• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କୁକୁର ସମସ୍ତଙ୍କ ପ୍ରିୟ । ବର୍ତ୍ତମାନ ଯୁଗରେ କୁକୁରଙ୍କ ପାଇଁ ସମସ୍ତଙ୍କ ଦୁର୍ବଳତା ରହିଛି । ପ୍ରାୟତଃ ସମସ୍ତେ ଏବେ ଘରେ କୁକୁର ରଖିବାକୁ ପସନ୍ଦ କରୁଛନ୍ତି । କେବଳ ଘରେ ରଖୁନାହାନ୍ତି, ତାକୁ ବେଶ୍‌ ଲାଳନପାଳନ ସହ ପାଳୁଛନ୍ତି ମଧ୍ୟ । କୁକୁର ମଣିଷ ଭିତରେ ଥିବା ସମ୍ପର୍କ ବିଷୟରେ କିଏ ବା ଅଜଣା । ଗୁଜରାଟରେ ଏପରି ଏକ କାହାଣୀ ରହିଛି, ଯାହା ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇଛି ।

ଗୁଜରାଟର ବନସ୍କଣ୍ଠ ଜିଲ୍ଲା ପାଲନପୁର ବ୍ଲକ ଅନ୍ତର୍ଗତ କୁଶକଲ୍‌ ଗ୍ରାମରେ ପରମ୍ପରା ରହିଛି କି, ସମସ୍ତ ବୁଲା କୁକୁରଙ୍କୁ ବିଳାସପୂର୍ଣ୍ଣ ଜୀବନ ଉପଭୋଗ କରିବାକୁ ଦିଆଯାଇଥାଏ । ତାସାଙ୍ଗକୁ ତାଙ୍କୁ କୋଟିପତି ମଧ୍ୟ କରାଯାଇଥାଏ । ଗ୍ରାମବାସୀଙ୍କ କହିବାନୁସାରେ, ସେମାନଙ୍କର ପୂର୍ବପୁରୁଷମାନେ ଗାଁର ବୁଲା କୁକୁରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ସ୍ଥାପନ କରିଥିଲେ ଏବଂ ବିଶେଷକରି କୁକୁରମାନଙ୍କ ପାଇଁ ୨୦ ବିଘା କୃଷି ଜମି ବଣ୍ଟନ କରିଥିଲେ । ଏହି ଜମିର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ କୋଟିରୁ ଅଧିକ ଅଟେ ।

ବାସ୍ତବରେ ଜମି କୁକୁରଙ୍କ ନାମରେ ରେଜିଷ୍ଟର ନଥିଲେ ମଧ୍ୟ ଜମିରୁ ଆଦାୟ ହେଉଥିବା ସମସ୍ତ ରାଜସ୍ୱ କୁକୁରଙ୍କ ପାଇଁ ଖର୍ଚ୍ଚ ହୋଇଥାଏ । ସୂଚନା ମୁତାବକ ଗାଁର ଗୋଟିଏ ବି କୁକୁରକୁ ଖାଲି ପେଟରେ ରଖିବାକୁ ଦିଆଯାଏନାହିଁ । ସେହି ଅଞ୍ଚଳରେ ପ୍ରାୟ ୧୫୦ରୁ ଅଧିକ ବୁଲା କୁକୁର ରହିଛନ୍ତି । ସେମାନଙ୍କୁ ପ୍ରତିଦିନ ଲଡ଼ୁ ମଧ୍ୟ ଖାଇବାକୁ ଦିଆଯାଇଥାଏ ।

ଗାଁରେ ମୋଟ୍‌ ୭୦୦ ଲୋକ ରୁହନ୍ତି ଏବଂ ପ୍ରାୟ ସମସ୍ତେ ଚୌଧରୀ ସମ୍ପ୍ରଦାୟର । ସ୍ୱାଧିନତା ପୂର୍ବରୁ ପାଲନପୁର ଗ୍ରାମକୁ ନବାବ ମାନେ ରାଜୁତି କରୁଥିଲେ । ନବାବ ରାଜା ମଧ୍ୟ ଗ୍ରାମବାସୀଙ୍କୁ ରହିବା ପାଇଁ ଜମି ପ୍ରଦାନ କରିଥିଲେ । ସେ ସମୟରେ କୁକୁରଙ୍କ ରକ୍ଷଣାବେକ୍ଷଣା ପାଇଁ ସେ ୨୦ ବିଘା ଜମି କୁକୁରଙ୍କ ନାଁରେ ଆବଣ୍ଟନ କରିଥିଲେ । ସେବେଠାରୁ ଏପର୍ଯ୍ୟନ୍ତ ସେହି ଜମିରୁ ଆଦାୟ ହେଉଥିବା ସମସ୍ତ ରାଜସ୍ୱ କୁକୁରଙ୍କ ପ୍ରତି ଖର୍ଚ୍ଚ ହେଉଛି । ଗ୍ରାମର ସମସ୍ତ ଲୋକ ଏବେ ଯାଏଁ ମଧ୍ୟ ସେହି ପରମ୍ପରାକୁ ମାନି ଆସୁଛନ୍ତି ।

ଗ୍ରାମବାସୀ ଏକ ସ୍ୱତନ୍ତ୍ର ସ୍ଥାନ ନିର୍ମାଣ କରିଛନ୍ତି ଯେଉଁଠାରେ କୁକୁରମାନଙ୍କୁ ଖାଇବାକୁ ଦିଆଯାଉଛି । ଖାଦ୍ୟ ପ୍ରସ୍ତୁତ କରିବା ଏବଂ ସେମାନଙ୍କୁ ଦେବା ପାଇଁ ସ୍ୱତନ୍ତ୍ର ବାସନ ମଧ୍ୟ କିଣାଯାଇଛି । ଗାଁର ପ୍ରତିଟି ଲୋକ ସର୍ବଦା ସଜାଗ ରହିଥାନ୍ତି, ଯେପରିକି କୁକୁରଙ୍କୁ ସୁଷମ ଖାଦ୍ୟ ଦିଆଯିବ । ପ୍ରତ୍ୟେକ ପରିବାର ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । ସମସ୍ତଙ୍କ ମନରେ ପଶୁମାନଙ୍କ ପ୍ରତି ଭଲ ପାଇବା, ଉଦାର ପଣିଆ ରହିବା, ପଶୁପ୍ରେମୀ ମନୋଭାବ ଜାଗରଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।