• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଦିନକୁ ଦିନ ଝିଅଙ୍କ ପାଇଁ ଅଧିକ ଅସୁରକ୍ଷିତ ହୋଇଯାଉଛି ରାଜଧାନୀ । ଦିଲ୍ଲୀର କେଣ୍ଟ ଅଞ୍ଚଳର ନାଙ୍ଗାଲ ଗ୍ରାମରେ ଜଣେ୯ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଶବ ଦାହ କରିବା ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବୁଧବାର ସକାଳେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ।  ପୀଡିତାଙ୍କ ପରିବାରକୁ ଭେଟିବା ପରେ ରାହୁଲ ଗାନ୍ଧୀ କହିଛନ୍ତି, ଯେପର୍ଯ୍ୟନ୍ତ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିନି, ସେତେବେଳ ପର୍ଯ୍ୟନ୍ତ ଆମେ ସାଙ୍ଗରେ ଅଛୁ । ଏହାପୂର୍ବରୁ ମଙ୍ଗଳବାର ଦିନ ବିଭିନ୍ନ ଦଳର ନେତା ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ସେଠାରେ ପହଞ୍ଚିଥିଲେ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପୀଡିତାଙ୍କ ପରିବାରକୁ ଭେଟିବେ ବୋଲି ସୂଚନା ମିଳିଛି । ଏହି ମାମଲାରେ ଅଭିଯୁକ୍ତ ପୂଜାରୀଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ୍ ।

ମଙ୍ଗଳବାର ଦିନ ଭୀମ ଆର୍ମିର ଚନ୍ଦ୍ରଶେଖର ଆଜାଦ ଏବଂ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଅନିଲ ଚୌଧୁରୀ ମଧ୍ୟ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ । ତେବେ ନେତାମାନଙ୍କୁ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ପ୍ରସଙ୍ଗକୁ ରାଜନୀତିକରଣ କରାଯାଉଥିବା ଅଭିଯୋଗ କରି ଆପତ୍ତି କରିଥିଲେ ସ୍ଥାନୀୟ ଲୋକ । ପୀଡିତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ସେ ସବୁ କିଛି କରିବେ ବୋଲି ଚନ୍ଦ୍ରଶେଖର ଆଜାଦ କହିଛନ୍ତି । ସେ କହିଛନ୍ତି ରାଜଧାନୀ ଦିଲ୍ଲୀରେ ଝିଅମାନେ ସୁରକ୍ଷିତ ନୁହଁନ୍ତି । ତେଣୁ ଦେଶର ଅନ୍ୟ ଅଞ୍ଚଳର କଥା ନକହିବା ଭଲ । ଦିଲ୍ଲୀରେ ମହିଳା ସୁରକ୍ଷା ନାଁରେ ସଚେତନତା ବାର୍ତ୍ତା ଦିଅଯାଉଛି, କିନ୍ତୁ ଘର ବାହାରେ ଝିଅ ଅସୁରକ୍ଷିତ । ଦୁଷ୍କର୍ମ ପରେ ମୃତଦେହକୁ ପ୍ରମାଣ ଲିଭାଇବା ଉଦ୍ଦେଶ୍ୟରେ ଶବଦାହ କରିବା ପରି ଘଟଣା ବେଶ୍ ମାରାତ୍ମକ । ପୀଡିତାଙ୍କ ପରିବାର ପାଇଁ ନ୍ୟାୟ ଦାବି କରିଛନ୍ତି ଚନ୍ଦ୍ରଶେଖର ଆଜାଦ ।

ସୂଚନା ଅନୁସାରେ ଦିଲ୍ଲୀ କ୍ୟାଣ୍ଟ ଅଞ୍ଚଳରେ ଏକ ନିରୀହ କୁନି ଝିଅକୁ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି । ଏହାସହ ପରିବାର ଲୋକଙ୍କୁ ନ ଜଣାଇ ତା’ର ଶବଦାହ ମଧ୍ୟ କରିଦେଇଛନ୍ତି ଅଭିଯୁକ୍ତ । ଏହି ଘଟଣାକୁ ବିରୋଧ କରି କିଛି ସ୍ଥାନୀୟ ଲୋକ ଶବଦାହ ବାହାରେ ବିରୋଧ ପ୍ରଦର୍ଶନ କରି ଆନ୍ଦୋଳନ ଆରମ୍ଭ କରିଥିଲେ । ତେବେ ଏହି ମାମଲାରେ ଅଭିଯୁକ୍ତ ପୁରୋହିତଙ୍କ ସମେତ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି । ଦିଲ୍ଲୀ ପୋଲିସ ଅନୁସାରେ ବାପାମା’ଙ୍କ ବିନା ଅନୁମତିରେ ରବିବାର ରାତିରେ ଓଲ୍ଡ ନାଙ୍ଗାଲରେ ପୀଡ଼ିତାଙ୍କ ଶବଦାହ କରାଯାଇଛି । ମା’ଙ୍କ ବୟାନ୍ ଆଧାରରେ ଏକ ମାମାଲା ରୁଜୁ କରାଯାଇ ଶ୍ମସାନଘାଟର ପୂଜାରୀଙ୍କୁ ଗିରଫ କରାଯାଇଥିଲା ।