ଗୋଟିଏ ମଞ୍ଚରେ ବିଶ୍ୱର ସବୁ ମହାଶକ୍ତି; କୋଣାର୍କଚକ୍ର ସାମ୍ନାରେ ବିଶ୍ୱନେତାଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ବିଶ୍ୱମଞ୍ଚରେ ବିଶ୍ୱନେତାଙ୍କ ବିଶ୍ୱ ବିକାଶ ପାଇଁ ମହା ମନ୍ଥନ । ଜି-ଟ୍ୱେଣ୍ଟି ଶିଖର ସମ୍ମେଳନ ଦିଲ୍ଲୀରେ ମହାଶକ୍ତିଙ୍କ ମିଳନ ଭାରତ ପାଇଁ ଇଏ ସେହି ଐତିହାସିକ କ୍ଷଣ । ପ୍ରତି ଭାରତୀୟଙ୍କ ପାଇଁ ଇଏ ସେହି ଗର୍ବର ମୁହୂର୍ତ୍ତ ।

ବିଶ୍ୱମଞ୍ଚରେ ମହାମନ୍ଥନ

ନୂଆଦିଲ୍ଲୀ ଭାରତ ମଣ୍ଡପମର ଗୋଟିଏ ମଞ୍ଚରେ ବିଶ୍ୱର ସବୁ ମହାଶକ୍ତି । ପ୍ରଥମଥର ପାଇଁ ଭାରତର ଅଧ୍ୟକ୍ଷତାରେ ଆଜିଠୁ ଆରମ୍ଭ ହୋଇଛି ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ । ପ୍ରଥମ ଦିନରୁ ହିଁ ମିଳିଛି ବଡ଼ ସଫଳତା । ଜି-ଟ୍ୱେଣ୍ଟି ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ରକୁ ମଂଜୁରୀ ମିଳିବା ସହ ଭାରତର ପ୍ରସ୍ତାବ କ୍ରମେ ନୂଆ ସ୍ଥାୟୀ ସଦସ୍ୟଭାବେ ୫୫ ଦେଶ ବିଶିଷ୍ଟ ଆଫ୍ରିକାନ୍ ୟୁନିୟନକୁ ଜି-ଟ୍ୱେଣ୍ଟିରେ ସାମିଲ କରାଯାଇଛି ।

ବିଶ୍ୱମଞ୍ଚରେ ବିଶ୍ୱନେତାଙ୍କ ବିଶ୍ୱ ବିକାଶ ପାଇଁ ମହା ମନ୍ଥନ । ଜି-ଟ୍ୱେଣ୍ଟି ଶିଖର ସମ୍ମେଳନ ଦିଲ୍ଲୀରେ ମହାଶକ୍ତିଙ୍କ ମିଳନ ଭାରତ ପାଇଁ ଐତିହାସିକ କ୍ଷଣ । ପ୍ରତି ଭାରତୀୟଙ୍କ ପାଇଁ ଇଏ ସେହି ଗର୍ବର ମୁହୂର୍ତ୍ତ । ନମସ୍ତେ, ହ୍ୟାଣ୍ଡସେକ୍ ପୁଣି ଆଲିଙ୍ଗନ...ବିଶ୍ୱର ସବୁ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କୁ ଏକାଠି କରିବା ପୂର୍ବରୁ ଭାରତ ମଣ୍ଡପମରେ ଲାଗିଥିବା ଓଡ଼ିଶାର ଥାତି, ଗର୍ବ ଗୌରବ କୋଣାର୍କଚକ୍ର ପ୍ରତିକୃତି ସାମ୍ନାରେ ଜଣଙ୍କ ପରେ ଜଣେ ବିଶ୍ୱନେତାଙ୍କୁ ଏମିତି ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଏହାପରେ ଆରମ୍ଭ ହୋଇଥିଲା ଜି-ଟ୍ୱେଣ୍ଟି ସମ୍ମିଳନୀର ପ୍ରଥମ ଅଧିବେଶନ ୱାନ୍ ଆର୍ଥ ଅର୍ଥାତ୍ ଗୋଟିଏ ପୃଥିବୀ । ଦୁନିଆ ଆଗରେ ପ୍ରଥମଥର ପାଇଁ ଜି-ଟ୍ୱେଣ୍ଟି ଅଧ୍ୟକ୍ଷ ରାଷ୍ଟ୍ରର ମୁଖ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ଇଣ୍ଡିଆ ନୁହେଁ, ଥିଲା ଭାରତର ପରିଚୟ । ନିଜ ଅଧ୍ୟକ୍ଷ ଅଭିଭାଷଣରେ ବିଶ୍ୱର ତୁଙ୍ଗ ନେତାଙ୍କୁ ଉଦବୋଧନ ଦେଇ ମୋଦି କହିଥିଲେ କୋଭିଡ୍ ପରେ ବିଶ୍ୱରେ ଦେଖାଦେଇଥିବା ବିଶ୍ୱାସର ସଂକଟ ଯୁଦ୍ଧସ୍ଥିତିରେ ଆହୁରି ଗଭୀର ହୋଇଛି । ଯେଉଁ ସଂକଟକୁ ଆମକୁ ମିଳିମିଶି ଦୂର କରିବାକୁ ହେବ । ଏକବିଂଶ ଶତାଦ୍ଦୀ ବିଶ୍ୱକୁ ନୂଆ ଦିଶା ଦେବାର ସମୟ । ଏଥିପାଇଁ ସବ୍ କା ସାଥ୍, ସବ୍ କା ବିକାଶ, ସବ୍‌କା ବିଶ୍ୱାସ, ସବ୍ କା ପ୍ରୟାସର ମନ୍ତ୍ର ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ହୋଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସବୁଠୁ ବଡ଼ କଥା ହେଉଛି ନିଜ ଅଭିଭାଷଣରେ ଜି-ଟ୍ୱେଣ୍ଟିର ନୂଆ ସ୍ଥାୟୀ ସଦସ୍ୟ ଭାବେ ଆଫ୍ରିକାନ୍ ୟୁନିୟନ୍‌କୁ ଆମନ୍ତ୍ରିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସବୁ ସଦସ୍ୟ ରାଷ୍ଟ୍ରଙ୍କ ସହମତିରେ ତିନି ତିନି ଥର ଏମିତି ହାମର ପିଟି ମୋଦିଙ୍କ ଏ ଘୋଷଣା । ଆଉ ଠିକ୍ ତା’ ପରେ ପରେ ବିଶ୍ୱନେତାଙ୍କ ତାଳିର ଗର୍ଜନ ଭିତରେ ୫୫ ସଦସ୍ୟ ଦେଶ ବିଶିଷ୍ଟ ଆଫ୍ରିକାନ୍ ୟୁନିୟନର ଅଧ୍ୟକ୍ଷ ଅଜାଲି ଅସୌମାନିଙ୍କୁ ତାଙ୍କ ସିଟ୍‌କୁ ଆମନ୍ତ୍ରଣ କରିଥିଲେ ଭାରତର ପ୍ରତିରକ୍ଷାମନ୍ତ୍ରୀ ଏସ୍.ଜୟଶଙ୍କର । ଆଉ ଏତିକି ବେଳେ ଖୁସିରେ ଅଧ୍ୟକ୍ଷ ମୋଦିଙ୍କୁ ଆଲିଙ୍ଗନ କରି ପକାଇଥିଲେ ଅଜାଲି । ଜି-ଟ୍ୱେଣ୍ଟିରେ ଆଫ୍ରିକାନ୍ ୟୁନିୟନର ସାମିଲ ସହ ୧୯ ରାଷ୍ଟ୍ର ଓ ଦୁଇ ୟୁନିୟନ୍ ସହ ଏହାର ସ୍ଥାୟୀ ସଦସ୍ୟ ସଂଖ୍ୟା କେବଳ ୨୧ରେ ପହଞ୍ଚିନି, ବିଶ୍ୱର ୧୦୧ ରାଷ୍ଟ୍ର ଯାଏଁ ପରିବର୍ଦ୍ଧିତ ହୋଇଛି ।

ୱାନ୍ ଆର୍ଥ ପରେ ଅପରାହ୍ନରେ ଆୟୋଜିତ ୱାନ୍ ଫ୍ୟାମିଲି ବା ଗୋଟିଏ ପରିବାର ଶୀର୍ଷକ ଅଧିବେଶନରେ ଜି-ଟ୍ୱେଣ୍ଟିର ନୂଆଦିଲ୍ଲୀ ଘୋଷଣାନାମାକୁ ସବୁ ସଦସ୍ୟ ରାଷ୍ଟ୍ରଙ୍କ ସହମତି ମିଳିଥିବା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି, ୱାନ୍ ଫ୍ୟୁଚର । ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ। ନୂଆଦିଲ୍ଲୀ ଜି-ଟ୍ୱେଣ୍ଟିର ଏଇ ତିନିଟି ଅଧିବେଶନରୁ ଆଜି ଦୁଇଟି ସରିଥିଲାବେଳେ କାଲି ଅନ୍ତିମ ଦିନରେ, ଶେଷ ଅଧିବେଶନ ୱାନ୍ ଫ୍ୟୁଚରରେ ମାନସମନ୍ଥନ କରିବେ ବିଶ୍ୱନେତା ।