ୍ଧନ, ବିଦ୍ୟୁତ୍, ଟିଭି ଏବଂ ଯାନବାହାନ ମାଲିକାନା ଭଳି ସମସ୍ତ ସମ୍ପତ୍ତି ନେଇ ତଥ୍ୟ ସଂଗ୍ରହ କରନ୍ତି । ଏହି ତଥ୍ୟ ଜାତୀୟ ଜନସଂଖ୍ୟା ରେଜିଷ୍ଟର ତିଆରି କରିବାରେ ସାହାଯ୍ୟ କରେ।
ପର୍ଯ୍ୟାୟ ୨ : ଜନସଂଖ୍ୟା ଗଣନା
ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ରହୁଥିବା ସମସ୍ତ ବ୍ୟକ୍ତିଙ୍କ ଗଣନା ହୁଏ । ଏହି ପର୍ଯ୍ୟାୟରେ ତଥ୍ୟ ସଂଗ୍ରହ ପାଇଁ କର୍ମଚାରୀଙ୍କ ହାତରେ ଥାଏ ଏକ ପ୍ରଶ୍ନ ସମ୍ମିଳିତ ଫର୍ମ । ଏଥିରେ ଅନେକ ପ୍ରକାର ପ୍ରଶ୍ନର ଉଲ୍ଲେଖ ଥାଏ । ଏଥିରେ ନାମ, ବୟସ, ଲିଙ୍ଗ, ବୈବାହିକ ସ୍ଥିତି, ଧର୍ମ ଏବଂ ମାତୃଭାଷା, ଶିକ୍ଷାଗତ ଯୋଗ୍ୟତା, ନିଯୁକ୍ତି ଏବଂ ବୃତ୍ତି, ଅକ୍ଷମତା ସ୍ଥିତି, ପ୍ରବାସ ଇତିହାସ ଏବଂ ଅନୁସୂଚିତ ଜାତି/ଜନଜାତି ସ୍ଥିତି ସହିତ ଜଡିତ ଅନେକ ପ୍ରଶ୍ନ ଥାଏ।
ଏହି ଦୁଇଟି ପର୍ଯ୍ୟାୟ ପରେ ତଥା ମାସ ମାସର କଠିନ ପରିଶ୍ରମର ପରେ ଦେଶର ଜନସଂଖ୍ୟା ଏବଂ ଅନ୍ୟାନ୍ୟ ଜିନିଷ ସହିତ ଜଡିତ ନୂତନ ସୂଚନା ଉପଲବ୍ଧ ହେବ । ଏଥର ଜନଗଣନା ଆଧାରରେ ଦେଶରେ ନୀତି ଏବଂ ଯୋଜନା ପ୍ରସ୍ତୁତ କରାଯିବ। ଏହା ସହିତ ଲୋକସଭା ଏବଂ ବିଧାନସଭା ଆସନର ସୀମା ନିର୍ଦ୍ଧାରଣ ଆରମ୍ଭ ହୋଇପାରେ। ଦେଶରେ ଅନେକ ଆସନ ବୃଦ୍ଧି ପାଇବାର ସମ୍ଭାବନା ଅଛି। ୨୦୨୭ ମସିହାରେ ଜନଗଣନା ପରେ ପରବର୍ତ୍ତୀ ୨୦୩୫ ମସିହାରେ ଅନୁଷ୍ଠିତ ହେବ।
୨୦୨୭ ଜନଗଣନାରେ ନୂଆ କ’ଣ ହେବ ?
୨୦୨୭ ଜନଗଣନା ଭାରତର ଇତିହାସରେ ପ୍ରଥମ ଡିଜିଟାଲ ଜନଗଣନା ହେବ । ଯେଉଁଥିରେ ସ୍ୱଗଣନା(ନିଜେ ଗଣନା କରିବା) ,ମୋବାଇଲ ଆପ ଓ ବାସ୍ତବ ସମୟକୁ ଉପଯୋଗ କରାଯାଇ ହେବ । ୧୯୩୧ ପରେ ପ୍ରଥମ ଥର ପାଇଁ ସମସ୍ତ ସମ୍ପ୍ରଦାୟର ଜାତି ତଥ୍ୟ ସଂଗ୍ରହ କରାଯିବ । ଏଥର ଜନଗଣନାରେ ସ୍ୱଗଣନାକୁ ଅନୁମତି ପ୍ରଦାନ ପାଇଁ ଯୋଜନା କରୁଛନ୍ତି ସରକାର । ଯେଉଁଥିରେ ପରିବାରଗୁଡ଼ିକ ଏକ ସରକାରୀ ପୋର୍ଟାଲରେ ଲଗ୍ ଇନ୍ କରିପାରିବେ କିମ୍ବା ନିଜର ବିବରଣୀ ପୂରଣ କରିବା ପାଇଁ ଏକ ଆପ୍ ବ୍ୟବହାର କରିପାରିବେ। ଡିଜିଟାଲ ଜନଗଣନା ଦ୍ୱାରା ତ୍ରୁଟି ହ୍ରାସ ପାଇବ, ପ୍ରକ୍ରିୟାକରଣକୁ ତ୍ୱରାନ୍ୱିତ କରିବ କରିବ ବୋଲି ଆଶା କରାଯାଉଛି ।