Advertisment

Flash Flood:ଉତ୍ତରାଖଣ୍ଡ ବିପର୍ଯ୍ୟୟର ନୂଆ ହଟସ୍ପଟ୍ ଧରାଲୀ ଗାଁ, ୫ ଜଣଙ୍କ ଜୀବନ ଯାଇଛି

ମାଟି ତଳୁ ଚାଲିଛି ଜୀବନ ଖୋଜା। ପଙ୍କ କାଦୁଆ ଭିତରେ ପରିବାରକୁ ଖୋଜୁଛନ୍ତି ଲୋକେ। ଚାରିଆଡେ ରଡି ଚିତ୍କାର। କାନ୍ଦ ବୋବାଳି। ପୋତି ହୋଇଛି ସହର, ଗାଁ ଗଣ୍ଡା। ବାଦଲଫଟା ବର୍ଷା ଓ ଫ୍ଲାସ୍‌ ଫ୍ଲଡ୍‌ ପରର ଇଏ ହେଉଛି ଭୟଙ୍କର ଦୃଶ୍ୟ। ଉତ୍ତରକାଶୀରୁ ଆସୁଛି ହାହାକାର ଚିତ୍ର। ଧରାଳିର ଧ୍ୱଂସଲୀଳାର ଏ ଦୃଶ୍ୟ ଦେଖିଲେ ଲୋମଟାଙ୍କୁରି ଉଠିବ।

ଅଦ୍ୟତନ ହୋଇଛି
Flash Flood

Flash Flood

Advertisment

କାଲି ଏଠି ସୁନ୍ଦର ଗାଁ ଟିଏ ଥିଲା... ଘରଦ୍ବାର ଥିଲା... ଲୋକବାକ ଥିଲେ...। ହେଲେ ଆଜି ସବୁକିଛି ନିଶ୍ଚିହ୍ନ... ଛାରଖାର। ୧୦-୨୦ ଫୁଟ୍ ମାଟି କାଦୁଅ ଓ ପଥର ତଳୁ କାଁ ଭାଁ ଦିଶୁଛି ମୁଣ୍ଡ ଟେକିଥିବା ଗୋଟେ ଅଧେ ଧ୍ବଂସାବଶେଷ। ଉତ୍ତରାଖଣ୍ଡ ବିପର୍ଯ୍ୟୟର ନୂଆ ହଟସ୍ପଟ୍ ଧରାଲୀ ଗାଁ। ଆଉ ଏ ବିଭୀଷିକାମୟ ଅଞ୍ଚଳ ହେଉଛି ଗାଁ ଦେଇ ବହିଥିବା କ୍ଷୀରଗଙ୍ଗା ନଦୀର ଅବବାହିକା। କାଲି ବାଦଲଫଟା ବର୍ଷା ଓ ଅଳ୍ପ କେଇ ସେକେଣ୍ଡ୍ ର ପ୍ରଳୟଙ୍କରୀ ପାହାଡ଼ି ବନ୍ୟା ଅଧାରୁ ଅଧିକ ଗାଁକୁ ସମ୍ପୂର୍ଣ୍ଣ ପୋଛି ନେଇଛି।

Advertisment

ଧୋଇଯାଇଛି ଗଙ୍ଗୋତ୍ରି ଯିବା ବାଟରେ ପଡ଼ୁଥିବା ହର୍ଷିଲ ଘାଟିର ଧରାଲୀ ଗାଁ। ଏଥିରେ ଅତି କମରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ, ଆର୍ମି କ୍ୟାମ୍ପର ୧୦ରୁ ଅଧିକ ସେନା ଯବାନଙ୍କ ସମେତ ପ୍ରାୟ ୬୦ ଜଣଙ୍କ ପତ୍ତା ମିଳୁନି। ନିଖୋଜଙ୍କ ମଧ୍ୟରେ କେରଳର ୨୮ ଜଣିଆ ପର୍ଯ୍ୟଟକ ଦଳ ବି ଅଛନ୍ତି। ପ୍ରାୟ ୨ଶହ ଜଣଙ୍କୁ ଉଦ୍ଧାର କରାଯାଇଛି।... 

ଯେଉଁ ବନ୍ୟା ଆଗରେ ଘର ଗାଁ ତିଷ୍ଠିଲାନି, ତା ଆଗରେ କାର୍ ଟିଏ ତ ଶୁଖିଲା ଘାସଠୁ ବି ହାଲୁକା। କିନ୍ତୁ ବିଚଳିତ କଲା ଭଳି କଥା ହେଉଛି, ଏହା ଭିତରେ ଲୋକ ଅଛନ୍ତି ବୋଲି ଭିଡିଓରେ କହୁଛନ୍ତି ପ୍ରତ୍ୟକ୍ଷଦର୍ଶୀ । ସେପଟେ ଟିହରି ଗଢ଼ୱାଲରେ ଭୂସ୍ଖଳନ ପରେ ଫସିଯାଇଥିବା ଗାଡ଼ି ଭିତରୁ ଲୋକଙ୍କୁ ଉଦ୍ଧାର କରିଛନ୍ତି ରେସ୍କ୍ୟୁଟିମ୍ । ସେନା, ଆଇଟିବିପି ଯବାନ, NDRF ଓ SDRF ଟିମ୍ ଉଦ୍ଧାର ଅଭିଯାନରେ ଲାଗିଛନ୍ତି।

Advertisment

ଡ୍ରୋନ୍ ସହାୟତାରେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ, ମାଟି ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର ପାଇଁ ରେକୋ ରାଡାର୍ ସହ ତିରଙ୍ଗା ମାଉଣ୍ଟେନ୍ ରେସ୍କ୍ୟୁଦଳକୁ ପଠାଇଛନ୍ତି କେନ୍ଦ୍ର ସରକାର। ହେଲେ ରେସ୍କ୍ୟୁ ଟିମ୍ ଆଗରେ ଏବେ ସତେ ଯେମିତି ଛିଡ଼ା ହୋଇଛି ସମସ୍ୟାର ପାହାଡ଼। କ୍ଷତିଗ୍ରସ୍ତ ହୋଇଛି ବିପଦ ବେଳର ଦୁଇ ଦୁଇଟି ଲାଇଫଲାଇନ୍। ଗୋଟିଏ ପଟେ ହର୍ଷିଲରେ ଥିବା ଏକମାତ୍ର ହେଲିପ୍ୟାଡ୍ ବୁଡ଼ି ଯାଇଛି, ଅନ୍ୟପଟେ ଗଙ୍ଗୋତ୍ରି ଓ ହର୍ଷିଲକୁ ଯୋଡ଼ୁଥିବା ଏକ ବେଲି ବ୍ରିଜ୍ ବନ୍ୟାରେ ଭାସିଯାଇଛି। ଫଳରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବାରେ ସମସ୍ୟା ଉପୁଜୁଛି ।

ଏନଡିଆରଏଫ୍ ଟିମ୍ ଜଙ୍ଗଲ ଓ ପାହାଡ଼ ରାସ୍ତା ହୋଇ ପାଦରେ ଚାଲିଚାଲି ବିଭିନ୍ନ ଅଞ୍ଚଳକୁ ଯାଉଥିବା ଦେଖିବାକୁ ମିଳିଛି । ରିଷିକେଶ-ଉତ୍ତରକାଶୀ ହାଇୱେ ସମେତ ସାରା ରାଜ୍ୟରେ ମୋଟ୍ ୧୬୩ଟି ରାସ୍ତାରେ ଭୂସ୍ଖଳନ ଯୋଗୁଁ ପ୍ରଭାବିତ ଅଞ୍ଚଳରେ ଗାଡ଼ି ଚଳାଚଳ ଠପ୍ ପଡ଼ିଛି। କ୍ଷୀରଗଙ୍ଗା ନଦୀର ବନ୍ୟାରେ କଳ୍ପ କେଦାର ମନ୍ଦିର ପୋତି ହୋଇଯାଇଛି। ଏପଟେ ରିଷିକେଶ ପରମାର୍ଥ ନିକେତନରେ ଶିବ ମୂର୍ତ୍ତିକୁ ଛୁଇଁ ବହୁଛି ଗଙ୍ଗାନଦୀର ପ୍ରଖର ସୁଅ ।... 

Advertisment

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଉତ୍ତରକାଶୀ ବନ୍ୟା ବିପର୍ଯ୍ୟୟକୁ ଆକାଶମାର୍ଗରୁ ଅନୁଧ୍ୟାନ କରିବା ସହ, ଧରାଲୀ ଗାଁକୁ ଯାଇ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଛନ୍ତି। ଘରଦ୍ବାର ଓ ପ୍ରିୟ ପରିଜନଙ୍କୁ ହରାଇଥିବା ଦୁଃସ୍ଥ ବିପନ୍ନଙ୍କୁ ଭେଟିବା ସହ, ଆହତ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ବି ବୁଝିଛନ୍ତି ଧାମି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ସିଏମ୍ ଧାମିଙ୍କ ସହ କଥା ହୋଇ ସ୍ଥିତି ସଂପର୍କରେ ଅବଗତ ହେବା ସହ, ବିପର୍ଯ୍ୟୟ ପ୍ରଶମନରେ କେନ୍ଦ୍ର ପକ୍ଷରୁ ପୂରା ସହାୟତା ରହିଛି ବୋଲି ଆଶ୍ବାସନା ଦେଇଛନ୍ତି।...

୨୦୧୩ କେଦାରନାଥ ଟ୍ରାଜେଡି ଓ ୨୦୨୧ ରିଷିଗଙ୍ଗା ଫ୍ଲାସଫ୍ଲଡ୍ ବିପତ୍ତି । ଏବର୍ଷ ପୁଣି ଧରାଲୀରେ ପ୍ରଳୟର ତାଣ୍ଡବ ଦେବଭୂମି ଉତ୍ତରାଖଣ୍ଡକୁ ଦୁର୍ବିପାକ ଭୂମିରେ ପରିଣତ କରିଛି । ଆଗାମୀ ୧୨ ଘଣ୍ଟା ପାଗ ବିଗିଡ଼ିବା ଆଶଙ୍କା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ, ସମୁଦ୍ର ପତ୍ତନରୁ ୮ହଜାର ୬ଶହ ଫୁଟ୍ ଉପରେ ଥିବା ଧରାଲୀ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Uttarakhand Uttarakhand Flash Floods
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ