• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟଙ୍କା । ଏ ଟଙ୍କା ଆଗରେ ଆଜି ସବୁ ସମ୍ପର୍କ ତୁଚ୍ଛ । ବାପାମା’ଙ୍କ ପାଇଁ ପିଲାମାନେ ବି ବୋଝ । ସମସ୍ତେ ଯେପରି ଟଙ୍କା ପାଇଁ ପାଗଳ । କିପରି ଅଧିକ ରୋଜଗାର ହେବ ତଥା ଘରକୁ ଅଧିକ ଟଙ୍କା ଆସିବ, ସମସ୍ତେ ସେଥିପାଇଁ ତତ୍ପର । ହେଲେ କେହି ଜଣେ ଜୋରଜବରଦସ୍ତ କାହାକୁ ଟଙ୍କା ଦେଉଥିବା କଥା ଆପଣ ଶୁଣିଛନ୍ତି କି ? ବୋଧହୁଏ ନୁହେଁ, ହେଲେ ତାମିଲନାଡ଼ୁର ଏକ ବସ୍‌ ଭିତରେ ଏଭଳି ବିରଳ ଦୃଶ୍ୟ ଦେଖିବା ପାଇଁ ମିଳିଛି । ବସ୍‌ କଣ୍ଡକ୍ଟରକୁ ଟଙ୍କା ଦେବା ପାଇଁ ଜଣେ ବୃଦ୍ଧା  ଝଗଡ଼ା କରୁଥିବା ଦେଖିବାକୁ ମିଳୁଛି ।

ଟିକେଟ୍ କିଣିବା ପାଇଁ କଣ୍ଡକ୍ଟର ସହ ତୁତୁ ମେମେଁ

କଣ୍ଡକ୍ଟର ମାଗଣାରେ ବସରେ ଯାତ୍ରା ପାଇଁ କହୁଥିବା ବେଳେ ଟିକେଟ୍ କିଣିବା ପାଇଁ ବୃଦ୍ଧା ଜଣକ ତାଙ୍କ ସହ ଝଗଡ଼ା କରନ୍ତି । ସୋସିଆଲ ମିଡିଆରେ ମହିଳାଙ୍କ ଏପରି ଭିଡିଓ ଭାଇରାଲ ହେଉଛି । ତାମିଲନାଡୁର ଏକ ସରକାରୀ ବସ୍ ଭିତରେ ଜଣେ ମହିଳା ବସ୍ କଣ୍ଡକ୍ଟରଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି । ସାଧାରଣତ ବସ୍ କଣ୍ଡକ୍ଟର ସହିତ ଯାତ୍ରୀମାନେ ଅଧିକ ଟଙ୍କା ମାଗିବା ପରେ ଝଗଡ଼ା କରନ୍ତି । ହେଲେ ଏଠି କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ନୁହେଁ, କିନ୍ତୁ ଅବିଶ୍ୱସନୀୟ ।

ମାଗଣାରେ ଯାତ୍ରା କରିବା ପାଇଁ ମହିଳା ଜଣକ ଆଦୌ ରାଜି ନୁହଁନ୍ତି । ସେ ଟିକେଟ୍‌ ନେଇ ହିଁ ଯାତ୍ରା କରିବେ ବୋଲି କଣ୍ଡକ୍ଟରକୁ କୁହନ୍ତି । ଏପରି ଜଣେ ସଚ୍ଚୋଟ୍‌ ତଥା ସ୍ୱାଭିମାନୀ ମହିଳାଙ୍କୁ ଦେଖି କଣ୍ଡକ୍ଟର ବି ଚୁପ୍‌ । ସେ ତାଙ୍କୁ ଅନେକ ବାର ବୁଝାଇବାକୁ ଚେଷ୍ଟା ମଧ୍ୟ କରିଛନ୍ତି । ସରକାର ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା କରିଛନ୍ତି ।  ହେଲେ ମହିଳା ଜଣକ ମାନିବାକୁ ନାରାଜ । ଜୋରଜବରଦସ୍ତ ମହିଳା ଜଣକ ତାଙ୍କୁ ଟଙ୍କା ଧରାଇ ଦେଉଥିବା ଦେଖିବାକୁ ମିଳୁଛି ।

ଶେଷରେ କଣ୍ଡକ୍ଟର ଜଣକ ବୃଦ୍ଧ ମହିଳାଙ୍କ ସାମ୍ନାରେ ହାର ମାନନ୍ତି । ସେ ମହିଳାଙ୍କ ଠାରୁ ୧୫ ଟଙ୍କା ନେଇ ଟିକେଟ ଦିଅନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ସେହି ବୃଦ୍ଧଙ୍କ ଆତ୍ମସମ୍ମାନ ପାଇଁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

ସୂଚନାଯୋଗ୍ୟ ରାଜନୈତିକ ଦଳଗୁଡ଼ିକ ଯେତେବେଳେ ଭୋଟ୍ ପାଇଁ ଲୋକଙ୍କୁ ବିଭିନ୍ନ ପ୍ରକାର ସ୍କିମ୍‌ ଦ୍ୱାରା ଲୋଭାନ୍ୱିତ କରିବା ପାଇଁ ଚାହୁଁଛନ୍ତି, ସେତେବେଳେ ଏହି ସ୍ୱାଭିମାନୀ ମହିଳାଙ୍କ ସ୍ୱାଭିମାନ ଏହିପରି ନେତାଙ୍କ ନେତାଗିରିକୁ ଶକ୍ତ ଚାପୁଡ଼ା ସଦୃଶ ।