ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ସଫା

ପୁଣି ଆଉ ଏକ ଷଡ଼ଯନ୍ତ୍ର ପଣ୍ଡ । ସିଧରାରେ ଲୁଚି ରହିଥିବା ତିନି ଆତଙ୍କବାଦୀଙ୍କୁ ନିପାତ କଲା ସେନା ।

Encounter in Jammu

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୩ ଆତଙ୍କବାଦୀ ନିପାତ । ଜମ୍ମୁ କାଶ୍ମୀରର ସିଧରାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଯାଇଛି ଆତଙ୍କବାଦୀଙ୍କ ଜୀବନ । ଏକ ଟ୍ରକ୍ ଯୋଗେ ଆସି ସିଧରାରେ ଏକ ଘରେ ଲୁଚି ରହିଥିଲେ ତିନି ଜଣ ଆତଙ୍କବାଦୀ । ଖବରପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ୍ । ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ ।

ଉଭୟ ପକ୍ଷରୁ ବେଶ୍‌ କିଛି ସମୟ ଧରି ଚାଲିଥିଲା ଗୁଳିଗୁଳା ବିନିମୟ । ଶେଷରେ ସେନାର ଜବାବରେ ଆତଙ୍କବାଦୀଙ୍କ ଜୀବନ ଯାଇଛି । ଏନକାଉଣ୍ଟର ସ୍ଥଳରୁ ୩ ଆତଙ୍କୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ନିକଟରୁ ଏକେ ସିରିଜର ୩ଟି ବନ୍ଧୁକ ଓ ବିସ୍ଫୋରକ ଜବତ ହୋଇଛି ।

ଅଧିକ ପଢ଼ନ୍ତୁ: 'ଭାରତୀୟ ଯବାନଙ୍କ ନାଁ ଶୁଣିଲେ ଡରନ୍ତି ଆତଙ୍କବାଦୀ'

ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ଖାନତଲାସି ଚାଲିଛି । ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରଖାଯାଇଛି । ଗତକାଲି ମଧ୍ୟ ଉଦାମପୁରରେ ଆତଙ୍କବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ୧୫ କେଜି ଓଜନର ଆଇଇଡିକୁ ନିଷ୍କ୍ରିୟ କରାଯାଇଥିଲା ।

ସେହିପରି ଦିନକ ପୂର୍ବରୁ ଜମ୍ମୁ-କଶ୍ମୀର ପୋଲିସ୍‌ ଓ ଭାରତୀୟ ସେନା ବଡ଼ଧରଣର ଆତଙ୍କୀ ହମଲା ଯୋଜନାକୁ ପଣ୍ଡ କରି ଦେଇଥିଲେ । ଜମ୍ମୁ-କଶ୍ମୀରର ଉଦ୍ଧମପୁରରେ ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣ କରିବାକୁ ଚାହୁଁଥିବା ବେଳେ ସୁରକ୍ଷାକର୍ମୀ ଏହାକୁ ଭଣ୍ଡୁର କରି ଦେଇଥିଲେ ।

ସିଲିଣ୍ଡର ଆକାରର ଆଇଡି, ୩୦୦ରୁ ୪୦୦ ଗ୍ରାମର ଆରଡିଏକ୍ସ, ୭ଟି ୭.୬୨ ଏମଏମର କ୍ୟାଟ୍ରିଜ୍‌ ଓ ୫ ଡିଟୋନେଟର ବସନ୍ତଗଡ଼ ଅଞ୍ଚଳରୁ ଠାବ କରି ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇଥିବା ପୋଲିସ୍‌ ପକ୍ଷରୁ କୁହାଯାଇଥିଲା ।