ଅଧିକ ସମୟ କାମ କଲେ ମିଳିବ ଡବଲ୍‌ ଦରମା : ସରକାରଙ୍କ ବଡ଼ ନିଷ୍ପତ୍ତି

ଓଭରଟାଇମ୍ କଲେ, ନିଜ ପରିଶ୍ରମର ସମ୍ପୂର୍ଣ୍ଣ ଲାଭ ପାଇବେ କର୍ମଚାରୀ । ସେମାନଙ୍କୁ ଦୁଇଗୁଣ ଦରମା(double salary) ଦିଆଯିବ ।

double salary on overtime

କେଜ୍ରିୱାଲ ସରକାର ଦିଲ୍ଲୀର ମହିଳାଙ୍କ ପାଇଁ ଖୁସି ଖବର ଆଣିଥିବା ବେଳେ କର୍ମଚାରୀଙ୍କୁ ମଧ୍ୟ ବଡ ଉପହାର ଦେଇଛନ୍ତି । ଶ୍ରମ ବିଭାଗ(Delhi Labor Department) କର୍ମଚାରୀଙ୍କ ହିତ ପାଇଁ ନୂତନ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ନୂତନ ପ୍ରସ୍ତାବ ଅଧୀନରେ ଅନେକ ବଡ ନିଷ୍ପତ୍ତି ନିଆଯାଇଛି, ଯଦ୍ୱାରା ସେମାନେ ସିଧାସଳଖ ଉପକୃତ ହୋଇପାରିବେ । ଶ୍ରମ ବିଭାଗର ଡ୍ରାଫ୍ଟ ଅନୁଯାୟୀ (Delhi Labour Policy Draft), ବର୍ତ୍ତମାନ ଦିଲ୍ଲୀର କର୍ମଚାରୀମାନେ ଓଭରଟାଇମ୍ କଲେ, ନିଜ ପରିଶ୍ରମର ସମ୍ପୂର୍ଣ୍ଣ ଲାଭ ପାଇବେ ଏବଂ ସେମାନଙ୍କୁ ଦୁଇଗୁଣ ଦରମା(double salary) ଦିଆଯିବ ।

ଅଧିକ ପଢ଼ନ୍ତୁ: ମହିଳା କର୍ମଚାରୀଙ୍କୁ ବଡ଼ ଭେଟି, ପୂଜାପାଠ ପାଇଁ ମିଳିବ ଛୁଟି

ଓଭର୍‌ ଟାଇମ୍‌ ପାଇଁ କ’ଣ ରହିଛି ନିୟମ ?

ଦିଲ୍ଲୀ ସରକାରଙ୍କ ନୀତି ଅନୁଯାୟୀ, ଜାତୀୟ ରାଜଧାନୀ ଦିଲ୍ଲୀରେ କାମ କରୁଥିବା କର୍ମଚାରୀଙ୍କୁ ଦିନରେ ୮ ଘଣ୍ଟାରୁ ଅଧିକ କିମ୍ବା ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାମ କଲେ, ତାହା ଅଧିକ ସମୟ ବୋଲି ବିବେଚନା କରାଯିବ । ହେଲେ ଓଭର୍ ଟାଇମ୍‌ ପାଇଁ କିଛି ସର୍ତ୍ତ ମଧ୍ୟ ଦିଆଯାଇଛି । କୌଣସି ବି କର୍ମଚାରୀ ଦିନକୁ ୧୨ ଘଣ୍ଟାରୁ ଅଧିକ ଏବଂ ସପ୍ତାହରେ ୬୦ ଘଣ୍ଟାରୁ ଅଧିକ କାମ କରିବେ ନାହିଁ । ଏହା ସହିତ କର୍ମଚାରୀମାନେ ଲଗାତାର ୭ ଦିନ ଅଧିକ ସମୟ ଦେବେ ନାହିଁ । ନୂତନ ନୀତି ଅନୁଯାୟୀ, ଯଦି ଜଣେ କର୍ମଚାରୀ ଅଧିକ ସମୟ କାମ କରନ୍ତି, ତେବେ ସର୍ବନିମ୍ନ ମଜୁରୀ ଆଧାରରେ ତାଙ୍କୁ ଘଣ୍ଟା ହିସାବରେ ଦୁଇଗୁଣ ଦରମା ଦିଆଯିବ ।

ମହିଳାମାନେ ନାଇଟ୍‌ ସିପ୍ଟ କରିପାରିବେ

ଶ୍ରମ ବିଭାଗର ନୂତନ ଡ୍ରାଫ୍ଟ ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀରେ ମହିଳାମାନେ ନାଇଟ୍ ସିଫ୍ଟରେ ମଧ୍ୟ କାମ କରିପାରିବେ । ଶ୍ରମ ମନ୍ତ୍ରୀ ରାଜ କୁମାର ଆନନ୍ଦ ଏକ ଉଚ୍ଚସ୍ତରୀୟ ବୈଠକ କରି ମହିଳାଙ୍କୁ ନାଇଟ୍ ସିଫ୍ଟରେ କାମ କରିବାକୁ ଅନୁମତି ଦେବା ସହ ସେମାନଙ୍କ ସୁରକ୍ଷା ସମ୍ମନ୍ଧରେ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଉପରେ ଆଲୋଚନା କରିଛନ୍ତି । ତେବେ ଏନେଇ ଜନସାଧାରଣଙ୍କ ଠାରୁ ଶ୍ରମ ବିଭାଗ ପକ୍ଷରୁ ପରାମର୍ଶ ଏବଂ ଆପତ୍ତି ଲୋଡ଼ାଯାଇଛି । ଏହା ପରେ ଡ୍ରାଫ୍ଟ ଚୂଡାନ୍ତ ହେବ ।

କାର୍ଯ୍ୟସ୍ଥଳରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ

କର୍ମକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବୃଦ୍ଧିକୁ ଦିଲ୍ଲୀ ସରକାର ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶ୍ରମ ବିଭାଗର ଏକ ବୈଠକ କରି ଏ ପ୍ରସଙ୍ଗରେ ଅଧିକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ପରିପ୍ରେକ୍ଷୀରେ ଶ୍ରମ ମନ୍ତ୍ରୀ ରାଜକୁମାର ଆନନ୍ଦ ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ଶ୍ରମ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଶୁକ୍ରବାର ଦିନ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଶ୍ରମମନ୍ତ୍ରୀ ଏହି ଡ୍ରାଫ୍ଟକୁ ଅନୁମୋଦନ କରିବା ସମୟରେ ନିଷ୍ପତ୍ତି ନେଇଛନ୍ତି ଯେ, ବର୍ତ୍ତମାନ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସେମାନଙ୍କୁ ନାଇଟ୍ ସିଫ୍ଟରେ କାମ କରିବାର ସୁଯୋଗ ଦିଆଯାଉ । ହେଲେ ସେମାନଙ୍କୁ ସୁରକ୍ଷାକୁ ଧ୍ୟାନରେ ରଖି ନିଯୁକ୍ତିଦାତାମାନଙ୍କୁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ପଡ଼ିବ ।

ମହିଳାଙ୍କ ସହମତି ଜରୁରୀ

ନୂତନ ନୀତି ଅନୁଯାୟୀ ମହିଳାମାନେ ସନ୍ଧ୍ୟା ୭ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାମ କରିପାରିବେ । ହେଲେ ଏଥିପାଇଁ ମହିଳାଙ୍କ ସହମତି ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାଇଟ୍ ସିଫ୍ଟରେ କାମ କରୁଥିବା ମହିଳାମାନଙ୍କ ପାଇଁ ନିଯୁକ୍ତିଦାତା ସେମାନଙ୍କୁ ଘରଠାରୁ ଅଫିସ୍ ପର୍ଯ୍ୟନ୍ତ ନେବାଆଣିବା ବ୍ୟବସ୍ଥା କରିବେ । କର୍ମକ୍ଷେତ୍ରରେ ମହିଳାମାନଙ୍କ ପାଇଁ ଶୌଚାଳୟ, ପାନୀୟ ଜଳ ଏବଂ ପରିବହନ ପାଇଁ ଉପଯୁକ୍ତ ବ୍ୟବସ୍ଥା ହେବା ଉଚିତ । ଆଉ ଏସବୁ ସୁବିଧା ସେମାନଙ୍କ କାର୍ଯ୍ୟକ୍ଷେତ୍ର ନିକଟରେ ରହିବା ଉଚିତ୍ । ଏହା ସହିତ ମହିଳାମାନଙ୍କ ସୁରକ୍ଷା ପାଇଁ ନିଯୁକ୍ତିଦାତାମାନଙ୍କୁ ଏକ ଅଲଗା ନମ୍ବର ଜାରି କରିବାକୁ ପଡ଼ିବ । ଯାହାକୁ କର୍ମକ୍ଷେତ୍ରରେ ଏବଂ ଗାଡିରେ ଲେଖାଯିବା ଉଚିତ୍ । ଯଦ୍ୱାରା କୌଣସି ଜରୁରୀକାଳୀନ ପରିସ୍ଥିତିରେ ମହିଳା କର୍ମଚାରୀମାନେ ଏହାକୁ ସାହାଯ୍ୟ ପାଇଁ ବ୍ୟବହାର କରିପାରିବେ ।

ସମସ୍ତ କର୍ମଚାରୀଙ୍କୁ ମିଳିବ ଏକ୍ସପେରିଏନ୍ସ ଲେଟର ଓ ସାଲାରୀ ସ୍ଲିପ୍

ଯେକୌଣସି କ୍ଷେତ୍ରରେ କାମ କରୁଥିବା କର୍ମଚାରୀ(Employer)ଙ୍କୁ ଏକ୍ସପେରିଏନ୍ସ ଲେଟର ଓ ସାଲାରୀ ସ୍ଲିପ୍ ଦେବା ବାଧ୍ୟତାମୂଳକ ହେବ । ନିଯୁକ୍ତିଦାତାମାନେ ସମସ୍ତ କର୍ମଚାରୀଙ୍କ ରେକର୍ଡ ରହିବା ଉଚିତ୍ ।

କେମିକାଲ ପରି ଫ୍ୟାକ୍ଟ୍ରିରେ କାମ କଲେ ମାଗଣା ମେଡିକାଲ ଯାଂଚ

ଦିଲ୍ଲୀରେ ବିପଜ୍ଜନକ ରାସାୟନିକ ପଦାର୍ଥ ଏବଂ ସାମଗ୍ରୀ ସମ୍ମନ୍ଧୀୟ କାରଖାନା ଗୁଡ଼ିକରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କର ପ୍ରତିବର୍ଷ ମାଗଣାରେ ମେଡିକାଲରେ ପରୀକ୍ଷା କରାଯିବ । ଏହା କାରଖାନା ଅପରେଟରଙ୍କ ଦାୟିତ୍ୱ ହେବ । ଏଥିରେ କର୍ମଚାରୀଙ୍କର ରକ୍ତ, ପରିସ୍ରା, ଏକ୍ସ-ରେ ଏବଂ ଅନ୍ୟାନ୍ୟ ପରୀକ୍ଷା କରାଯିବ । ଲୋକଙ୍କୁ ବିପଜ୍ଜନକ ରୋଗରୁ ରକ୍ଷା କରିବା ତଥା କର୍ମଚାରୀଙ୍କ ସୁରକ୍ଷା ପାଇଁ ଶ୍ରମ ବିଭାଗର ଇନ୍ସପେକ୍ଟର ସମୟ ସମୟରେ କାରଖାନା ଯାଞ୍ଚ କରିବେ ଏବଂ ଏହି ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ନିଯୁକ୍ତିଦାତାଙ୍କୁ ନିର୍ଦ୍ଦେଶ ଦେବେ ।