ରାଜ୍ୟର ଏକ ଚିଟଫଣ୍ଡ ସଂସ୍ଥା ଉପରେ ଇଡିର ବଡ଼ଧରଣର ଚଢ଼ାଉ । ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର, ଦିଗପହଣ୍ଡି ସମେତ ଓଡ଼ିଶାର ୧୦ଟି ସ୍ଥାନରେ ରେଡ୍ ଚାଲିଛି । ସଂସ୍ଥାର ନିର୍ଦ୍ଦେଶକ, ମ୍ୟାନେଜର ଓ କିଛି କାର୍ଯ୍ୟକର୍ତ୍ତାଙ୍କ ଘରେ ବି ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।
ପୂର୍ବରୁ ଡିସେମ୍ବର ୨୩ ତାରିଖରେ ଦେଢ଼ କୋଟି ଟଙ୍କା ଡିଜିଟାଲ ଚିଟଫଣ୍ଡ ସ୍କାମରେ ଜଣେ ଦୋଷୀକୁ ସଜ୍ଜା ମିଳିଥିଲା । ଡିଜିଟାଲ ରିଭ୍ୟୁଲୁସନ ଟେକ୍ନୋଲୋଜି ଲିମିଟେଡ ନିର୍ଦ୍ଦେଶକ ପ୍ରିନସ୍ କୁମାରକୁ ୭ ବର୍ଷ ଜେଲ ଦଣ୍ଡ ସହ ତିନି ଲକ୍ଷ ୩୩ ହଜାର ଟଙ୍କା ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ବାଲେଶ୍ୱର ଓପିଆଇଡି କୋର୍ଟ ଏହି ରାୟ ଶୁଣାଇବା ସହ ଫାଇନ ନଦେଲେ ଅନାଦେୟ ଆଉ ଗୋଟିଏ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ ।
Also Read
ଦୋଷୀ ବିରୋଧରେ ଆଇପିସିରେ ଠକେଇ, ଜାଲିଆତି, ଆଇ.ଟି ଆକ୍ଟ ସହ ଚିଟଫଣ୍ଡ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ପ୍ରିନସ ମେ’ ୨୦୨୨ରେ ଉତ୍ତର ପ୍ରଦେଶ ମଝୁରାରୁ ଗିରଫ୍ ହୋଇଥିଲା । ଜାମାକାରୀଙ୍କୁ ବିଭିନ୍ନ ସ୍କିମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଅର୍ଥ ହଡପ କରିଥିଲା ।
ଏହା ହେଉଛି ଓଡିଶାର ପ୍ରଥମ ଡିଜିଟାଲ ଟିଟପଣ୍ଡ ଠକେଇ, ଯେଉଁଥିରେ ଦଣ୍ଡ ବିଧାନ ହୋଇଛି । ମହାରାଷ୍ଟ୍ର, ବିହାର, ୟୁପି, ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡିଶା, ଛତିଶଗଡ ଜମାକାରୀଙ୍କୁ ଏହି ସଂସ୍ଥା ଚୁନ ଲଗାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା ।