Advertisment

Indo-Pak War: ୧୯୪୭ ଆକ୍ରମଣରୁ ପହଲଗାମ ହମଲା…କାଶ୍ମୀର ଛାତିରେ କେତେଥର ହୋଇଛି ଯୁଦ୍ଧ, କେତେ ରକ୍ତରେ ଭିଜିଛି ଏ ମାଟି

ସବୁଜ ପଣତ ତଳେ କାନ୍ଦୁଛି କାଶ୍ମୀର । ତାର ଉଷୁମ ଲୁହରେ ତରଳି ଯାଉଛି ହିମ ପାହାଡ । କେତେ ଆଉ ବିଖଣ୍ଡିତ ହେବ ତାର ଶରୀର ? କେତେ ଲହୁଲୁହାଣ ହେବ ? ପାଖାପାଖି ୮୦ ଦଶକରୁ ପାକିସ୍ତାନ ନିଜର ମନ୍ଦ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଭାରତକୁ ରକ୍ତରେ ଭିଜାଇ ଆସୁଛି । ବିଶେଷକରି କାଶ୍ମୀରକୁ । ପାକିସ୍ତାନର ଏହି ହୀନ ଆଉ ଘୃଣ୍ୟ କାମ ପାଇଁ ସୀମାରେ ସବୁବେଳେ ବି ଶାନ୍ତି ନଷ୍ଟ ହେଉଛି । ଆଉ ଏହାର ପ୍ରଭାବ ବେଶି ପଡୁଛି କାଶ୍ମୀର ଉପରେ । ପାକିସ୍ତାନ ଏବେ ସବୁଠାରୁ ବଡ ଆଘାତ ଦେଇଛି ପହଲଗାମରେ । ସେହି ପହଲଗାମ କାଶ୍ମୀରରେ ରହିଛି ଯାହା ଉପରେ ଆରମ୍ଭରୁ ପାକିସ୍ତାନର ଲୋଲୁପ ଦୃଷ୍ଟି ରହି ଆସିଛି । ଆସନ୍ତୁ ଜାଣିବା ଏଇ କାଶ୍ମୀରର ଯନ୍ତ୍ରଣାର କାହାଣୀ ।

Kashmir

Kashmir

Advertisment

ଜମ୍ମୁ କାଶ୍ମୀରରେ ୭୮ ବର୍ଷ ପୂର୍ବେ ଏକ ଆଦିବାସୀ ସଂପ୍ରଦାୟ ପ୍ରଥମେ କାଶ୍ମୀର ଉପରେ ଆକ୍ରମଣ କରିଥିଲା । କାଶ୍ମୀର ମାଟିରେ ହୋଇଥିବା ଏହି ଯୁଦ୍ଧ ଖୁବ ଲମ୍ବା ଥିଲା । ପ୍ରାୟ ଏକ ବର୍ଷ ଦୁଇ ମାସ ୧୦ ଦିନ ପରେ ଶେଷ ହୋଇଥିଲା । ଏହି ଯୁଦ୍ଧ କାଶ୍ମୀରୀର ଭୌଗୋଳିକ ସ୍ଥିତିକୁ ବଦଳାଇ ଦେଇଥିଲା । କହିବାକୁ ଗଲେ, ଏହି ଆକ୍ରମଣ ପୃଥିବୀର ସ୍ୱର୍ଗକୁ ନର୍କରେ ପରିଣତ କରିବାର ମୂଳଦୁଆ ପକାଇଥିଲା । ଏହି ଆକ୍ରମଣ ପ୍ରଥମେ ମୁଜାହିଦ୍ଦିନଙ୍କୁ ସୃଷ୍ଟି କରିଥିଲା ଯେଉଁମାନେ କାଶ୍ମୀରରେ ଏକ କାହାଣୀ ଲେଖିଥିଲେ ।

Advertisment

କାଶ୍ମୀର: ଏକ ସୁନ୍ଦର ଉଦ୍ୟାନ

ପାଖାପାଖି ୭୦୦ ବର୍ଷ ପୂର୍ବେ ଶମସୁଦ୍ଦିନ ଶାହ ମୀର ଯେଉଁ ଉଦ୍ୟାନକୁ ନିଜ ହାତରେ ତିଆରି କରିଥିଲେ, ପାଣି ଛିଞ୍ଚି ଏ ଉଦ୍ୟାନକୁ ସବୁଜ ସୁନ୍ଦର କରିଥିଲେ । ଶମସୁଦ୍ଦିନ ଶାହ ମୀରଙ୍କ ପରେ ସମସ୍ତ ନବାବ ଏବଂ ରାଜାମାନେ ଏହି ଉଦ୍ୟାନର ଯତ୍ନ ନେଉଥିଲେ, ତାକୁ ସଜାଉଥିଲେ । ଦିନେ ଚିନାର ଫୁଲରେ ମହକି ଯାଉଥିବା ଏହି ଉଦ୍ୟାନକୁ ପରେ ପୃଥିବୀର ଭୂସ୍ୱର୍ଗର ଉପାଧି ମିଳିଥିଲା । ଇଏ ସେଇ ଉଦ୍ୟାନ ଯାହାର ନାଁ କାଶ୍ମୀର । ସେହି କାଶ୍ମୀରରେ ଆଜକୁ ଠିକ୍ ୭୦ ବର୍ଷ ପୂର୍ବେ, ଜଣେ ରାଜାଙ୍କ ମୂର୍ଖତା ଏବଂ ଜଣେ ଶାସକଙ୍କ ସ୍ୱେଚ୍ଛାଚାରିତା ଯୋଗୁ ଏହାର ବାୟୁମଣ୍ଡଳରେ ବାରୁଦର ବିଷ ଏମିତି ମିଶି ଯାଇଥଲା ଯେ, ଯାହାର ବାସ୍ନା ଏବେ ବି କାଶ୍ମୀରର ନାକ ରୁନ୍ଧିଦିଏ, ଅଣନିଃଶ୍ୱାସୀ କରିଦିଏ ।

ଜିନ୍ନାଙ୍କ ଜିଦ୍ ପାଇଁ ଲହୁଲୁହାଣ ହେଲା କାଶ୍ମୀର

ଆମର କାଶ୍ମୀର..ତୁମର କାଶ୍ମୀର..ଆମ ଧର୍ମ..ତୁମ ଧର୍ମ..ଆମ ଅଧିକାର..ତୁମ ଅଧିକାର..ଆମ ଲୋକ..ତୁମ ଲୋକ…ଏହିପରି କିଛି ଅମାନବିକ ଜିଦ୍ ପ୍ରଥମରୁ ଏକ ସବୁଜ, ସୁନ୍ଦର ଆଉ ସତେଜ କାଶ୍ମୀରକୁ ଦୁଇ ଫାଳ କରିଦେଲା । ଧର୍ମ ନାଁରେ ଲକ୍ଷ ଲକ୍ଷ ଲୋକଙ୍କ ହତ୍ୟା କରାଗଲା । ଏ ଭୂସର୍ଗକୁ ନର୍କ କରି ଦିଆଗଲା । କାଶ୍ମୀରର ରାଜା ଦିନେ ଆଶା ଓ ଭରସାର ସହ ‘ମୋର ଏ ରାଜ୍ୟକୁ ହିନ୍ଦୁ-ମୁସଲିମ ବିବାଦରୁ ଦୂରେଇ ରଖ’ ବୋଲି ଇଂରେଜମାନଙ୍କୁ କହିଥିଲେ । ହେଲେ ଭାରତର ସୀମାରେ ଇସଲାମ ନାଁରେ ଗଢିଥିବା ଦେଶ ପାକିସ୍ତାନର ଶାସକ ମହମ୍ମଦ ଅଲ୍ଲି ଜିନ୍ନା କାଶ୍ମୀରକୁ ସ୍ୱାଧିୀନ ରହିବାକୁ ଦେଇ ନ ଥିଲେ ।

Advertisment

ତାଙ୍କର ଯୁକ୍ତି ଥିଲା, ଯେମିତି ଗୁଜରାଟର ଜୁନାଗଡକୁ ହିନ୍ଦୁ ବହୁଳ ଆଧାରରେ ଭାରତରେ ମିଶାଇ ଦିଆଗଲା, ସେହିପରି କାଶ୍ମୀର ମୁସଲିମ ବହୁଳ ହୋଇଥିବାରୁ ତା ଉପରେ ପାକିସ୍ତାନର ହକ ରହିଛି । ତାଙ୍କର ଏହି ଜିଦ୍ ଯୋଗୁ ସେ ତତ୍କାଳୀନ ରାଜା ହରି ସିଂହଙ୍କ ଉପରେ ଚାପ ପକାଇବାକୁ ଲାଗିଲେ । ପରେ ପରେ କାଶ୍ମରକୁ ଯାଉଥିବା ସମସ୍ତ ଜରୁରୀ ଜିନିଷର ଯୋଗାଣ ବନ୍ଦ କରିଦେଲେ । ତା ପରେ କାଶ୍ମୀରକୁ ପାକିସ୍ତାନ କବ୍ଜାକୁ ନେବା ପାଇଁ ଶକ୍ତି ପ୍ରୟୋଗ କରିବାକୁ ବି ଲାଗିଲା ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ଉପରେ ଭାରତ ପକାଇଲା ବାଣିଜ୍ୟିକ ବୋମା

୧୯୪୭ ଅକ୍ଟୋବର ୨

ସ୍ୱାଧୀନତା ମିଳିବାର ପ୍ରାୟ ୯ ସପ୍ତାହ ପରେ ଜିନ୍ନାଙ୍କ ନିର୍ଦ୍ଦେଶରେ ହଜାର ହଜାର ଆଦିବାସୀ ସଂପ୍ରଦାୟ କାଶ୍ମୀର ଭିତରେ ପଶିଗଲେ । ସେମାନେ ଳୁଟପାଟ, ହତ୍ୟା, ବଳାତ୍କାର ପରି ଘଟଣା ଘଟାଇ ଚାଲିଲେ । ସେମାନଙ୍କ ହାତରେ ଥିଲା ବନ୍ଧୁକ, ମେସିନ ଗନ, ମୋର୍ଟାର । ସେମାନଙ୍କୁ ମୁଜାହିଦ୍ଦିନ ମାନ୍ୟତା ଦିଆଗଲା । ଏହି ଆତଙ୍କୀମାନେ ମୁଜାଫରବାଦ ଏବଂ ଡୋମେଲ ପରି ସହର ଉପରେ କବଜା କରିନେଲେ । ପରେ ପରେ ଶ୍ରୀନଗର ଉପଖଣ୍ଡ ଉରି ପର୍ଯ୍ୟନ୍ତ ପଶି ଆସିଥିଲେ ।

Advertisment

ସେତିକି ନୁହେଁ, ମୁସଲିମ ସୈନିକଙ୍କୁ ଉସକେଇ ସେତେବେଳେ ବିଦ୍ରୋହ କରିବାର ଚେଷ୍ଟା ବି କରାଯାଇଥିଲା । ଆଉ ଏହାକୁ ମୁସଲମାନମାନେ ସମର୍ଥନ ବି କରିଥିଲେ । ଯିଏ ଏହାର ବିରୋଧ କରୁଥିଲା ତାଙ୍କୁ ହତ୍ୟା କରାଯାଉଥିଲା । କାଶ୍ମୀର ଘାଟି ରକ୍ତରେ ଲାଲ ହୋଇ ଯାଇଥିଲା । ମହାରାଜା ହରି ସିଂଙ୍କ ପାଖରେ ତିନୋଟି ବିକଳ୍ପ ଥିଲା । ପ୍ରଥମତଃ ପାକିସ୍ତାନ ପାଖରେ କାଶ୍ମୀରକୁ ସମର୍ପି ଦେବା । ଦ୍ୱିତୀୟରେ ନିଜେ ଆତଙ୍କୀଙ୍କ ସହ ଲଢିବା । ହେଲେ ଏହା କୌଣସି ପ୍ରକାରେ ସମ୍ଭବ ନ ଥିଲା । ତୃତୀୟ ବିକଳ୍ପ ଥିଲା ଭାରତର ସାହାଯ୍ୟ ନେବା ।

କାଶ୍ମୀର ଭାରତରେ ମିଶିବା ନେଇ ଘୋଷଣା କଲେ ରାଜା ହରି ସିଂ

ସେ ସମୟରେ ଭାରତର ସମସ୍ୟା ଥିଲା ଯେ, କାଶ୍ମୀର ଭାରତର ଅଂଶ ନ ଥିଲା । ତେଣୁ ସାମରିକ କାର୍ଯ୍ୟାନୁଷ୍ଠାନ କରି ପାରୁନଥିଲା । ହେଲେ ମହାରାଜ ହରି ସିଂହ ତୁରନ୍ତ ନିଷ୍ପତ୍ତି ନେଇଥିଲେ ଯେ, କାଶ୍ମୀରକୁ ଭାରତ ସହ ମିଶାଇଦେବେ । ଏହି ନିଷ୍ପତ୍ତି ଶୁଣାଇବା ପରେ ପରେ ଭାରତ ସେନା ପଠାଇଥିଲା । ରାତା ରାତି ସେନା ଏବଂ ଅସ୍ତ୍ରଶସ୍ତ୍ର ଶ୍ରୀନଗରରେ ପହଞ୍ଚିଗଲା । ଆତଙ୍କୀ ଗୋଷ୍ଠୀ ଶ୍ରୀନଗରଠାରୁ ମାତ୍ର ଏକ ମାଇଲ ଦୂରରେ ଥାଆନ୍ତି । ଭାରତୀୟ ସେନା ପ୍ରଥମେ ଶ୍ରୀନଗରର ସୁରକ୍ଷା କରିଥିଲେ । ଆଉ ଏହା ପରେ ଯୁଦ୍ଧର ରୂପ ବଦଳିଗଲା ।

ମାନଚିତ୍ର ଏବଂ ଯୋଗାଣର ଅଭାବ ସତ୍ତ୍ୱେ ଭାରତୀୟ ସେନା ଖୁବ ସାହସର ସହ ଶତ୍ରୁର ମୁକାବିଲା କରିଥିଲେ । ବାରମୁଳା, ଉରି ଆଖପାଖ ଇଲାକା ଶତ୍ରୁ ହାତରୁ ଛଡେଇ ଆଣିଥିଲେ । ଚାରିଆଡେ ଆତଙ୍କର ବାତାବରଣ । ଗୋଟିଏ ଗୋଟିଏ ଇଞ୍ଚ ଜମି ପାଇଁ ଯୁଦ୍ଧ ହେଉଥିଲା । ଭାରତ ଦୁଇ ତୃତୀୟାଂଶ କାଶ୍ମୀର ନିଜ କବଜାକୁ ନେଇ ଆସିଥିଲା ।

ଜାତିସଂଘରେ କାଶ୍ମୀର ମାମଲା

ଏହି ଯୁଦ୍ଧ ପରେ ମାମଲା ଜାତିସଂଘ ପାଖକୁ ଯାଇଥିଲା । ୧୯୪୯ ଜାନୁଆରୀ ୫ ତାରିଖରେ ଯୁଦ୍ଧ ବିରତି ଘୋଷଣା କରାଗଲା । ତା ପରେ ଧାର୍ଯ୍ୟ କରାଗଲା ଲାଇନ ଅଫ କଣ୍ଟ୍ରୋଲ । ଏହି ଲାଇନ ଅଫ କଣ୍ଟ୍ରୋଲ ଟଣାଗଲା ପରେ ପାକିସ୍ତାନ ପଟେ ରହିଗଲା ପାକ୍ ଅକୁପାଏଡ କାଶ୍ମୀର ବା ପିଓକେ । ଗିଲଗିଟ, ମୀରପୁର, ମୁଜାଫରବାଦ ଏବଂ ବାଲ୍ଟିସ୍ତାନ ଭାରତ ହାତରୁ ଯାଇ ପିଓକେରେ ସାମିଲ ହେଲା ।

ହେଲେ କାଶ୍ମୀର ଯନ୍ତ୍ରଣା ଏତିକିରେ ଶେଷ ହୋଇ ନଥିଲା । ଏହା ପରେ ବି ପାକିସ୍ତାନ ଭାରତ ସହ ତିନି ତିନି ଥର ଯୁଦ୍ଧ କରିଛି କାଶ୍ମୀରକୁ ହାତେଇବା ପାଇଁ ।

୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ

୧୯୬୫ରେ ହୋଇଥିବା ଯୁଦ୍ଧରେ ଭାରତ ପାକିସ୍ତାନ ଭିତରେ ପଶି ୨ ହଜାର ବର୍ଗ କିଲୋମିଟର ଇଲାକା ନିଜ କବ୍ଜାକୁ ନେଇ ଆସିଥିଲା । ଏହି ଯୁଦ୍ଧରେ ୩, ୨୬୪ ଭାରତୀୟ ଯବାନ ସହିଦ ହୋଇଥିଲେ । ପାକିସ୍ତାନର ୩୫୦୦ ସୈନିକ ନିହତ ହୋଇଥିଲେ । ଏହି ଯୁଦ୍ଧରେ ଭାରତ ୨୦୦ରୁ ୩୦୦ ମିଲିୟନ ଡଲାର ଖର୍ଚ୍ଚ କରିଥିବାବେଳେ ପାକିସ୍ତାନ ୫୦୦ ମିଲିୟନ ଡଲାର ଖର୍ଚ୍ଚ କରିଥିଲା ।

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ

୧୯୭୧ ଯୁଦ୍ଧ ପରେ ପାକିସ୍ତାନ ଦୁଇ ଖଣ୍ଡ ହୋଇଗଲା । ନୂଆ ଦେଶ ବାଂଲାଦେଶ ଗଠିତ ହେଲା । ଯୁଦ୍ଧରେ ଭାରତ ପାକିସ୍ତାନର ୧୫, ୦୦୦ ବର୍ଗ କିଲୋମିଟର ଜମି ନିଜ କବ୍ଜାକୁ ନେଇ ଆସିଥିଲା । ହେଲେ ଶିମଳା ବୁଝାମଣା ପରେ ଏ ସମସ୍ତ ଜମିକୁ ଭାରତ ଫେରାଇ ଦେଇଥିଲା । ପାକିସ୍ତାନର ୯୩ ହଜାର ସୈନିକ ଆତ୍ମସମର୍ପଣ କରିଥିଲେ । ଭାରତର ୩,୮୪୩ ଯବାନ ସହିଦ ହୋଇଥିଲେ । ଏହି ଯୁଦ୍ଧରେ ଭାରତର ୫୦୦ ମିଳିୟନ ଡଲାର ଖର୍ଚ୍ଚ ହୋଇଥିଲା ।

୧୯୯୯ କାରଗିଲ ଯୁଦ୍ଧ

ସବୁ ଯୁଦ୍ଧଠାରୁ ଅଧିକ ବ୍ୟୟବହୁଳ ଥିଲା କାରଗିଲ ଯୁଦ୍ଧ । ପାକ ସେନା ଏଲଓସି ପାର କରି ଦେଇଥିଲେ । ଭାରତୀୟ ସେନା ଖୁବ ସାହାସର ସହ ଯୁଦ୍ଧ କରି ଏହି ଇଲାକାକୁ ପାକ ସେନା ହାତରୁ ଛଡାଇ ଆଣି ପାରିଥିଲେ । ଏହି ଯୁଦ୍ଧରେ ଭାରତର ୫୨୨ ଯବାନ ସହିଦ ହୋଇଥିଲେ । ପାକିସ୍ତାନର ୭୦୦ରୁ ଅଧିକ ସୈନ୍ୟ ନିହତ ହୋଇଥିଲେ । ଏହି ଯୁଦ୍ଧରେ ଭାରତର ୧.୫ ବିଲିୟନ ଡଲାର ଖର୍ଚ୍ଚ ହୋଇଥିଲା ।

୨୦୦୧ ସଂସଦ ଭବନ ଉପରେ ଆକ୍ରମଣ

ପାକିସ୍ତାନୀ ଆତଙ୍କବାଦୀ ଭାରତର ସଂସଦ ଭବନକୁ ଟାର୍ଗେଟ କରିଥିଲେ । ସେତେବେଳେ ଅବଶ୍ୟ ସିଧାସଳଖ ଯୁଦ୍ଧ ହୋଇ ନ ଥିଲା । ତେବେ ଏଲଓସିରେ ବହୁମାତ୍ରାରେ ଯବାନଙ୍କୁ ମୁତୟନ କରାଯାଇଥିଲା । ଏଥିପାଇଁ ଭାରତକୁ ଏକ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡିଥିଲା ।

ପହଲଗାମ ଆତଙ୍କୀ ଆକ୍ରମଣ ପରବର୍ତ୍ତୀ ସ୍ଥିତି

୨୦୨୫ ଏପ୍ରିଲ ୨୨ ତାରିଖ ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିଲା ଆତଙ୍କୀ ଆକ୍ରମଣ । ଏହି ଆକ୍ରମଣ ପରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତର ଆକ୍ରମଣକୁ ନେଇ ପାକିସ୍ତାନ ଥରହର । ପ୍ରଧାନମନ୍ତ୍ରୀ ତିନି ବାହିନୀର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଯେଉଁଠି ଯେତେବେଳେ ଚାହିଁବେ ଆକ୍ରମଣ କରିପାରିବେ । ଯଦି ପାକିସ୍ତାନ ସହ ଯୁଦ୍ଧ ହୁଏ ତେବେ ଏହା ସବୁଠାରୁ ବଡ ଯୁଦ୍ଧର ରୂପ ନେଇପାରେ ।

ଅଧିକ ପଢ଼ନ୍ତୁ: ପାକ୍‌ ଉପରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍‌, ବ୍ୟାନ୍‌ ହେଲା ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ

Kashmir Kashmir Issue Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ