• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ରେଳ ବଜେଟ୍‌ ରେକର୍ଡ଼

  • ଓଡ଼ିଶାକୁ ମିଳିଛି ଅଧିକ ଗୁରୁତ୍ୱ

ମାଗିବାଠାରୁ ମିଳିଲା ଯଥେଷ୍ଟ ଅଧିକ ଅନୁଦାନ। ଏଥର ରେଳ ବଜେଟ୍‌ରେ ଓଡ଼ିଶାକୁ ଇତିହାସରେ ସବୁଠୁ ଅଧିକ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶାକୁ ଏଥର ମିଳିଛି ୯ ହଜାର ୭୩୪ କୋଟି, ଯାହାକି ୟୁପିଏ ତୁଳନାରେ ୧୦ ଗୁଣ ଅଧିକ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବାରୁ ଅଶ୍ୱିନୀ ଓଡ଼ିଶାକୁ ଅଧିକ ଅନୁଦାନ ଦେଇଥିବା କୁହାଯାଉଛି। ଏଣିକି ବିଜେଡି ଆଉ ରେଲୱେ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କଥା ଉଠାଇପାରିବ ନାହିଁ ବୋଲି ବିଜେପି କହିଥିବା ବେଳେ ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି ଆଶା ଅନେକ ଥିଲା କିନ୍ତୁ ସେ ଅନୁସାରେ ମିଳିନାହିଁ।

ରେଲୱେ କ୍ଷେତ୍ରରେ ରାଜ୍ୟକୁ ରେକର୍ଡ ଅନୁଦାନ ଏଥର ମିଳିଛି। ଯେତିକି ଅନୁଦାନ ମାଗିଥିଲେ, ମିଳିଛି ତାଠାରୁ ଯଥେଷ୍ଟ ଅଧିକ ଟଙ୍କା। ରାଜ୍ୟ ସରକାର ୭ହଜାର ୬ଶହ କୋଟି ଅନୁଦାନ ଦାବି କରିଥିବା ବେଳେ କେନ୍ଦ୍ର ଦେଇଛି ୯, ୭୩୪ କୋଟି ଟଙ୍କା। ଆଜି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସଂପର୍କରେ ବିସ୍ତୃତ ହିସାବ ଦେଇଛନ୍ତି। କହିଛନ୍ତି ରେଲୱେ ଇତିହାସରେ ସର୍ବାଧିକ ଅନୁଦାନ ଏଥର ଓଡ଼ିଶାକୁ ଦିଆଯାଇଛି। ଯାହାକି ୟୁପିଏ ସରକାର ଅମଳରେ ମିଳିଥିବା ଅନୁଦାନଠାରୁ ୧୦ ଗୁଣା ଅଧିକ ବୋଲି ମନ୍ତ୍ରୀ କହିଛନ୍ତି । ୨୦୦୯ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୮ କୋଟି ଅନୁଦାନ ମିଳିଥିଲା। ମୋଦି ସରକାର ଆସିବାପରେ ୨୦୧୪ରୁ ୧୯ ପର୍ଯ୍ୟନ୍ତ ବର୍ଷକୁ ହରାହାରି ୪, ୧୨୬ କୋଟି ଦେଲେ ।

 

ଏହାପରେ ୨୦୧୯-୨୦ରେ ୪, ୫୬୮ କୋଟି, ୨୦-୨୧ରେ ୫, ୨୯୬ କୋଟି, ୨୧-୨୨ରେ ୬, ୪୭୧ କୋଟି ଟଙ୍କା ଦିଆଯାଇଥିଲା। କଳହାଣ୍ଡି ରେଳ ଓ୍ୱାଗନ ଫ୍ୟାକ୍ଟ୍ରି ସଂପର୍କରେ ଅଶ୍ୱିନୀ କହିଛନ୍ତି ଏହି ପ୍ରକଳ୍ପ ଲାଗି ୫୦ ପ୍ରତିଶତ ଜମି ଅଧିଗ୍ରହଣ ସରିଛି। ରାଜ୍ୟ ସରକାର ବଳକା ଜମି ଯୋଗାଇ ଦେଲେ କାମ ଆରମ୍ଭ ହେବ। ସେ ଆହୁରି ମଧ୍ୟ କହିଛନ୍ତି, ଇଚ୍ଛାଶକ୍ତି, ଜମି ଅଧିଗ୍ରହଣ, ଫରେଷ୍ଟ କ୍ଲିୟରାନ୍ ଓ ଅନୁଦାନ ମିଳିଲେ ପ୍ରକଳ୍ପ କାମ ଆଗେଇଥାଏ । ରାଜ୍ୟ ସରକାରଙ୍କ ସହଯୋଗ ବଢ଼ିଲେ ରେଲୱେ କ୍ଷେତ୍ରରେ ଦ୍ରୁତ ବିକାଶ ହୋଇପାରିବ। ସେହିପରି ବଜେଟ୍‌ରେ ଘୋଷଣା ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ମଧ୍ୟ ଓଡ଼ିଶାରେ ଚାଲିବ। ତାସହ ଓଡ଼ିଶାର ସବୁ ଷ୍ଟେସନକୁ ପର୍ଯ୍ୟାୟ କ୍ରମେ ବିକାଶ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି।

ଏଥର ବଜେଟ୍‌ରେ ନୂଆ ରେଳ ଲାଇନ୍ ବାବଦକୁ ୧୮୦୬ କୋଟି, ଡବ୍ଲିଂ ଲାଗି ୩, ୬୪୩ କୋଟି, ଟ୍ରାକ୍ ରିନ୍ୟୁଆଲ ପାଇଁ ୪୫୬ କୋଟି, ରେଲ୍ ଓଭବ୍ରିଜ୍‌ ପାଇଁ ୩୯୬ କୋଟି, ଇଲେକଟ୍ରିକ୍ ଓ୍ୱାର୍କ ଲାଗି ୬୫୬ କୋଟି, ଲିଜ୍ ଚାର୍ଜ ବାବଦକୁ ୮୯୩ କୋଟି, ଯାତ୍ରୀଙ୍କ ସୁବିଧା ଲାଗି ୩୦୪ କୋଟି ମିଳିଛି। ସେହିପରି ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ଦିଆଯାଇଥିବାବେଳେ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ରେଳ ଲାଇନକୁ ମଂଜୁରୀ ମିଳିଛି।

ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରୁ ଅନୁଗୁଳ-ସୁକିନ୍ଦା ପାଇଁ ୪୭୫ କୋଟି ଓ ତାଳଚେର-ବିମଳାଗଡ଼ ପ୍ରକଳ୍ପ ପାଇଁ ୨୫୦ କୋଟି ଅନୁଦାନ ଦିଆଯାଇଛି। ଅନୁଦାନ ସଂପର୍କିତ ବିସ୍ତୃତ ତଥ୍ୟ ଆସିବା ପରେ ବିଜେପି କହିଛି ବିଜେଡି ସବୁବେଳେ ରେଲୱେ କ୍ଷେତ୍ରରେ ଅବହେଳା କଥା କହିଆସୁଥିଲା। ଏବେ ଆଉ ସେକଥା କହିପାରିବ ନାହିଁ। ତେବେ ଦକ୍ଷିଣ ଓଡିଶାକୁ ଅବହେଳା କରାଯାଇଥିବା କଂଗ୍ରେସ ଅଭିଯୋଗ କରିଥିବା ବେଳେ ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି ଆଶା ଅନେକ ଥିଲା କିନ୍ତୁ ସେ ଅନୁସାରେ ମିଳିନାହିଁ।

ଖୋର୍ଦ୍ଧା-ବଲାଙ୍ଗିର, ଜୟପୁର-ମାଲକାନଗିରି ପ୍ରକଳ୍ପ ଲାଗି ରାଜ୍ୟ ସରକାର ମାଗଣାରେ ଜମି ଓ ନିର୍ମାଣ ବାବଦକୁ ୫୦ ପ୍ରତିଶତ ଅର୍ଥ ଦେଉଛନ୍ତି। ଜୟପୁର- ନବରଙ୍ଗପୁର ଲାଗି ମାଗଣାରେ ଜମି ଓ ନିର୍ମାଣ ବାବାଦକୁ ୨୫ପ୍ରତିଶିତ ଅର୍ଥ ପ୍ରଦାନ କରିଛନ୍ତି। ରାଜ୍ୟରେ ରେଲୱେ ପ୍ରକଳ୍ପଗୁଡ଼ିକ ଦ୍ରୁତ ଗତିରେ ଆଗକୁ ବଢ଼ିପାରୁ ନାହିଁ ଏଥିପାଇଁ ସବୁଠୁ ବଡ଼ ଚ୍ୟାଲେଂଜ ହୋଇଛି ଜମି ଅଧିଗ୍ରହଣ।

ଦିଲ୍ଲୀରୁ ଶିବାନନ୍ଦ ରାଉତ, ସୋନପୁରରୁ ରବୀନ୍ଦ୍ର ହୋତା ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ