କେଜ୍ରିୱାଲଙ୍କ ବଡ଼ ଘୋଷଣା, ୨ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଦେବେ ଇସ୍ତଫା

ଜନତା ନିଜ ନିଷ୍ପତ୍ତି ନ ଜଣାଇବା ଯାଏଁ ସିଏମ୍ ପଦରେ ରହିବିନି । ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନି ।

Arvind Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ଅରବିନ୍ଦ କେଜ୍ରିୱାଲ୍ । ୨ ଦିନ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ବୋଲି କହିଲେ କେଜ୍ରିୱାଲ୍ । ଏହା ସହ ସେ ଅଗ୍ନି ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି । ମୁଁ ଓ ସିସୋଦିଆ ଜନତାଙ୍କ ପାଖକୁ ଯିବୁ, ସେମାନେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ସେ ଆହୁରି କହିଛନ୍ତି ଯେ, ଜନତା ନିଜ ନିଷ୍ପତ୍ତି ନ ଜଣାଇବା ଯାଏଁ ସିଏମ୍ ପଦରେ ରହିବିନି । ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନି । ନିର୍ବାଚନ ପର୍ଯ୍ୟନ୍ତ ଆପ୍‌ର ଅନ୍ୟ କୌଣସି ନେତା ମୁଖ୍ୟମନ୍ତ୍ରୀ ରହିବେ ବୋଲି କେଜ୍ରିୱାଲ କହିଛନ୍ତି ।

ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବା ବେଳେ ଆଜି ବିଜେପି ଉପରେ କଡ଼ା ନିଶାନା କରିଛନ୍ତି କେଜ୍ରିୱାଲ । ବିଜେପି ଯୋଜନାବଦ୍ଧ ଭାବେ ଆମ ଆଦମୀ ପାର୍ଟିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । କିନ୍ତୁ ସେହି ଫର୍ମୁଲାକୁ ଭାଙ୍ଗିବାକୁ ଆପ୍ ପ୍ରସ୍ତୁତ ବୋଲି ଦୋହରାଇଛନ୍ତି କେଜ୍ରିୱାଲ୍ । ସେପଟେ ଏହାର କଡ଼ା ଜବାବ ଦେଇଛି ବିଜେପି । କେଜ୍ରିୱାଲଙ୍କ ନିଷ୍ପତ୍ତି ପିଆର୍ ଷ୍ଟଣ୍ଟ୍, କେଜ୍ରିୱାଲ୍ ବହୁ ପୂର୍ବରୁ ପଦ ଛାଡ଼ିବା କଥା । ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ବୁଡ଼ି ରହିଛି ଆମ ଆଦମୀ ପାର୍ଟି ବୋଲି ବିଜେପି ଅଭିଯୋଗ କରିଛି ।

ସୂଚନା ଅନୁସାରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଆମ୍‌ ଆଦମୀ ପାର୍ଟି ମୁଖ୍ୟାଳୟରେ ପହଞ୍ଚିଥିଲେ । ଦଳର ନେତା ଓ କର୍ମୀଙ୍କୁ ଭେଟିବା ପରେ କେଜ୍ରିୱାଲ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ରବିବାର ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ମୁଁ ଇସ୍ତଫା ଦେବି ବୋଲି କେଜ୍ରିୱାଲ କହିଛନ୍ତି ।