ସରିଲାଣି କାମ ! ହଜାରେ ବର୍ଷ ରହିବ ରାମ ମନ୍ଦିର, ଭୂମିକମ୍ପ ବି କ୍ଷତି କରିପାରିବନି

ଏକାଥରେ ୨ ଲକ୍ଷ ଭକ୍ତ ଦର୍ଶନ କରିପାରିବାର ବ୍ୟବସ୍ଥା । ୨୦୨୪ ମକର ସଂକ୍ରାନ୍ତି ସୁଦ୍ଧା ବିଗ୍ରହ ପ୍ରତିଷ୍ଠା ।

Ram Mandir

ପାଖେଇ ଆସୁଛି ମାହେନ୍ଦ୍ର ବେଳା । ଅଧାଅଧି ସରି ଆସିଲାଣି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର । ହଜାରେ ବର୍ଷ ତିଷ୍ଠି ରହିଲା ଭଳି ହେଉଛି ନିର୍ମାଣ କାର୍ଯ୍ୟ । ରାତିଦିନ କାମରେ ଲାଗିଛନ୍ତି ଶହ ଶହ କାରିଗର । ୨୦୨୩ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ଅଯୋଧ୍ୟାର ରାମମନ୍ଦିର ନିର୍ମାଣ । ଆଉ ୨୦୨୪ ମକର ସଂକ୍ରାନ୍ତି ତିଥିରେ ପ୍ରତିଷ୍ଠା ହେବ ରାମଲଲାଙ୍କ ବିଗ୍ରହ । ତାପରେ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ଦର୍ଶନ କରିପାରିବେ । ହଜାରେ ବର୍ଷେ ପର୍ଯ୍ୟନ୍ତ ଯେମିତି ମନ୍ଦିରର କିଛି କ୍ଷତି ନଘଟିବ ସେଭଳି ମଜଭୁତ ଭାବେ ନିର୍ମାଣ କରାଯାଉଛି । ଅଯୋଧ୍ୟା ଗସ୍ତ କରି ଦୀପାବଳି ପୂର୍ବ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣର ସମୀକ୍ଷା କରି ଏହାର ପ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ ।

ନିର୍ଦ୍ଧାରିତ ଯୋଜନା ମୁତାବକ ଆଗକୁ ବଢୁଛି ଅଯୋଧ୍ୟାର ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ । ଡିଜାଇନ୍ ଏମିତି ହୋଇଛି ଯେ, ରାମ ନବମୀରେ ରାମ ଲଲାଙ୍କ ବିଗ୍ରହ ଉପରେ ପଡ଼ିବ ସୂର୍ଯ୍ୟଙ୍କ କିରଣ । ଭୂମିକମ୍ପ ଆସିଲେ ବି କିଛି କ୍ଷତି ଘଟିବ ନାହିଁ । ମୁଖ୍ୟ ମନ୍ଦିରରେ ଆଦୌ ଲୁହା ବ୍ୟବହାର କରାଯାଇ ନାହିଁ । ପଥର ସହିତ ପଥର ଯୋଡ଼େଇ ପାଇଁ ବ୍ୟବହାର କରାଯାଉଛି ତମ୍ବା ପାତ । ମୁଖ୍ୟ ମନ୍ଦିରରେ ରହିବ ୩୯୨ଟି ପିଲର । କେବଳ ଗର୍ଭଗୃହରେ ୧୬୦ଟି ପିଲର ।

ମନ୍ଦିରର ଉଚ୍ଚତା ହେବ ୧୬୧ ଫୁଟ୍ । ମୁଖ୍ୟ ପ୍ରବେଶ ପଥ ସିଂହଦ୍ୱାର ସହିତ ରହିବ ୧୨ଟି ଦ୍ୱାର । ଗର୍ଭଗୃହରେ ଲାଗିବ ରାଜସ୍ଥାନର ଶଙ୍ଖ ମଲମଲ ମାର୍ବଲ । ମନ୍ଦିର ପରିସରର ପୁରା ୨.୭ ଏକରରେ ଲାଗିବ ରାଜସ୍ଥାନରୁ ଆସିଥିବା ଗ୍ରାନାଇଟ୍ । ୨୦୨୪ ମକର ସଂକ୍ରାନ୍ତିର ପବିତ୍ର ତିଥିରେ ରାମଲଲାଙ୍କ ବିଗ୍ରହ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି । ଠିକ୍ ସମୟରେ କାମ ସରିବ ବୋଲି ଆଶା ପ୍ରକାଶ କରିଛନ୍ତି ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ।

ରାମ ମନ୍ଦିର ଏତେ ଭବ୍ୟ ଓ ବିଶାଳ ହେବ ଯେ, ଏକା ବେଳେ ଲକ୍ଷାଧିକ ଲୋକ ଦର୍ଶନ କରିପାରିବେ । ସୂର୍ଯ୍ୟ ମନ୍ଦିର, ବିଷ୍ଣୁଙ୍କ ମନ୍ଦିର ସମେତ ପରିସରରେ ମୋଟ ୫ଟି ମନ୍ଦିର ରହିବ । ପୁରା ପ୍ରକଳ୍ପରେ ବଜେଟ୍ ହେଉଛି ୧୮ ଶହ କୋଟି ଟଙ୍କା । ରାମ ମନ୍ଦିର ଆନ୍ଦୋଳନ ବେଳେ ସାରା ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପଥର ଖଣ୍ଡ ମଧ୍ୟ ମନ୍ଦିରରେ ଲଗାଯାଉଛି । ୨୦୨୦ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ କରିଥିଲେ । ଏହା ପରଠୁ କାମ ଜୋରସୋରରେ ଚାଲିଛି ।