• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀ ରାଜରାସ୍ତାରେ ଜୋରଦାର ପ୍ରତିବାଦ । କେନ୍ଦ୍ର ସରକାର ବିରୋଧୀ ନାରାରେ କମ୍ପିଲା ରାଜଧାନୀ । ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ଗିରଫଦାରୀ ପରେ ରାସ୍ତାକୁ ଓହ୍ଲାଇ ଆସିଥିଲେ ଶତାଧିକ କର୍ମୀ । କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେବା ସହ ଗିରଫ ସାଂସଦ ସଂଜୟ ସିଂଙ୍କୁ ଛାଡିବାକୁ ଦାବି କରିଥିଲେ ।

ଆପ୍ ମୁଖ୍ୟାଳୟରୁ ବିଜେପି ଅଫିସ ଯାଏଁ ବାହାରିଥିଲା ଶୋଭାଯାତ୍ରା । ତେବେ ରାସ୍ତାରେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୋଲିସ । ଆପ୍ କର୍ମୀ ବ୍ୟାରିକେଡ୍ ଡେଇଁ ଆଗକୁ ବଢିବାକୁ ଉଦ୍ୟମ କରିବାରୁ ସେମାନଙ୍କୁ ଅଟକାଇବାକୁ ଯାଇ ପୋଲିସ ପାଣି ମାଡ କରିଥିଲା । ପରେ ଆପ୍ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ବି ହୋଇଥିଲା । ପୋଲିସ କିଛି ଆପ୍ କର୍ମୀଙ୍କୁ ଗିରଫ କରିଛି ।

ସେପଟେ ଦିଲ୍ଲୀର ଆପ୍ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛି ବିଜେପି । ରାଜଘାଟରେ ଧାରଣା ଦେଇଛନ୍ତି ଦିଲ୍ଲୀ ବିଜେପିର ଏକାଧିକ ନେତା । ଦୁର୍ନୀତିରେ ବୁଡି ରହିଥିବା କେଜରିୱାଲ ସରକାରଠାରୁ ଦିଲ୍ଲୀବାସୀଙ୍କୁ ମୁକ୍ତି ଦେବାକୁ ପ୍ରାର୍ଥନା କରାଯାଇଛି । ଏଥିସହ ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଇସ୍ତଫା ଦାବି କରିଛି ବିଜେପି ।

ଗୋଟିଏ ପଟେ ଆମ୍ ଆଦମୀ ପାର୍ଟି, ଅନ୍ୟପଟେ ବିଜେପି । ସାଂସଦ ସଂଜୟ ସିଂଙ୍କ ଗିରଫଦାରୀ ପରେ ଉଭୟ ଦଳର ପ୍ରତିବାଦକୁ ନେଇ ସରଗରମ ହୋଇଉଠିଛି ଦିଲ୍ଲୀ ରାଜନୀତି । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନଙ୍କ ପରେ ସାଂସଦ 

ସଂଜୟ ସିଂହଙ୍କ ଗିରଫଦାରୀକୁ ନେଇ ଦିଲ୍ଲୀ ରାଜନୀତିର ପାରା ବଢିଛି ।

ଆମ୍ ଆଦମୀ ପାର୍ଟି କହିଛି, ଦିଲ୍ଲୀରେ ଅଘୋଷିତ ଇମେର୍ଜେନସି ଜାରି ହୋଇଛି । ସେପଟେ ବିଜେପି କହିଛି, ପୁରା ଲିକର ପଲିସି ସ୍କାମର କିଙ୍ଗପିନ୍ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । 

ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ଦୁର୍ନୀତି ଅଭିଯୋଗରେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆପ୍‌ର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କ ଘରେ ଚଢାଉ କରିଥିଲା । କିଛି ଘଂଟା ଧରି ରେଡ୍ ପରେ ସଂଜୟଙ୍କ ଷ୍ଟେଟମେଂଟ୍ ରେକର୍ଡ ପାଇଁ ତାଙ୍କୁ ଇଡି ଅଫିସକୁ ନିଆଯାଇଥିଲା । ସେଠାରେ ଦୀର୍ଘ ୧୦ ଘଂଟା ଧରି ଜେରା କରାଯିବା ପରେ ସଂଜୟଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦାଖଲ କରିଥିବା ଚାର୍ଜସିଟରେ ସଞ୍ଜୟ ସିଂଙ୍କ ନାମ ଉଲ୍ଲେଖ ଥିଲା ।

ତେବେ ତାଙ୍କୁ ଅଭିଯୁକ୍ତ ଦର୍ଶାଯାଇନଥିଲା । କିନ୍ତୁ ଗତ ଜୁନ ମାସରେ ଇଡି ତରଫରୁ ସଂଜୟ ସିଂଙ୍କ ଦୁଇ ଘନିଷ୍ଠ ବନ୍ଧୁ ଅଜିତ ତ୍ୟାଗୀ ଓ ସର୍ବେଶ ମିଶ୍ରାଙ୍କ ଘରେ ରେଡ କରାଯାଇଥିଲା । ଏହାପରେ ସାମ୍ନାକୁ ଆସିଥିଲା ମାମଲାରେ ସଂଜୟଙ୍କ ସଂପୃକ୍ତି ।

ତେବେ ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିବା ପରେ ଆଜି କୋର୍ଟଙ୍କ ସମ୍ମୁଖରେ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ED । ହେଲେ କୋର୍ଟ ୫ ଦିନ ପାଇଁ ସଞ୍ଜୟଙ୍କୁ ରିମାଣ୍ଡରେ ନେବାର ଅନୁମତି ଦେଇଛନ୍ତି ।