• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜୀବନରେ ସଫଳତା ହାସଲ ପାଇଁ ଜରୁରୀ ନୁହେଁ ସୁବିଧା ସୁଯୋଗ । ଅଭାବ, ଅସୁବିଧା ଭିତରେ ମଧ୍ୟ କିଛି ଲୋକ ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରୁଛନ୍ତି । ହେଲେ ଏଥିପାଇଁ ଦରକାର ପ୍ରବଳ ଇଚ୍ଛାଶକ୍ତି ଓ ଦୃଢ଼ ଆତ୍ମବିଶ୍ୱାସ । ଏପରି ଜଣେ ନିଆରା ବ୍ୟକ୍ତିତ୍ୱ ହେଲେ ବିହାରର ସାରଣ ଜିଲ୍ଲାର ପପୁ କୁମାର ଯାଦବ । ସେ ବର୍ତ୍ତମାନ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଅଭାବୀ ଘରର ପୁଅ ବିହାର ଜନସେବା ଆୟୋଗ (ବିପିଏସସି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନୂଆ ବାର୍ତ୍ତା ଦେଇଛନ୍ତି ।

ପପୁ କୁମାର ଯାଦବଙ୍କ ବାପା ମନୋଜ ରାୟ ଜଣେ ଚା’ ଦୋକାନୀ । ରେଲୱେ ଷ୍ଟେସନରେ ଚା ବିକ୍ରି କରନ୍ତି । ଯେତିକି ଆୟ ହୁଏ ସେତିକିରେ ଘର ଚଳାଇବା ସହ ପପୁଙ୍କର ପାଠ ପଢ଼ା ଖର୍ଚ୍ଚ ଉଠାଉଥିଲେ । ବେଳେବେଳେ ଖାତା, ପେନସିଲ୍‌ ବି କିଣିବାକୁ ପାଖରେ ଟଙ୍କା ରହୁନଥିଲା । ତଥାପି ଘରର ଏପରି ଆର୍ଥିକ ଅବସ୍ଥା ଭିତରେ ପପୁ  ଅଧାରୁ ପାଠ ଛାଡ଼ି ଦେଇନଥିଲେ । ନିଜ ସ୍ୱପ୍ନ ପୂରଣ କରିବାକୁ ଦିନରାତି କଠିନ ପରିଶ୍ରମ କରୁଥିଲେ । ପୁଅ ପାଇଁ ବାପା ମଧ୍ୟ ଖୁବ୍‌ ପରିଶ୍ରମ କରୁଥିଲେ । 

ପପୁଙ୍କୁ ମିଳିବ ଆରଡିଓ ପଦବୀ

ପପୁ କୁମାର ଯାଦବ ନିକଟରେ ବିପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଖବର ପାଇବା ପରେ ଘରେ ଖୁସିର ଲହରୀ ଖେଳିଯାଇଛି । ଗରିବ ବାପାର ପୁଅକୁ ସଫଳତା ମିଳିବା ପରେ ସାହିଭାଇ ସମସ୍ତେ ଖୁସି । ପପୁ କୁମାର ଯାଦବ ଦଶମ ପର୍ଯ୍ୟନ୍ତ ମଣ୍ଢୋରାରେ ପାଠ ପଢ଼ିଛନ୍ତି । ଏହା ପରେ ସେ ବାରାଣାସୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ, ପୋଷ୍ଟ ଗ୍ରାଜୁଏସନ ଏବଂ ପିଏଚଡି କରିଛନ୍ତି । ବର୍ତ୍ତମାନ ଗ୍ରାମ୍ୟ ଉନ୍ନୟନ ଅଧିକାରୀ (ଆରଡିଓ) ପଦରେ ପପୁ ଯାଦବଙ୍କୁ ନିଯୁକ୍ତି ମିଳିବ ।

ନିଜେ ପାଠ ପଢ଼ୁଥିଲେ ପପୁ

ପପୁ କୁମାର ଯାଦବଙ୍କ ଘରର ଅବସ୍ଥା ଆଦୌ ଭଲ ନଥିଲା । ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ସେ ଟିଉସନ୍‌ ପଢ଼ି ପାରୁନଥିଲେ । ନିଜେ ସେ ପାଠ ପଢ଼ିଛନ୍ତି । ପ୍ରାଥମିକ ଶିକ୍ଷା ଗ୍ରହଣ ପରେ ସେ ସ୍ନାତକୋତ୍ତର ପାଇଁ ସେ ବାରାଣାସୀ ଚାଲିଯାଇଥିଲେ । ହେଲେ ତାଙ୍କ ବାପା ସ୍ୱଳ୍ପ ଆୟ ଭିତରେ ଅଳ୍ପ କିଛି ଟଙ୍କା ହିଁ ପଠାଇ ପାରୁଥିଲେ । ତଥାପି ସେ କେବେ ମନଉଣା କରିନାହାନ୍ତି । ନିଜେ ପିଲାଙ୍କୁ ପାଠ ପଢ଼ାଇ ସେ ତାଙ୍କର ଅଧ୍ୟୟନ ଜାରି ରଖିଥିଲେ । ବର୍ତ୍ତମାନ ସେ ସଫଳତା ପାଇଛନ୍ତି । ତେବେ ଏଥିପାଇଁ ସେ ନିଜ ପରିବାରକୁ ସମସ୍ତ ଶ୍ରେୟ ଦେଇଛନ୍ତି ।