୫୦୦ ଟଙ୍କା ନେଇ ଭାରତ ଫେରିଥିଲେ ଧୀରୁଭାଇ ଅମ୍ବାନୀ, ଆଉ ଏବେ...

ଭଲ ରୋଜଗାର ଆଶାରେ, ଧୀରୁଭାଇ ୟେମେନର ଆଡେନକୁ ଯାଇଥିଲେ । ସେଠାରେ ସେ ଏ. ବେସେ ଆଣ୍ଡ୍ କମ୍ପାନୀ ପାଇଁ ଏକ ଗ୍ୟାସ୍ ଷ୍ଟେସନ୍ ଆଟେଣ୍ଡାଣ୍ଟ୍‌ ଭାବରେ କାର୍ଯ୍ୟ କରିଥିଲେ। ଯେଉଁଠାରେ ସେ ମାସକୁ ଦରମା ବାବଦକୁ ମାତ୍ର ୩୦୦ ଟଙ୍କା ପାଉଥିଲେ ।

Reliance

ମୁକେଶ ଅମ୍ବାନୀଙ୍କ ପିତା ଧୀରୁଭାଇ ଅମ୍ବାନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରୀର ପ୍ରତିଷ୍ଠାତା । ଏହି କମ୍ପାନୀ ଆଜି ଦେଶର ସର୍ବବୃହତ୍ତ କମ୍ପାନୀ ମଧ୍ୟରୁ ଅନ୍ୟତମ । କିନ୍ତୁ ଏହି କମ୍ପାନୀକୁ କେମିତି ଆରମ୍ଭ କରିଥିଲେ ଧୀରୁଭାଇ ଅମ୍ବାନୀ । ତାହା ବୋଧେ ବହୁତ କମ୍‌ ଲୋକ ଜାଣିଥିବେ । ଦିନେ ମାତ୍ର ୫୦୦ ଟଙ୍କା ନେଇ ଭାରତ ଆସିଥିବା ଧୀରୁଭାଇ ଅକ୍ଲାନ୍ତ ପରିଶ୍ରମ କରି ରିଲାଏନ୍ସ ଭଳି ଏକ କମ୍ପାନୀ ଛିଡ଼ା କରିପାରିଛନ୍ତି ।

୧୯୩୨ ମସିହା ଡିସେମ୍ବର ୨୮ । ଗୁଜରାଟର ଜୁନାଗଡ଼ ଜିଲ୍ଲାର ଚୋରୱାଡ୍‌ ନାମକ ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ ଧୀରୁଭାଇ ଅମ୍ବାନୀ । ଆର୍ଥିକ ସଙ୍କଟ ହେତୁ ତାଙ୍କୁ ହାଇସ୍କୁଲ ପଢ଼ାକୁ ଅଧାରେ ଛାଡ଼ିବାକୁ ପଡ଼ିଥିଲା । ହାଇସ୍କୁଲ ପାଠ ଅଧାରୁ ଛାଡ଼ି ସେ ପ୍ରଥମେ ପକୋଡା ବିକ୍ରି କରିଥିଲେ ।

ତେବେ ଭଲ ରୋଜଗାର ଆଶାରେ, ଧୀରୁଭାଇ ୟେମେନର ଆଡେନକୁ ଯାଇଥିଲେ । ସେଠାରେ ସେ ଏ. ବେସେ ଆଣ୍ଡ୍ କମ୍ପାନୀ ପାଇଁ ଏକ ଗ୍ୟାସ୍ ଷ୍ଟେସନ୍ ଆଟେଣ୍ଡାଣ୍ଟ୍‌ ଭାବରେ କାର୍ଯ୍ୟ କରିଥିଲେ। ଯେଉଁଠାରେ ସେ ମାସକୁ ଦରମା ବାବଦକୁ ମାତ୍ର ୩୦୦ ଟଙ୍କା ପାଉଥିଲେ । ଆଠ ବର୍ଷର ପରିଶ୍ରମ ପରେ ସେ ୧୯୫୮ ମସିହାରେ ମାତ୍ର ୫୦୦ ଟଙ୍କା ନେଇ ଭାରତ ଫେରିଥିଲେ । ଏହି ଅଳ୍ପ ପରିମାଣରେ ସେ ତାଙ୍କ ସମ୍ପର୍କୀୟ ଚମ୍ପକଲାଲ ଦାମାନୀଙ୍କ ସହ 'ମାର୍ଜିନ' ନାମକ ଏକ ଟେକ୍ସଟାଇଲ୍‌ ଟ୍ରେଡିଂ କମ୍ପାନୀ ଆରମ୍ଭ କରିଥିଲେ ।

୧୯୬୦ରେ ଧୀରୁଭାଇ ଏକ ସାହସିକ ପଦକ୍ଷେପ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ପ୍ରତିଷ୍ଠା କରିଥିଲେ । ରିଲାଏନ୍ସର ଆରମ୍ଭ ମୁମ୍ବାଇର ଏକ ଛୋଟ ଟେକ୍ସଟାଇଲ୍ କାରଖାନାରୁ ଆରମ୍ଭ ହୋଇଥିଲା। କିନ୍ତୁ ଧୀରୁଭାଇଙ୍କ ଦକ୍ଷ ନେତୃତ୍ୱରେ ଏହା ଶୀଘ୍ର ବଜାରର ଏକ ପ୍ରମୁଖ କମ୍ପାନୀ ଭାବେ ପରିଗଣିତ ହୋଇଯାଇଥିଲା ।

ଏହାପରେ ୧୯୭୭–୭୮ ମସିହାରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ୧୦୦୦ ଟଙ୍କା ମୂଲ୍ୟରେ ଏକ IPO ଜାରି କରିଥିଲା । ତେବେ ଏହି IPOରେ ନିବେଶ କରିଥିବା ନିବେଶକଙ୍କ ମୂଲ୍ୟରେ ଏକ ଅଦ୍ଭୁତପୂର୍ବ ବୃଦ୍ଧି ଦେଖିବାକୁ ମିଳିଛି । ୩୮ ତମ ବାର୍ଷିକ ସାଧାରଣ ବୈଠକ ମଧ୍ୟରେ ଏହି କମ୍ପାନୀର ପୁଞ୍ଜି ବିନିଯୋଗ ବୃଦ୍ଧି ପାଇ ୭ ଲକ୍ଷ ୭୮ ହଜାର କୋଟି ଟଙ୍କା ହୋଇସାରିଛି । ତେବେ ଆଜିକା ଦିନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୫୧୭୯୫ କୋଟି ଟଙ୍କା ବଜାର ପୁଞ୍ଜି ସହିତ ଭାରତର ସବୁଠାରୁ ବଡ଼ କମ୍ପାନୀ ।