ବିବାହ କଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସନ୍ଦୀପ ଓରଫ କାଲା ଜାଥେଡି । ଆଜି ରାଜସ୍ଥାନର ଲେଡି ଡନ୍ ଅନୁରାଧା ଚୌଧୁରୀକୁ ବିବାହ କରିଛି । ଅନୁରାଧାକୁ ଅପରାଧ ଦୁନିଆର ‘ରିଭଲଭର ରାଣୀ’ ବୋଲି କୁହାଯାଏ । ବିବାହ ପାଇଁ କାଲା ସନ୍ଦୀପ ଜେଲ୍ରୁ ପାରୋଲରେ ଆସିଛି । ଏଥି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି । ବିବାହ ପାଇଁ ତାକୁ ୧୨ ମାର୍ଚ୍ଚରେ ଦିଲ୍ଲୀରେ ଓ ୧୩ ମାର୍ଚ୍ଚରେ ହରିୟାଣାର ସୋନିପତରେ ଗୃହପ୍ରବେଶ ପାଇଁ ୬ ଘଣ୍ଟାର ପାରୋଲ ମଞ୍ଜୁର କରିଛନ୍ତି କୋର୍ଟ । ଏହି ସମୟ ମଧ୍ୟରେ ବି ସେ ପୋଲିସ ହେଫାଜତରେ ରହିବ ।
କେନ୍ଦ୍ରୀୟ ଏଜେନ୍ସି ସମେତ ୪ଟି ରାଜ୍ୟର ପୋଲିସ ମଧ୍ୟ ଗ୍ୟାଙ୍ଗଷ୍ଟରଙ୍କ ବିବାହ ଉପରେ ନଜର ରଖିଛନ୍ତି । କାଲି ସେ ସୋନିପତରେ ଘରେ ପ୍ରବେଶ ପାଇଁ ପାରୋଲ ମଧ୍ୟ ପାଇଛି । ସନ୍ଦୀପ ଏବଂ ତାର ଗର୍ଲଫ୍ରେଣ୍ଡକୁ ଜୁଲାଇ ୨୦୨୧ରେ ସାହାରନପୁରରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗିରଫ କରିଥିଲା । ସନ୍ଦୀପ ଉପରେ ୭ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତା’ ବିରୋଧରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନରେ ଅନେକ ମାମଲା ରୁଜୁ ହୋଇଛି ।
Also Read
ଲେଡି ଡନ୍ ଅନୁରାଧା ଏକଦା ରାଜସ୍ଥାନର କୁଖ୍ୟାତ ଡନ୍ ଆନନ୍ଦପାଲ ସହ ଜଡିତ ଥିଲା । ଆନନ୍ଦପାଲର ଏନକାଉଣ୍ଟର ପରେ ଅନୁରାଧା ସେହି ଗ୍ୟାଙ୍ଗ୍ ଚଳାଉଥିଲା । ପରେ ଅନୁରାଧା ସନ୍ଦୀପ ସହ କାମ କରିବା ଆରମ୍ଭ କରିଥିଲା । ବର୍ତ୍ତମାନ ଅନୁରାଧା ଜେଲରୁ ବାହାରି ସାରିଛି । ସୋନିପତରେ ସନ୍ଦୀପର ପରିବାର ସହ ରହୁଛି ।
୨୦୨୩ରେ ଅନୁରାଧା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଦେଇଥିଲା ଯେ ଏବେ ଅପରାଧ ସହ ତାର କୌଣସି ସମ୍ପର୍କ ନାହିଁ, ସେ କେବଳ ଜଣେ ଗୃହିଣୀ ଏବଂ ସନ୍ଦୀପର ଘର ସମ୍ଭାଳୁଛି । ଅନୁରାଧା ଏବେ ସାଧାରଣ ଜୀବନଯାପନ କରୁଛି ।
ଏବେ ଆସନ୍ତୁ ସନ୍ଦୀପ ବିଷୟରେ ଜାଣିବା...
ସନ୍ଦୀପର ପ୍ରକୃତ ନାଁ ହେଉଛି କାଲା ଜାଥେଡି ବା କାଲା । ସେ ହରିୟାଣାର ସୋନିପତର ବାସିନ୍ଦା । ତା’ ନାଁ ସହିତ ଜାଥେଡି କେବେ ଯୋଡ଼ି ହେଲା ତାହା ପୋଲିସ ମଧ୍ୟ ଜାଣି ନାହିଁ । କିନ୍ତୁ ପୋଲିସ ପାଖରେ ତାର ସବୁ କାଣ୍ଡ କାରନାମା ବା ଅପରାଧର ଲମ୍ବା ତାଲିକା ରହିଛି । କୁହାଯାଏ ଯେ କାଲା ଜାଥେଡି କେବେ ଭାରତରେ ତ କେବେ ଦୁବାଇରେ ଏବଂ କେବେ ମାଲେସିଆରେ ବସି ତାର ଗ୍ୟାଙ୍ଗ ଚଳାଉଥିଲା ।
ପୋଲିସର ରେକର୍ଡ ଅନୁଯାୟୀ, କିଛି ବର୍ଷ ପୂର୍ବେ କାଲା ଜାଥେଡିର ଦୋସ୍ତି କିଛି ବଦମାସଙ୍କ ସହ ହୋଇଥିଲା । ସେହି ସମୟରେ ତାର ଖର୍ଚ୍ଚ ମଧ୍ୟ ବଢ଼ିଥିଲା । ନିଜର ଖର୍ଚ୍ଚ ପାଇଁ ସେ ପିତାମାତାଙ୍କଠାରୁ ଟଙ୍କା ମାଗିଥିଲା, ହେଲେ ସେହି ଟଙ୍କା ତାକୁ ଅଣ୍ଟିନଥିଲା । ଯାହାଫଳରେ ସେ ଲୁଟ୍ପାଟ୍ କରିବା ଆରମ୍ଭ କରିଥିଲା । ତା’ ବିରୋଧରେ ପ୍ରଥମ ମାମଲା ଦିଲ୍ଲୀରେ ୨୯ ସେପ୍ଟେମ୍ବର ୨୦୦୪ରେ ରୁଜୁ ହୋଇଥିଲା ।