କୋଚିଂ ସେଣ୍ଟର ବେସମେଣ୍ଟରେ ମୃତ୍ୟୁର ତାଣ୍ଡବଲୀଳା; ପଶିଲା ପାଣି, ତିନି ମୃତ

ସୁନେଲି ଭବିଷ୍ୟତ ପାଇଁ ଦିଲ୍ଲୀ ଆସିଥିଲେ, ଯୁପିଏସସିର କୋଚିଂ ନେଉଥିଲେ । ଦିନେ ଆଇଏଏସ ହେବାର ସ୍ୱପ୍ନ ଦେଖିଥିବା ତିନି ଛାତ୍ରଛାତ୍ରୀ ଆଜି ଶବ ପାଲଟି ଯାଇଛନ୍ତି ।

UPSC Aspirants

ସୁନେଲି ଭବିଷ୍ୟତ ପାଇଁ ଦିଲ୍ଲୀ ଆସିଥିଲେ, ଯୁପିଏସସିର କୋଚିଂ ନେଉଥିଲେ । ଦିନେ ଆଇଏଏସ ହେବାର ସ୍ୱପ୍ନ ଦେଖିଥିବା ତିନି ଛାତ୍ରଛାତ୍ରୀ ଆଜି ଶବ ପାଲଟି ଯାଇଛନ୍ତି । ଗତକାଲି ଦିଲ୍ଲୀ ରାଜେନ୍ଦ୍ର ନଗର ସ୍ଥିତ ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ଚାଲିଥିବା ଲାଇବ୍ରେରୀରେ ବର୍ଷା ଓ ନାଳ ନର୍ଦ୍ଦମା ପାଣି ପଶିଯିବାରୁ ଫସି ଯାଇଥିଲେ ଅନେକ ଛାତ୍ରଛାତ୍ରୀ ।

ଅନେକ ତ ଉଦ୍ଧାର ହୋଇପାରିଥିଲେ କିନ୍ତୁ ଅକାଳରେ ତିନି ନିରିହଙ୍କ ଜୀବନ ଚାଲିଯାଇଛି । ଏଥିପାଇଁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଗତକାଲିଠୁ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ସେପଟେ ଏହି ଅଘଟଣକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ଶନିବାର ରାତିରେ, ରାଜଧାନୀ ଦିଲ୍ଲୀରେ, ମୃତ୍ୟୁର ତାଣ୍ଡବ । ମୃତ୍ୟୁ ଆସିଥିଲା ଜଳ ଦାନବ ରୂପରେ । ଲୁହା ଗେଟ୍ ବନ୍ଦ ଥିଲା, ଲଗାଣ ବର୍ଷା ପରେ ରାସ୍ତା ଉପରେ ଚାଲୁଥିବା ଆଣ୍ଠୁଏ ଉଚ୍ଚର ପାଣି ଲୁହା ଗେଟ୍‌ରେ ମାଡ଼ ହେଉଥିଲା । ଦୁର୍ଭାଗ୍ୟକୁ କେହି ଜଣେ ଗେଟ୍ ଖୋଲି ଦେଇଥିଲେ ବାହାରକୁ ବାହାରି ନିଜ ଘରକୁ ଯିବାପାଇଁ ।

ସେ ତ ଚାଲିଗଲେ, କିନ୍ତୁ ସେ ଯାଉ ଯାଉ ମୃତ୍ୟୁର ଦୂତ ଯେଉଁ ତାଣ୍ଡବ ରଚିଲା ତାହା ଦିଲ୍ଲୀବାସୀଙ୍କ ଛାତି ଦୋହଲାଇ ଦେଲା । କେବଳ ଦିଲ୍ଲୀ କାହିଁକି ସାରା ଦେଶରେ ଶନିବାରର ସେହି କାଳରାତିର ଭୟଙ୍କର ଚିତ୍ର ସଭିଙ୍କୁ ସ୍ତବ୍ଧ କରିଛି । ପ୍ରଶାସନର ଢିଲା ପଣକୁ ଲୋକେ ଯେତେ ନିନ୍ଦା କଲେ ବି ଆଉ ଫେରିବନି ସେହି ତିନି ଅମୂଲ୍ୟ ଜୀବନ ଯିଏ ଭବିଷ୍ୟତରେ ଆଇଏଏସ ହୋଇ ଦେଶ ଚଳାଇଥାନ୍ତେ । ଆଜି ସେମାନେ ଶବ ପାଲଟି ଯାଇଛନ୍ତି ।

ରାଜେନ୍ଦ୍ର ନଗରରେ ଥିବା RAU's IAS କୋଚିଂ ସେଣ୍ଟର । କୋଚିଂ ସେଣ୍ଟରର ବେସମେଣ୍ଟରେ ଚାଲିଥିବା ଲାଇବ୍ରେରୀରେ ଆଇଏଏସ ପାଇଁ କୋଚିଂ ନେଉଥିବା ବିଦ୍ୟାର୍ଥୀ ପଢୁଥିଲେ । ହେଲେ ଅଚାନକ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ଚାଲୁଥିବା ବର୍ଷା ଓ ନର୍ଦ୍ଦମା ପାଣି ସେହି ବେସମେଣ୍ଟରେ ପ୍ରବେଶ କରିଥିଲା ।

ପାଣିର ପ୍ରଖର ଏତେ ଥିଲା ଯେ, କ୍ଷଣିକରେ ବେସମେଣ୍ଟରେ ପାଣି ଭର୍ତ୍ତି ହୋଇଗଲା ଏବଂ ପିଲାମାନେ ତା ଭିତରେ ଫସିଗଲେ । ଯେତେ ଚେଷ୍ଟା କଲେ ମଧ୍ୟ ସେଥିରୁ ବାହାରି ପାରିନଥିଲେ ତିନି ବିଦ୍ୟାର୍ଥୀ । ୟୁପିର ଶ୍ରେୟା ଯାଦବ, ତେଲେଙ୍ଗାନାର ତାନିଆ ସୋନି ଏବଂ କେରଳର ନବୀନ ଡେଲଭିନ୍ । ସେହି ବେସମେଣ୍ଟରେ ହିଁ ଫସି ରହିଗଲେ ।

କିଛି ଜଣ ଉଦ୍ଧାର ହୋଇଥିଲେ ବି ସେମାନେ କିନ୍ତୁ ମୃତ୍ୟୁ କବଳରୁ ବର୍ତ୍ତି ପାରିନଥିଲେ । ଘଟଣାକୁ ନେଇ ଗତକାଲି ରାତିରୁ ଧାରଣାରେ ବସିଛନ୍ତି ପିଲାଏ । କେମିତି ଏତେ ବଡ଼ ଘଟଣା ଘଟିଲା ଏବଂ ଏଥିପାଇଁ କିଏ ଦାୟୀ ତାକୁ ନେଇ ଏବେ ତଦନ୍ତ ଦାବି କରିଛନ୍ତି । ପୋଲିସ୍ ଓ ପ୍ରଶାସନିକ ଅଧିକାରୀ ଛାତ୍ରଛାତ୍ରୀଙ୍କୁ ବୁଝାବୁଝି କରିବା ସତ୍ତ୍ୱେ କୌଣସି ସମସ୍ୟାର ସମାଧାନ ହୋଇପାରିନି ।

ଏବେ ପ୍ରଶ୍ନ, କାହା ଦୋଷ ପାଇଁ ଏମିତି ଘଟିଲା ? କିଏ ମୁଣ୍ଡାଇବ ଉତ୍ତର ଦାୟିତ୍ୱ? ଦିଲ୍ଲୀ ମହାନଗର ନିଗମ? ଦିଲ୍ଲୀ ସରକାର? କେନ୍ଦ୍ର ସରକାର ? କୋଚିଂ ସେଣ୍ଟର୍ ? ନା ଆଉ କିଏ? କାରଣ ସଂଧ୍ୟାରେ ପାଠ ପଢ଼ିବାକୁ ବସିଥିବା, ଦେଶର ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଜୀବନ ଯେ ଏମିତି ଲିଭିଯିବ ସେ କଥା ନା କେହି ଗ୍ରହଣ କରିପାରୁଛି ନା କେହି ବିଶ୍ୱାସ କରିପାରୁଛି । ଆଉ ଏହାରି ଭିତରେ ଏବେ ଆରମ୍ଭ ହୋଇଛି ଦୋଷ ଲଦାଲଦି ।

ବେସମେଣ୍ଟରେ ଲାଇବ୍ରେରୀକୁ ଅନୁମତି ଦେଲା କିଏ? ସମୟ ବଢ଼ିବା ସହ ପ୍ରଶ୍ନ ବି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କୋଚିଂ ସେଣ୍ଟର ମାଲିକ ଓ ଅନ୍ୟ ଜଣକଙ୍କୁ ଅଟକ ରଖି ତଦନ୍ତ କରୁଛି ଦିଲ୍ଲୀ ପୋଲିସ୍ । ମାମଲା ଦାଏର କରି କୋଚିଂ ସେଣ୍ଟର, ଏମସିଡି ସହ ବିଭିନ୍ନ ପକ୍ଷକୁ ଅନ୍ତର୍ଭୁକ୍ତ କରାଯାଇଛି । ସେପଟେ ଦିଲ୍ଲୀ ସରକାର ବି ପୂରା ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।