/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746171221.jpg)
ଅଟାରୀ-ୱାଘା ବର୍ଡର
ଅଟାରୀ-ୱାଘା ବର୍ଡର ଅର୍ଥାତ ଭାରତ-ପାକିସ୍ତାନ ସୀମା କଥା ଉଠିଲେ ଦେଶଭକ୍ତିର ଭାବନାରେ ଭରି ଯାଉଥିବା ବିଟିଂ ରିଟ୍ରିଟର ଚିତ୍ର ଆଖି ସାମ୍ନାକୁ ଚାଲିଆସେ । ପ୍ରତିଦିନ ସନ୍ଧ୍ୟାରେ ଉଭୟ ଦେଶର ସୀମା ଗେଟଠାରେ ଭାରତୀୟ ଓ ପାକିସ୍ତାନ ସେନାଙ୍କ ଉପସ୍ଥିତିରେ ଭାରତ ମାତା କି ଜୟର ନାରା ଗୁଞ୍ଜରିତ ହୁଏ । ୧୯୫୯ ମସିହାରୁ ସଦଭାବନା ମୂଳକ ପଦକ୍ଷେପ ଭାବରେ ଏହି ପରମ୍ପରା ଦୁଇ ଦେଶ ମଧ୍ୟରେ ଚାଲିଆସୁଛି । ଭାରତ-ପାକିସ୍ତାନ ବିଭାଜନ ପରେ ପରେ ହିଁ ଅଟାରୀ-ୱାଘା ସୀମା ଅସ୍ତିତ୍ୱ ପାଇଥିଲା, ଯେତେବେଳେ ଅଟାରୀ ଭାରତର ଅଂଶ ହୋଇଯାଇଥିଲା ଏବଂ ୱାଘା ପାକିସ୍ତାନ ଭାଗରେ ପଡ଼ିଥିଲା ।
ସ୍ୱାଧୀନତା ଏବଂ ବିଭାଜନ ପରଠାରୁ ଏହି ସୀମା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଯାତ୍ରା ଏବଂ ସାଂସ୍କୃତିକ ଆଦାନପ୍ରଦାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ହେଲେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଭାରତ ଅଟାରୀ ଚେକପୋଷ୍ଟକୁ ବନ୍ଦ କରିଦେଇଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଖୁବ ରୋଚକ ଏହି ଅଟାରୀ ଚେକପୋଷ୍ଟର ଇତିହାସ ।
ରେଡକ୍ଲିଫ ଲାଇନ
ବିଭାଜନ ସମୟରେ ଅଟାରୀ ଚେକ ପୋଷ୍ଟରେ ଏପରି କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉନଥିଲା । କେବଳ କିଛି ନୀଳ ଡ୍ରମ ଓ ପଥର ସାହାଯ୍ୟରେ ଦୁଇ ଦେଶର ସୀମା ନିର୍ଦ୍ଧାରଣ କରାଯାଇଥିଲା । ଏ କାହାଣୀ ଆରମ୍ଭ ହୋଇଥିଲା ୧୯୪୭ରେ, ସେତେବେଳେ ବ୍ରିଟିଶ ଓକିଲ ସିରିଲ ରେଡକ୍ଲିଫଙ୍କ ଉପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମା ନିର୍ଦ୍ଧାରଣ କରିବାର ଦାୟିତ୍ୱ ନ୍ୟସ୍ତ ଥିଲା । ଅନ୍ତର୍ଜାତୀୟ ସୀମା ନିର୍ଦ୍ଧାରଣ କରିବା ପାଇଁ ତାଙ୍କ ପାଖରେ ମାତ୍ର ପାଞ୍ଚ ସପ୍ତାହ ସମୟ ଥିଲା ଏବଂ ୧୫ ଅଗଷ୍ଟ ୧୯୪୭ ସୁଦ୍ଧା ସିରିଲ ରେଡକ୍ଲିଫଙ୍କୁ ଫେରିବାକୁ ପଡ଼ିଥିଲା। ଅତି ତରବରିଆ ଭାବରେ ଉଭୟ ଦେଶର ସୀମା ନିର୍ଦ୍ଧାରଣ ହେବା ସହ ଏହା ୧୭ ଅଗଷ୍ଟ ୧୯୪୭ ରୁ କାର୍ଯ୍ୟକାରୀ ହୋଇଥିଲା। ବିଭାଜନ ସମୟରେ ପ୍ରାୟ ୬୫ ଲକ୍ଷ ମୁସଲମାନ ପୂର୍ବ ପଞ୍ଜାବରୁ ପଶ୍ଚିମ ପଞ୍ଜାବକୁ ଏବଂ ପ୍ରାୟ ୪୭ ଲକ୍ଷ ହିନ୍ଦୁ ଏବଂ ଶିଖ ପଶ୍ଚିମ ଅଞ୍ଚଳରୁ ପୂର୍ବ ଭାଗକୁ ସ୍ଥାନାନ୍ତରିତ ହୋଇଥିଲେ। ପ୍ରାରମ୍ଭିକ ମାସଗୁଡ଼ିକରେ ପଞ୍ଜାବ ମଧ୍ୟରେ ସୀମା ଖୋଲା ଥିଲା ।
ମୋହିନ୍ଦର ସିଂହ ଚୋପ୍ରାକୁ ଦାୟିତ୍ୱ
ଐତିହାସିକ ଭି.ଏନ୍. ଦତ୍ତଙ୍କ ପୁସ୍ତକ (Amritsar: Past and Present (Municipal Committee, Amritsar – 1967)ରେ କୁହାଯାଇଛି ୮ ଅକ୍ଟୋବର ୧୯୪୭ ରେ ବ୍ରିଗେଡିୟର ମୋହିନ୍ଦର ସିଂହ ଚୋପ୍ରାଙ୍କୁ ଅମୃତସରରେ ୧୨୩ ଭାରତୀୟ ପଦାତିକ ବ୍ରିଗେଡର ଦାୟିତ୍ୱ ଦିଆଯାଇଥିଲା । ବିଶେଷ କରି ତାଙ୍କ ଉପରେ ପଞ୍ଜାବ ସୀମା ଉପରେ ନଜର ରଖିବା ଏବଂ ସୁରକ୍ଷା ଦେବାର ଦାୟିତ୍ୱ ନ୍ୟସ୍ତ ଥିଲା । ଅମୃତସରରେ ଜନ୍ମଗ୍ରହଣ କରିଥିବା ମୋହିନ୍ଦର ସିଂହ ଚୋପ୍ରାଙ୍କର ଏହି ଅଞ୍ଚଳ ବିଷୟରେ ବହୁତ ଭଲ ଜ୍ଞାନ ଥିଲା। ସେ ଭାରତୀୟ ସେନାର କିଙ୍ଗସ କମିଶନଡ୍ ଇଣ୍ଡିଆନ୍ ଅଫିସରଙ୍କ ପ୍ରଥମ ବ୍ୟାଚର ଜଣେ ସାମରିକ ଅଧିକାରୀ ଥିଲେ। ଅବସର ପରେ ବ୍ରିଗେଡିୟର ମୋହିନ୍ଦର ସିଂହ ଚୋପ୍ରା ତାଙ୍କ ପୁସ୍ତକ (1947: A Soldier’s Story) ରେ ସୀମା ଚେକପୋଷ୍ଟ ସ୍ଥାପନର ଆକର୍ଷଣୀୟ କାହାଣୀ ବର୍ଣ୍ଣନା କରିଛନ୍ତି। ମୋହିନ୍ଦର ସିଂହ ଚୋପ୍ରାଙ୍କ ପରି ପାକିସ୍ତାନର ନାଜିର ଅହମ୍ମଦଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ ଥିଲା । ଉଭୟ ଆର୍ମି ରେଜିମେଣ୍ଟର ଷଷ୍ଠ ବାଟାଲିୟନ ୧୩ତମ ରୟାଲ ଫ୍ରଣ୍ଟିୟର୍ ଫୋର୍ସ ରାଇଫଲ୍ସରେ ଏକାଠି ସେବା ପ୍ରଦାନ କରିଥିଲେ ।
ଜିଟି ରୋଡରେ ସାକ୍ଷାତ
ବ୍ରିଗେଡିୟର ମୋହିନ୍ଦର ସିଂହ ଚୋପ୍ରା ଲେଖିଛନ୍ତି, ସେତେବେଳେ ସୀମା ନିର୍ଣ୍ଣୟ କରିବା ସହଜ ନଥିଲା । କାରଣ ସୀମା ଚିହ୍ନଟ କରିବା ପାଇଁ ନା ସ୍ତମ୍ଭ ଥିଲା ନା କୌଣସି ନିର୍ଦ୍ଦିଷ୍ଟ ପ୍ରତୀକ ଥିଲା। ଗ୍ରାଣ୍ଡ ଟ୍ରଙ୍କ ରୋଡ (Grand Trunk Road) ରେ ଚାଲିବା ସମୟରେ ଦୁହେଁ ପରସ୍ପରକୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ପର୍ବ ୱାଘା ଗାଁର ସୀମାରେ ହୋଇଥିଲା, ଯାହା ବର୍ତ୍ତମାନ ପାକିସ୍ତାନରେ ଅଛି। ସେହି ମୁହୂର୍ତ୍ତରେ ସେଠାରେ ଏକ ଚେକ୍ ପୋଷ୍ଟ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ୱାଘା ଚେକପୋଷ୍ଟ
ଦୁଇ ବ୍ରିଗେଡିୟର୍ ୧୧ ଅକ୍ଟୋବର ୧୯୪୭ରେ ଅସ୍ଥାୟୀ ଭାବରେ ୱାଘା ଚେକପୋଷ୍ଟ ପ୍ରତିଷ୍ଠା କରିଥିଲେ। ସେଠାରେ କିଛି ଡ୍ରମ୍ ଏବଂ ପଥର ରଖି ସୀମା ନିର୍ଦ୍ଧାରଣ କରାଯାଇଥିଲା । ଉଭୟ ପାର୍ଶ୍ୱରେ କିଛି ତମ୍ବୁ ଲଗାଯାଇଥିଲା । ସୈନିକମାନଙ୍କ ଦ୍ୱାରା ନିରୀକ୍ଷଣ ପାଇଁ ସେଣ୍ଟ୍ରି ବାକ୍ସ ତିଆରି କରାଯାଇଥିଲା। ଏହା ସହିତ ଭାରତ ଏବଂ ପାକିସ୍ତାନର ପତାକା ମଧ୍ୟ ଉଡ଼ିବା ଆରମ୍ଭ ହୋଇଥିଲା । ଏହି ଐତିହାସିକ ଘଟଣାର ସ୍ମୃତି ପାଇଁ ଉଭୟ ପାର୍ଶ୍ୱରେ ଦୁଇଟି ପତାକା ଖୁଣ୍ଟ ଏବଂ ଏକ ପିତ୍ତଳ ପ୍ଲେଟ ସ୍ଥାପନ କରାଯାଇଥିଲା।
ଅଟାରୀ ଗାଁରେ ବୈଠକ
ସୀମା ନିର୍ଣ୍ଣୟ ହେବା ମାତ୍ରେ ଉଭୟ ଅଧିକାରୀ ୨୧ ଅକ୍ଟୋବରରେ ଭାରତୀୟ ସୀମାର ଅଟାରୀ ଗାଁରେ ପୁଣି ଥରେ ସାକ୍ଷାତ କରିଥିଲେ, ଯାହା ଦ୍ଵାରା ଶରଣାର୍ଥୀଙ୍କ ସୁରକ୍ଷିତ ପ୍ରସ୍ଥାନ ପାଇଁ ଉପାୟ ସ୍ଥିର କରାଯାଇପାରିବ। ୧୯୪୭-୪୮ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ପ୍ରଥମ ଯୁଦ୍ଧ ସମୟରେ ମଧ୍ୟ ପଞ୍ଜାବ ସେକ୍ଟରରେ ଶାନ୍ତି ଥିଲା। ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ଭାରତରୁ ପାକିସ୍ତାନ ଏବଂ ପାକିସ୍ତାନରୁ ଭାରତକୁ ଶରଣାର୍ଥୀଙ୍କ ସୁଗମ ଗତିବିଧି ଥିଲା।
ଦେଖିବାକୁ ଗଲେ ଅଟାରୀ ଏବଂ ୱାଘା ସୀମା ମଧ୍ୟରେ କୌଣସି ବିଶେଷ ପାର୍ଥକ୍ୟ ନାହିଁ, ଏଗୁଡ଼ିକ କେବଳ ଭାରତ-ପାକିସ୍ତାନ ସୀମାର ଉଭୟ ପାର୍ଶ୍ୱରେ ଥିବା ଦୁଇଟି ଗାଁର ନାମ, କିନ୍ତୁ ଏହି ସୀମା ସେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଗଲା । ଭାରତ ପାକିସ୍ତାନ ବିଭାଜନ ସମୟରେ ଅଟାରୀ-ୱାଘା ସୀମା ଦେଇ ଅନେକ ଲୋକ ଭାରତରୁ ପାକିସ୍ତାନ ଏବଂ ପାକିସ୍ତାନରୁ ଭାରତ ଆସିଥିଲେ। ବିଭାଜନ ପୂର୍ବରୁ ଲାହୋର ଏବଂ ଅମୃତସର ଅବିଭକ୍ତ ପଞ୍ଜାବର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଥିଲା, ତେଣୁ ଅଟାରୀ-ୱାଘା ସୀମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଗଲା। ୨୦୦୫ ମସିହାରେ ଅଟାରୀ-ୱାଘା ସୀମାରୁ ବାଣିଜ୍ୟ ଆରମ୍ଭ ହୋଇଥିଲା। ଆଜି ଅଟାରୀ ଏବଂ ୱାଘା ସୀମା ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ଏବଂ ବନ୍ଧୁତାର ପ୍ରତୀକ।
ଗତିବିଧି ଏବଂ ବାଣିଜ୍ୟ ବୃଦ୍ଧି ସହିତ ଏହି ଚେକପୋଷ୍ଟ ବହୁତ ଲୋକପ୍ରିୟ ହୋଇଗଲା। ତା’ପରେ ଭାରତ ପକ୍ଷରୁ ଚେକପୋଷ୍ଟକୁ ସୀମା ସୁରକ୍ଷା ବଳ (BSF) ଏବଂ ପାକ ପକ୍ଷରୁ ପାକିସ୍ତାନ ରେଞ୍ଜର୍ସଙ୍କୁ ହସ୍ତାନ୍ତର କରାଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧୯୫୯ ମସିହାରେ ଉଭୟ ଦେଶର ସରକାର ୱାଘା ସୀମାନ୍ତ ସମାରୋହ (ବିଟିଂ ରିଟ୍ରିଟ୍ ସମାରୋହ) ଆରମ୍ଭ କରିଥିଲେ, ଯାହା ପ୍ରତ୍ୟେକ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପୂର୍ବରୁ ଅନୁଷ୍ଠିତ ହୁଏ। ଏଥିରେ ଯବାନମାନେ ଗୋଡ଼କୁ ମୁଣ୍ଡ ପର୍ଯ୍ୟନ୍ତ ଉଠାଇ ପ୍ୟାରେଡ କରନ୍ତି ଓ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱରୁ ଗେଟକୁ ଧରି ଆସନ୍ତି, ଏହି ଦୃଶ୍ୟ ସତରେ ଦେଖିବାଯୋଗ୍ୟ ।
ଏହି ସମାରୋହ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ ଦର୍ଶକ ଏପରିକି ବିଦେଶରୁ ପର୍ୟ୍ୟଟକମାନେ ଆସିଥାନ୍ତି । ଆଉ ସେତେବେଳେ ବର୍ଡରରେ ବାଜୁଥାଏ ଦେଶାତ୍ମବୋଧକ ଗୀତ । ମୁଣ୍ଡରେ ପଗଡ଼ି ଏବଂ ଅନନ୍ୟ ପୋଷାକ ପିନ୍ଧିଥିବା ସୈନିକମାନଙ୍କୁ ଦେଖି ସେଠାରେ ଉପସ୍ଥିତ ଜନତାଙ୍କ ମନ ଉତ୍ସାହ ଏବଂ ଆବେଗରେ ଭରିଯାଏ । ଜୟ ହିନ୍ଦ ଏବଂ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନରେ ଅଞ୍ଚଳଟି ପ୍ରକମ୍ପିତହୁଏ, କିନ୍ତୁ ଅଧିକାଂଶ ଭିଡ଼ ଭାରତ ପାର୍ଶ୍ୱରେ ହିଁ ଦେଖିବାକୁ ମିଳେ । ପୂର୍ବରୁ ପ୍ରାୟ ଷାଠିଏ ବର୍ଷ ଧରି ଏହି ଚେକପୋଷ୍ଟକୁ ୱାଘା ସୀମା କୁହାଯାଉଥିଲା, କିନ୍ତୁ ତା’ପରେ ୮ ସେପ୍ଟେମ୍ବର ୨୦୦୭ରେ ଏହାକୁ ଅଟାରୀ ସୀମା କିମ୍ବା ଅଟାରୀ ଚେକପୋଷ୍ଟ ନାମ ଦିଆଯାଇଥିଲା। କାରଣ ୱାଘା ଗାଁ ପାକିସ୍ତାନ ପାର୍ଶ୍ୱରେ ଏବଂ ଭାରତୀୟ ଚେକ୍ ପୋଷ୍ଟ ଗାଁ ହେଉଛି ଅଟାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)