ଦାଉଦକୁ ଧରିବା ପାଇଁ NIA ତତ୍ପର, ନେଲା ବଡ଼ ପଦକ୍ଷେପ ! ନୂଆ ଫଟୋ ବି ଜାରି କଲା

ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଏବେ ବି ସକ୍ରିୟ ଥିବା NIAର ସୂଚନା । ଛୋଟା ସକିଲ୍ ସଂପର୍କରେ ସୂଚନା ଦେଲେ ୨୦ ଲକ୍ଷ ପୁରସ୍କାର ।

Dawood Ibrahim

ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ୍‌କୁ ଧରିବା ଲାଗି ତତ୍ପର ହୋଇଛି ଜାତୀୟ ତଦନ୍ତକାରୀ ସଂସ୍ଥା-NIA । ଦାଉଦ୍ ସଂପର୍କରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା । ପ୍ରେସ୍ ରିଲିଜ୍ ଜରିଆରେ ଏନ୍ଆଇଏ ଏହି ପୁରସ୍କାର ଘୋଷଣା କରିଛି । ଏଥିସହ NIA ଦାଉଦ୍‌ର ନୂଆ ଫଟୋ ବି ଜାରି କରିଛି ।

ବର୍ଷ ବର୍ଷ ଧରି ଅଣ୍ଡରଗ୍ରାଉଣ୍ଡ ରହିଥିବା ଏହି ଅଣ୍ଡରୱାର୍ଲ୍ଡ ଡନ୍ ସଂପର୍କରେ ଯେ କେହି ବି ସୂଚନା ଦେଲେ, ତାଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି NIA ଘୋଷଣା କରିଛି । ଦାଉଦ୍ ସହ ଅନ୍ୟ କେତେକ ଓ୍ୱାଣ୍ଟେଡ୍ ଆତଙ୍କବାଦୀଙ୍କ ନାଁରେ ମଧ୍ୟ କ୍ୟାସ୍ ପ୍ରାଇଜ୍ ଘୋଷଣା କରିଛି ଏନ୍‌ଆଇଏ । ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗର ସଦସ୍ୟ ତଥା ଦାଉଦ୍‌ର ଡାହାଣ ହାତ କୁହାଯାଉଥିବା ଛୋଟା ସକିଲ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା ।

ସେହିଭଳି ଅନିସ୍ ଇବ୍ରାହିମ୍, ଜାଭେଦ୍ ଚିକ୍ନା ଓ ଟାଇଗର୍ ମେମନ୍ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଛି । ଦାଉଦ୍ ଇବ୍ରାହିମ ଏବେ ବି ସକ୍ରିୟ ଅଛି ଏବଂ ଲସ୍କର-ଏ-ତଇବା, ଜୈସ୍-ଏ-ମହମ୍ମଦ ଏବଂ ଅଲ୍-କାଏଦା ସହ ମିଳିତ ସହଯୋଗରେ କାମ କରୁଥିବା ଏନ୍‌ଆଇଏ କହିଛି ।