• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କର୍ଣ୍ଣାଟକରୁ ଉଠିଥିବା ହିଜାବ ଝଡ଼ ଦେଶର ଅନ୍ୟ ରାଜ୍ୟକୁ ବି ବ୍ୟାପିବାରେ ଲାଗିଛି । ହିଜାବ ଆମର ଅଧିକାର କହି ବିକ୍ଷୋଭ ଶୋଭାଯାତ୍ରା କରୁଛନ୍ତି ଶହ ଶହ ସଂଖ୍ୟାଲଘୁ ସଂପ୍ରଦାୟର ମହିଳା ଓ ଛାତ୍ରୀ । ଗୋଟିଏ ଦେଶ, ଗୋଟିଏ ଆଇନ ଲାଗୁହେବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଏହି ପ୍ରସଙ୍ଗରେ ମତ ରଖିଥିବା ବେଳେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି ।

ରାଜଧାନୀ ଦିଲ୍ଲୀ, ପଶ୍ଚିମବଙ୍ଗର କୋଲକାତା, ତେଲେଙ୍ଗାନାର ହାଇଦ୍ରାବାଦ, ଉତ୍ତରପ୍ରଦେଶର ଆଲିଗଡ଼, ଗୁଜରାଟର ସୁରତ, ରାଜସ୍ଥାନର ଜୟପୁର ଓ ମହାରାଷ୍ଟ୍ରର ମାଲେଗା କର୍ଣ୍ଣାଟକ ଉଡୁପୀରେ ଉଠିଥିବା ହିଜାବ ଝଡ଼ ଏବେ ଦେଶର ବିଭିନ୍ନ ପ୍ରାନ୍ତକୁ ଡେଇଁବାରେ ଲାଗିଛି । କେଉଁଠି ଶାନ୍ତିପୂର୍ଣ୍ଣ ପ୍ରତିବାଦ ହୋଇଛି ତ ଆଉ କେଉଁଠି ରାସ୍ତାକୁ ଓହ୍ଲାଇ ହିଜାବ୍ ଆମର ଅଧିକାର ବୋଲି କହି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶହ ଶହ ସଂଖ୍ୟାରେ ମୁସଲିମ ମହିଳା । ତେବେ ବିଭିନ୍ନ ରାଜ୍ୟରେ ଅନୁମତି ନଥାଇ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ପୋଲିସ ସହ ମୁହାଁମୁହିଁ ସ୍ଥିତି ଉପୁଜିଛି । ଦିଲ୍ଲୀରେ କର୍ଣ୍ଣାଟକ ଭବନ ଆଡ଼କୁ ଶୋଭାଯାତ୍ରାରେ ଯିବା ବେଳେ ଗତକାଲି ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା ଦିଲ୍ଲୀ ପୋଲିସ । ସେପଟେ ମାଲେଗାରେ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ କରି ନୋଟିସ୍ ପଠାଇଛି ମହାରାଷ୍ଟ୍ର ପୋଲିସ । ସେପଟେ ହିଜାବ ବିବାଦକୁ ନେଇ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି।

ବଲିଉଡ୍ ସେଲିବ୍ରିଟି ମାନେ ମଧ୍ୟ ହିଜାବ ବିବାଦ ପ୍ରସଙ୍ଗରେ ସୋସିଆଲ୍ ମିଡିଆରେ ନିଜ ମତ ରଖିଛନ୍ତି । ଅଭିନେତ୍ରୀ କଙ୍ଗନା ରାନାଓ୍ୱତ୍ ଲେଖିଛନ୍ତି, ଯଦି ସାହସ ଦେଖାଇବାର ଅଛି, ତେବେ ଆଫଗାନିସ୍ତାନରେ ବୁର୍ଖା ନପିନ୍ଧି ଦେଖାଅ । ଏହାର ଉତ୍ତରରେ ଶବାନା ଆଜମୀ ଲେଖିଛନ୍ତି, ଆଫଗାନିସ୍ତାନ ଏକ ଧର୍ମଶାସିତ ଦେଶ । କିନ୍ତୁ ଭାରତ ଏକ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ଦେଶ । ସେପଟେ ଜାଭେଦ ଅଖତର ଲେଖିଛନ୍ତି, ମୁଁ ହିଜାବ କି ବୁର୍ଖା ସପକ୍ଷରେ ନୁହେଁ। କିନ୍ତୁ ପ୍ରତିବାଦ ନାଁରେ ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରେ ।

ଅଭିନେତା କମଲ ହାସନଙ୍କ ମତରେ କର୍ଣ୍ଣାଟକରେ ଯାହା ଘଟୁଛି, ତାହା ଅଶାନ୍ତି ଉଦ୍ରେକକାରୀ । ତାମିଲନାଡ଼ୁକୁ ଏହା ବ୍ୟାପିବା ଉଚିତ ନୁହେଁ ବୋଲି ସେ ଲେଖିଛନ୍ତି । ହେମାମାଳିନୀ ଗଣମାଧ୍ୟମକୁ କହିଛନ୍ତି, ସ୍କୁଲ ପାଠ ପଢ଼ିବା ପାଇଁ ସେଠାକୁ ଧର୍ମୀୟ ପ୍ରସଙ୍ଗ ନିଆଯିବା ଉଚିତ ନୁହେଁ ।

ସେପଟେ ହାଇକୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି କର୍ଣ୍ଣାଟକ ହିଜାବ ମାମଲା । ଶିକ୍ଷାନୁଷ୍ଠାନକୁ ହିଜାବ କି ଗେରୁଆ ଉତ୍ତରୀୟ ଭଳି କୌଣସି ଧାର୍ମିକ ବସ୍ତ୍ର ସହ ନଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି ମଧ୍ୟବର୍ତ୍ତୀକାଳୀନ ଅର୍ଡରକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଆାବେଦନକାରୀ । ଆସନ୍ତା ୧୪ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ହେଲେ ଏହି ମାମଲାରେ ଜରୁରୀକାଳୀନ ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଘଟଣା ଉପରେ କୋର୍ଟର ନଜର ରହିଛି । ଏହାକୁ ଆଇନଜୀବୀମାନେ ଜାତୀୟ ପ୍ରସଙ୍ଗ ବନାନ୍ତୁ ନାହିଁ । କୋର୍ଟ ଠିକ୍ ସମୟରେ ଏହା ଉପରେ ପଦକ୍ଷେପ ନେବେ । ଏଣେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କର୍ଣ୍ଣାଟକରେ ଫେବୃଆରୀ ୧୪ରୁ ଦଶମ ଶ୍ରେଣୀଯାଏଁ ସ୍କୁଲ ଖୋଲିବ ଏବଂ ପରେ ଏକାଦଶ ଓ ଦ୍ୱାଦଶ ଏବଂ ଡିଗ୍ରୀ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି ।

ଏଭିତରେ ଆଉ ଏକ ଭିନ୍ନ ମୋଡ଼ ନେଇଛି ହିଜାବ ବିବାଦ । ହିଜାବ ପିନ୍ଧିଥିବାରୁ କ୍ଲାସରେ ପଶିବାକୁ ଦିଆଯାଇନଥିବା ପ୍ରଥମେ ଅଭିଯୋଗ କରିଥିବା ଉଡୁପୀର ୬ ଜଣ ସଂଖ୍ୟାଲଘୁ ସଂପ୍ରଦାୟ ଛାତ୍ରୀଙ୍କ ନାଁ, ଠିକଣା, ଏପରିକି ଫୋନ୍ ନମ୍ବର ଭଳି ବ୍ୟକ୍ତିଗତ ବିବରଣୀ ସୋସିଆଲ୍ ମିଡିଆରେ ଛଡ଼ାଯାଇଥିବା ସେମାନଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି । ଛାତ୍ରୀମାନଙ୍କ ପ୍ରତି ବିପଦ ଥିବା ଦର୍ଶାଇ, ଦୋଷୀଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଉଡୁପୀ ଏସପିଙ୍କ ପାଖରେ ଆବେଦନ ହୋଇଛି । ସେପଟେ ଶୃଙ୍ଖଳା ରକ୍ଷା ପାଇଁ ଉଡୁପୀର ବିଭିନ୍ନ ସ୍ଥାନରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଫ୍ଲାଗମାର୍ଚ୍ଚ ହୋଇଛି ।