• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ । ୟୁପିର ସାହାରନପୁରରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ଅଚାନକ ଅଗ୍ନିକାଣ୍ଡ ଘଟିଛି । ମେରଟର ଦୌରାଲା ଷ୍ଟେସନରେ ଅଚାନକ ଟ୍ରେନରେ ନିଆଁ ଲାଗିଯାଇଥିଲା । ଟ୍ରେନର ବ୍ରେକ୍ ଜାମ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ନିଆଁ ଲାଗିବା ଫଳରେ ଟ୍ରେନ ଇଞ୍ଜିନ୍ ସମେତ ଦୁଇଟି କୋଚରେ ପୋଡ଼ି ପାଉଁଶ ହୋଇଯାଇଛି ।

ଅନେକ ସମୟ ପୂର୍ବରୁ ଯାତ୍ରୀମାନେ କିଛି ଶବ୍ଦ ଶୁଣିବାକୁ ପାଇଥିଲେ । ନିଆଁ ଲାଗିବା ପରି ଦୁର୍ଗନ୍ଧ ମଧ୍ୟ ହେଉଥିଲା । ହେଲେ ଦୌରାଲା ଷ୍ଟେସନରେ ପହଞ୍ଚିବା ମାତ୍ରେ ଟ୍ରେନ୍‌ର ଇଞ୍ଜିନ ତଳେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଇଞ୍ଜିନ ନିକଟସ୍ଥ କୋଚରେ ଥିବା ଯାତ୍ରୀମାନଙ୍କ ପାଦ ତଳୁ ହଠାତ୍‌ ଧୂଆଁ ବାହାରିବାରେ ଲାଗିଲା । ଫଳରେ କୋଚରେ ବସିଥିବା ଲୋକ ଜୀବନ ବିକଳରେ କୋଚରୁ ବାହାରି ଧାଇଁବାରେ ଲାଗିଥିଲେ । କିଛି ଯାତ୍ରୀ ଦଉଡ଼ି ଯାଇ ଡ୍ରାଇଭରଙ୍କୁ ଏସମ୍ପର୍କରେ ଜଣାଇଥିଲେ । ଟ୍ରେନରେ ନିଆଁ ଲାଗିବା ମାତ୍ରେ ପଛ କୋଚରେ ଥିବା ଯାତ୍ରୀମାନେ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ ।

ସେପଟେ ଦେଖୁ ସେଖୁ ଖୁବ୍ ଶୀଘ୍ର ଇଞ୍ଜିନରେ ଲାଗିଥିବା ନିଆଁ ଭୟଙ୍କର ରୂପ ନେଇଥିଲା । ନିଆଁ ବଢ଼ିବାରେ ଲାଗିଲା । ଇଞ୍ଜିନର ନିଆଁ ସଂଲଗ୍ନ କୋଚକୁ ବ୍ୟାପି ଯାଇଥିଲା । ରେଳ ପ୍ରଶାସନ ଅଗ୍ନିଶମ ବାହିନୀକୁ ଖବର ଦେବା ବେଳକୁ ଇଞ୍ଜିନ ସମେତ ଦୁଇଟି କୋଚରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଶକ୍ତିଶାଳୀ ଥିଲା ଯେ କିଛି ସମୟ ମଧ୍ୟରେ ଉଭୟ କୋଚ୍ ପୋଡ଼ି ପାଉଁଶ ହୋଇଯାଇଥିଲା ।

ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଓ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ କିଛି ଯାତ୍ରୀଙ୍କ ସାହାଯ୍ୟରେ ଟ୍ରେନର ଅନ୍ୟ କୋଚଗୁଡ଼ିକୁ କାଟି ଅଲଗା କରାଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ ମୃତାହତଙ୍କ କୌଣସି ସୂଚନା ନାହିଁ ।