Delhi house Fire
ସବୁକିଛି ସାରିଦେଲା ସର୍ବଗିଳା ନିଆଁ । ଅଗ୍ନିକାଣ୍ଡରେ ଚାଲିଗଲା ଗୋଟିଏ ପରିବାରର ୪ଜଣଙ୍କ ଜୀବନ । ଚାହୁଁ ଚାହୁଁ ଛାରଖାର ହୋଇଗଲେ ପରିବାର । ମୃତ ୪ଜଣଙ୍କ ମଧ୍ୟରେ ଥିଲା ଜଣେ ୯ ମାସର ଶିଶୁ ।
ଗତ ଶୁକ୍ରବାର ଦିନ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ସଂଧ୍ୟା ସମୟରେ ଅଗ୍ନିକାଣ୍ଡ ଘଟିବା କାରଣରୁ ୪ ଜଣଙ୍କ ଜୀବନ ଯାଇଛି । ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ରାଜଧାନୀ ଦିଲ୍ଲୀର ଶହଦର ଅଞ୍ଚଳରେ ଏପରି ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାକୁ ନେଇ ଅଗ୍ନିଶମ ବିଭାଗର ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଶହଦର ଅଞ୍ଚଳରେ ଥିବା ଏକ ଘରେ ନିଆଁ ଲାଗିବା ନେଇ ଆମକୁ ସୂଚନା ଦିଆଯାଇଥିଲା । ସଂଧ୍ୟା ୫ଟା ୨୨ ମିନିଟ୍ରେ ଆମ ପାଖକୁ କଲ୍ ଆସିଥିଲା । ପରେ ପରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ବାହାରିଯାଇଥିଲେ ।
ସଂଧ୍ୟା ୬.୫୫ ମିନିଟ୍ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା । ହେଲେ ଘରର ତଳ ମହଲା ନିଆଁରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଘର ଭିତରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ପୋଲିସ ପକ୍ଷରୁ PCR ଯୋଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଜଣେ ଶିଶୁଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । କିପରି ଏତେବଡ଼ ଅଗ୍ନିକଣ୍ଡ ଘଟିଲା ସେନେଇ ପୋଲିସ ପଚାରାଉଚରା କରୁଛି । ମୃତକଙ୍କ ମଧ୍ୟରେ ୨ଜଣ ୨୮ ବର୍ଷୀୟ ଓ ୪୦ ବର୍ଷୀୟ ମହିଳା ଅଛନ୍ତି । ସେହିପରି ଜଣେ ୧୭ ବର୍ଷର ନାବାଳକ ଥିବାବେଳେ ଜଣେ ୯ ମାସର ଶିଶୁ କନ୍ୟାର ମଧ୍ୟ ମୃତ୍ୟୁ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706330347.jpg)