Advertisment

ପଦ୍ମ ବିଜେତାଙ୍କ ପ୍ରେରଣାଦାୟୀ କାହାଣୀ, ଖୋଜି ଖୋଜି ବିରଳ କୃତିତ୍ୱଙ୍କୁ ପଦ୍ମ ସମ୍ମାନ

ଆସାମର ହସ୍ତିକନ୍ୟା ପାର୍ବତୀଙ୍କୁ ବି ମିଳିଲା ପଦ୍ମଶ୍ରୀ । ଓଡ଼ିଶାର ଗୁରୁ ବିନୋଦ ଓ ଭାଗବତଙ୍କ ସାଧନାକୁ ମିଳିଛି ସ୍ୱୀକୃତି ।

author-image
Satyendu Shekher Mishra
undefined

Padma Awards

ଅନନ୍ୟ ସାଧନାକୁ ସମ୍ମାନ, ଅତୁଳନୀୟ ଅବଦାନକୁ ସ୍ୱୀକୃତି । ରାଷ୍ଟ୍ରପତି ଭବନରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ସାରା ଦେଶ ସାମ୍ନାକୁ ଆସଛି ଅନେକ ଅସାଧାରଣ ଅଥଚ ସ୍ୱଳ୍ପ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ଉଲ୍ଲେଖନୀୟ ଅବଦାନ। ଏହି ଅବସରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ୨ ଓଡ଼ିଆ ଓ ଜଣେ ଦିବ୍ୟାଙ୍ଗ ପଦ୍ମଶ୍ରୀ ବିଜେତା।

Advertisment

୧୧ ମାସର ହୋଇଥିଲେ... ଦିବ୍ୟାଙ୍ଗ କରିଦେଲା ଦୁରାରୋଗ୍ୟ 'ପୋଲିଓ'। ହେଲେ ଗୋଡ଼ ନା କେବେ ଚାଲିବା ଛାଡ଼ିଛି, ନା କେବେ କମାଲ୍ କରିବା ଭୁଲିଛି ଅଧାଗଢ଼ା ହାତ। ସେ ହେଉଛନ୍ତି ବେଙ୍ଗଳୁରୁର ଡକ୍ଟର କେ.ଏସ୍. ରାଜନ୍ନା। ଜଣେ ମେକାନିକାଲ୍ ଇଞ୍ଜିନିୟର, ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା, ଦିବ୍ୟାଙ୍ଗ ସମାଜସେବୀ, ଦିବ୍ୟାଙ୍ଗଙ୍କ ପାଇଁ ଷ୍ଟେଟ୍ କମିଶନର ଏବଂ ଏବେ ପଦ୍ମଶ୍ରୀ ବିଜେତା। ରାଜନ୍ନାଙ୍କ ନାଁ ଘୋଷଣା ହେବା ପରେ କରତାଳିରେ ଗୁଞ୍ଜରିତ ହୋଇଥିଲା ରାଷ୍ଟ୍ରପତି ଭବନର ଦରବାର ହଲ୍।

ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାତ ମିଳାଇ କୃତଜ୍ଞତା ଜଣାଇଥିଲେ ରାଜନ୍ନା । ଏହାପରେ ରାଷ୍ଟ୍ରପତିଙ୍କ ଆସନ ନିକଟକୁ ଯାଇ ଭୂମିଷ୍ଠ ପ୍ରଣାମ କରିବା ସହିତ, ଗ୍ରହଣ କରିଥିଲେ ପଦ୍ମଶ୍ରୀ ସମ୍ମାନ। ନିଜ ସଂସ୍ଥାରେ ଶତାଧିକ ଦିବ୍ୟାଙ୍ଗଙ୍କୁ କାମ ଯୋଗାଇ ସ୍ୱାବଲମ୍ବୀ କରିଛନ୍ତ କେ.ଏସ୍. ରାଜନ୍ନା।

Advertisment

ଫ୍ରାନ୍ସର ୧୦୧ ବର୍ଷୀୟ ଚାର୍ଲୋଟ ଚୋପିନ। ଜଣେ ବିଦେଶିନୀ ହୋଇ ମଧ୍ୟ ଯୋଗରେ ସାଧନା ପାଇଁ ତାଙ୍କୁ ମିଳିଛି ଭାରତର ଚତୁର୍ଥ ବେସାମରିକ ସମ୍ମାନ ପଦ୍ମଶ୍ରୀ । ବୟସ ୫୦ ଟପିବା ପରେ ଯୋଗ ପ୍ରେମରେ ପଡ଼ଥିଲେ ଚାର୍ଲୋଟ୍। ଆଉ ପରିଣତ ବୟସରେ ବି ଫ୍ରାନ୍ସରେ ଯୁବପୀଢ଼ିଙ୍କୁ ଦେଉଛନ୍ତି ଯୋଗଶିକ୍ଷା । ଗତବର୍ଷ ପ୍ୟାରିସ ଗସ୍ତ ଅବସରରେ ତାଙ୍କୁ ସାକ୍ଷାତ କରି ଖୁବ୍ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଆଉ ଜଣେ ଅନନ୍ୟ ପଦ୍ମଶ୍ରୀ ବିଜେତା ସତ୍ୟନାରାୟଣ ବେଲେରି । ତାଙ୍କୁ ଆପଣ କହିପାରନ୍ତି, କେରଳର କମଳା ପୂଜାରୀ। ସତ୍ୟନାରାୟଣଙ୍କର ବି ପାରଂପରିକ ଧାନ ଚାଷ କ୍ଷେତ୍ରରେ ରହିଛି ଅତୁଳନୀୟ ଅବଦାନ । ଜଣେ କ୍ଷୁଦ୍ର ଚାଷୀ ହେଲେ ବି ପ୍ରାୟ ୬୫୦ ପ୍ରାଚୀନ ଧାନ ବିହନକୁ ସଂରକ୍ଷଣ କରିବାରେ ସେ ସଫଳ ହୋଇଛନ୍ତି ।

ପଦ୍ମ ପୁରସ୍କାର ସମାରୋହରେ ଦୁଇ ଓଡ଼ିଆଙ୍କ ଅବଦାନକୁ ବି ମିଳିଛି ସମ୍ମାନ ଓ ସ୍ୱୀକୃତି । କଳାକ୍ଷେତ୍ରରେ ପଦ୍ମଶ୍ରୀ ପାଇଛନ୍ତି ଖୋର୍ଦ୍ଧାର ୭୮ ବର୍ଷୀୟ ବିଶିଷ୍ଟ ପଟ୍ଟଚ୍ଚିତ୍ର ଶିଳ୍ପୀ ତଥା ଗୁରୁ ବିନୋଦ ମହାରଣା। ପଟ୍ଟଚିତ୍ର ଏବଂ ତାଳପତ୍ରରେ ପାରମ୍ପରିକ ଓ ପୌରାଣିକ କଥାବସ୍ତୁ ଖୋଦେଇରେ ସେ ସିଦ୍ଧହସ୍ତ ।

ଥର ଥର ହାତ, ଦୁର୍ବଳ ଶରୀର। ହେଲେ ଏହି ଅଶୀତପର ବୟୋବୃଦ୍ଧଙ୍କ ସାଧନା ଖୁବ୍ ନିଆରା । ସେ ହେଉଛନ୍ତି ବରଗଡ଼ କୁମ୍ଭାରୀ ଗାଁର ୮୫ ବର୍ଷୀୟ ବିଶିଷ୍ଟ ନୃତ୍ୟଗୁରୁ ଭାଗବତ ପଧାନ। ମହାଦେବଙ୍କ ନୃତ୍ୟ ଭାବେ ପରିଚିତ ‘ଶବ୍ଦ ନୃତ୍ୟ କ୍ଷେତ୍ରରେ ୫ ଦଶନ୍ଧିର ସାଧନା ଏବଂ ଏହି ପ୍ରାଚୀନ କଳାର ସଂରକ୍ଷଣ ପାଇଁ ଅବଦାନକୁ ମିଳିଛି 'ପଦ୍ମଶ୍ରୀ' ସ୍ୱୀକୃତି ।

ଅନ୍ୟ ପ୍ରମୁଖ ପଦ୍ମଶ୍ରୀ ବିଜେତାଙ୍କ ମଧ୍ୟରେ ଅଛନ୍ତି-ହସ୍ତୀକନ୍ୟା ଭାବେ ପରିଚିତ ଆସାମର ପ୍ରଥମ ମହିଳା ମାହୁନ୍ତ ପାର୍ବତୀ ବରୁଆ, ପ୍ରାକୃତିକ କୃଷି ଓ ଜିରୋ ଏନର୍ଜି ଇରିଗେସନ ସିଷ୍ଟମ ପାଇଁ ଗୋଆର ସଞ୍ଜୟ ପାଟିଲ, ସିକ୍କିମର ବାଉଁଶ& କାରିଗର ଜୋର୍ଡାନ ଲେପ୍ଚା, କ୍ରୀଡ଼ା କ୍ଷେତ୍ରରେ ସ୍କ୍ୱାସ୍ ଖେଳାଳି ଜ୍ୟୋତ୍ସ୍ନା ଚିନ୍ନାପା ପ୍ରମୁଖ।

Padma Awards
Advertisment
Advertisment