ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀର ଅଭାବ ମଧ୍ୟରେ ପନିପରିବା ମୂଲ୍ୟ ଆକାଶଛୁଆଁ ହୋଇଛି । ଖାଦ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ନିଜ ଓ ପରିବାର ପାଇଁ ପନିପରିବା ଚାଷ କରିବାକୁ ଦେଶର ନାଗରିକଙ୍କୁ ଅନୁରୋଧ କରିଛନ୍ତି ସରକାର । ତେବେଲୋକଙ୍କୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଛନ୍ତି । କୌଣସି ବ୍ୟକ୍ତି ପ୍ରାୟ ୫୦୫ ବର୍ଗ ମିଟର ଅଞ୍ଚଳରେ ପନିପରିବା ଚାଷ କଲେ ତାଙ୍କୁ ୫୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଛି । ସହ-କ୍ୟାବିନେଟର ମୁଖପାତ୍ର ତଥା ବୃକ୍ଷରୋପଣ ମନ୍ତ୍ରୀ ଡକ୍ଟର ରମେଶ ପଥିରାନା ଏହି ସୂଚନା ଦେଇଛନ୍ତି ।
ସର୍ବାଧିକ ଏକ ଏକର ପର୍ଯ୍ୟନ୍ତ ଜମିରେ ପନିପରିବା ଚାଷ କଲେ ସରକାର ୧୦ ହଜାର ଟଙ୍କା ଭତ୍ତା ପ୍ରଦାନ କରିବେ । ଶ୍ରୀଲଙ୍କାର ସଙ୍କଟଗ୍ରସ୍ତ କୃଷି କ୍ଷେତ୍ରରେ ଉତ୍ପାଦନ ଏବଂ ମୁଣ୍ଡପିଛା ଉପଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏପରି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି । ସଙ୍କଟ ସମୟରେ କିଛି ଜିନିଷର ମୂଲ୍ୟ ବୃଦ୍ଧି ପାଇଥିବା କହିଛନ୍ତି ମନ୍ତ୍ରୀ । ତେବେ ଏପରି ସମୟରେ ସମ୍ମାନର ସହିତ ସମସ୍ତ ଶ୍ରୀଲଙ୍କାବାସୀଙ୍କୁ ଏହି ସୁବିଧା ଗୁଡ଼ିକର ଉପଯୋଗ କରିବାକୁ ଅନୁରୋଧ କରାଯାଇଛି । କୃଷି ଏବଂ ଉତ୍ପାଦନ ବୃଦ୍ଧି ପାଇଁ ସରକାର ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି । ଏଥିପାଇଁ ସମସ୍ତ ଶ୍ରୀଲଙ୍କାବାସୀଙ୍କ ସକ୍ରିୟ ସହଯୋଗ ଲୋଡ଼ିଛନ୍ତି ସରକାର ।
ଦେଶରେ ସମ୍ପୂର୍ଣ୍ଣ ଜୈବିକ ଉପାୟରେ ଚାଷ କରାଯିବ ବୋଲି କିଛି ସମୟ ପୂର୍ବରୁ କହିଥିଲେ ଶ୍ରୀଲଙ୍କା ସରକାର । ତେବେ ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯାଇଥିଲା । ଏହା ଶ୍ରୀଲଙ୍କାର ଖାଦ୍ୟ ସଙ୍କଟକୁ ଆହୁରି ଗଭୀର କରିବ ବୋଲି ବିଶେଷଜ୍ଞ ଚେତାବନୀ ଦେଇଥିଲେ । ଖାଦ୍ୟ ସଙ୍କଟ ସମ୍ପର୍କରେ କିଛି ସରକାରୀ କର୍ମଚାରୀ ମଧ୍ୟ ସରକାରଙ୍କୁ ସତର୍କ କରାଇଥିଲେ, ପରେ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା।
ତେବେ ବର୍ତ୍ତମାନ ରାସାୟନିକ ସାର ଉପରେ ଥିବା ନିଷେଧାଦେଶକୁ ରଦ୍ଦ କରି କୃଷି ରସାୟନ ଆମଦାନୀକୁ ଅନୁମତି ଦିଆଯାଇଛି । ତଥାପି ଚାଷ ପାଇଁ ଦେଶରେ ସାର ମିଳୁନାହିଁ ।