Advertisment

ଭାରତର ବଡ ରେସ୍କ୍ୟୁ ଅପରେସନ୍‌ : ବିପଦ ବେଳେ ବିଦେଶରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ

ଅପରେସନ ଗଙ୍ଗା ଭଳି ଅନେକ ଥର ଭାରତୀୟଙ୍କୁ ବିମାନ ଯୋଗେ ବିଦେଶରୁ ଅଣାଯାଇଛି। ଯେଉଁଥିରେ ସାମିଲ ହୋଇଥିଲା ଏୟାର ଇଣ୍ଡିଆ ସହ ଭାରତୀୟ ବାୟୁ ସେନା। ଆସନ୍ତୁ ଜାଣିବା ଭାରତର ପ୍ରମୁଖ ରେସ୍କ୍ୟୁ ଅପରେସନ୍‌?

author-image
Prangyan Parimita
rescue operation

rescue operation

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଆଣିବା ପାଇଁ ଚାଲିଥିବା ଅପରେସନ ଗଙ୍ଗା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହଙ୍ଗେରୀରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏମିତି ସୂଚନା ଦେଇଛନ୍ତି। ତେବେ ଅପରେସନ ଗଙ୍ଗା ଭଳି ଅନେକ ଥର ଭାରତୀୟଙ୍କୁ ଆକାଶ ପଥ ଦେଇ ବିମାନ ଯୋଗେ ଦେଶକୁ ଅଣାଯାଇଛି। ଆସନ୍ତୁ ଜାଣିବା କେମିତି ଥିଲା ପ୍ରମୁଖ ରେସ୍କ୍ୟୁ ଅପରେସନ୍‌?

Advertisment

ବନ୍ଦେ ଭାରତ ମିଶନ୍‌

କରୋନା ମହାମାରୀ ସମୟରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ହୋଇଥିଲା ବନ୍ଦେ ଭାରତ ମିଶନ୍‌। ୨୦୨୦ରୁ ୨୦୨୧ ମସିହାରେ କାର୍ଯ୍ୟକାରୀ ହୋଇଥିଲା ଏହି ଅପରେସନ୍‌। ୧୮ ଲକ୍ଷରୁ ଅଧିକ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇଥିଲା। କେବଳ ବିମାନ ନୁହେଁ, ଜାହାଜ ମାଧ୍ୟମରେ ୩,୯୮୭ ଭାରତୀୟଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ବିମାନ ଏହି ମିଶନରେ ସାମିଲ୍‌ ହୋଇ ଭାରତୀୟଙ୍କ ଜୀବନ ବଂଚାଇଥିଲେ।

ଅପରେସନ୍‌ ରାହତ

ଏପ୍ରିଲ୍ ୨୦୧୫ରେ ୟେମେନ ସରକାର ଏବଂ ହାଇତି ବିଦ୍ରୋହୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏଭଳି ପରିସ୍ଥିତିରେ ଅନେକ ଭାରତୀୟ ଯୁଦ୍ଧରେ ଫସି ଯାଇଥିଲେ। ଭାରତ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଥିଲା ‘ଅପରେସନ୍ ରାହତ’। ସେତେବେଳେ ୪ ହଜାର ୭ ଶହ ୪୧ ଭାରତୀୟ ଏବଂ ୧ ହଜାର ୯ ଶହ ୪୭ ବିଦେଶୀଙ୍କ ସମେତ ମୋଟ ୬ ହଜାର ୬ ଶହ ୮୮ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହି ଲୋକମାନଙ୍କୁ ବିମାନ ଏବଂ ଜାହାଜ ଦ୍ୱାରା ଆଣାଯାଇଥିଲା। ଭାରତ ସେ ସମୟରେ ବ୍ରିଟେନ, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପାକିସ୍ତାନର ନାଗରିକମାନଙ୍କୁ ମଧ୍ୟ ଉଦ୍ଧାର କରିଥିଲା।

Advertisment

ଅପରେସନ୍ ମୈତ୍ରୀ

ଭାରତ ସରକାର ଏବଂ ଭାରତୀୟ ସଶସ୍ତ୍ର ବାହିନୀ ଦ୍ବାରା ମିଳିତ ଭାବେ ‘ଅପରେସନ୍ ମୈତ୍ରୀ’ ଉଦ୍ଧାର କାର୍ଯ୍ୟ ହୋଇଥିଲା। ଯେଉଁଥିରେ ପ୍ରାୟ ୫ ହଜାର ଭାରତୀୟଙ୍କୁ ନେପାଳରୁ ଉଦ୍ଧାର କରାଯାଇଥିଲା। ଏହି ସମୟରେ ଭାରତୀୟ ବାୟୁସେନା ଏକ ଭଲ ପଡ଼ୋଶୀ ରାଷ୍ଟ୍ରର ମଧ୍ୟ ଉଦାହରଣ ସୃଷ୍ଟି କରିଥିଲା। ଭୂକମ୍ପର କିଛି ମିନିଟ୍ ପରେ କାଠମାଣ୍ଡୁକୁ ରିଲିଫ୍ ସାମଗ୍ରୀ ଯୋଗାଇ ଦେଇଥିଲା ଭାରତ। କାରଣ ୭.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ୧୯୩୪ ମସିହା ପରେ ଏହା ଥିଲା ନେପାଳର ସବୁଠୁ ବଡ ଭୂକମ୍ପ।

କୁୱେତ୍‌ ଏୟାର ଲିଫ୍ଟ

‘ବନ୍ଦେ ଭାରତ ମିଶନ’ ପରେ ଭାରତ ସରକାରଙ୍କ ଦ୍ୱିତୀୟ ବୃହତ୍ତମ ଉଦ୍ଧାର କାର୍ଯ୍ୟ ଥିଲା କୁଏତରୁ ଏୟାରଲିଫ୍ଟ। କୁଏତ ଉପରେ ଇରାକର ଆକ୍ରମଣ ପରେ ୧୯୯୦ ମସିହାରେ କୁଏତରେ ଏହି ଏୟାର ଲିଫ୍ଟ ଆପରେସନ ହୋଇଥିଲା। ପ୍ରାୟ ୧ ଲକ୍ଷ ୭୫ ହଜାର ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆ ଏବଂ ଅନ୍ୟାନ୍ୟ ବିମାନ ନିୟୋଜିତ କରାଯାଇଥିଲା। ଏତେ ସଂଖ୍ୟକ ଲୋକଙ୍କୁ ଉଦ୍ଧାର କରିବାରେ ଏୟାର ଇଣ୍ଡିଆ ସଫଳ ହୋଇଥିବାରୁ ଏହି ଅପରେସନକୁ ‘ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ’ରେ ସ୍ଥାନ ମିଳିଥିଲା।

ଅପରେସନ୍ ହୋମ୍ କମିଂ

୨୦୧୧ ମସିହାରେ ଲିବିଆରେ ଆରମ୍ଭ ହୋଇଥିଲା ଗୃହଯୁଦ୍ଧ। ଲିବିଆର କର୍ଣ୍ଣେଲ ଗାଧାଫି ଏବଂ ତାଙ୍କ ବିରୋଧୀଙ୍କ ମଧ୍ୟରେ ବିବାଦରେ ଅନେକ ଭାରତୀୟ ମଧ୍ୟ ଜଡିତ ଥିଲେ। ସେହି ସମୟରେ ୧୫ ହଜାର ୪ ଶହରୁ ଅଧିକ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ‘ଅପରେସନ୍ ହୋମ୍ କମିଂ’ ଆରମ୍ଭ କରାଯାଇଥିଲା। ଲିବିୟା ନିକଟ ମିସ୍ତ୍ର ଏବଂ ମାଲ୍ଟାରୁ ୯ଟି ସ୍ୱତନ୍ତ୍ର ବିମାନରେ ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଥିଲା।

ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ। କେତେବେଳେ କାହାର ଜୀବନ ଯାଉଛି କହି ହେଉନି। ଯୁଦ୍ଧର ଭୟାବହତା ଦେଖି ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି। ହେଙ୍ଗେରୀ, ସ୍ଲୋବାକିଆ, ପୋଲାଣ୍ଡ ଏବଂ ରୋମାନିଆ ଆକାଶ ପଥ ଦେଇ ବିମାନ ଯୋଗେ ଭାରତୀୟଙ୍କୁ ନିଜ ଦେଶକୁ ଅଣାଯାଉଛି। କେନ୍ଦ୍ର ସରକାରଙ୍କ ଅପରେସନ୍‌ ଗଙ୍ଗା ମିଶନକୁ ମିଳୁଛି ଢେର ସାରା ପ୍ରଶଂସା ।

Rescue Operations
Advertisment
Advertisment