ସାମ୍ନାକୁ ଆସିଲା ସାଇରସ୍‌ଙ୍କ ପୋଷ୍ଟମର୍ଟମ ରିପୋର୍ଟ; ଭାଙ୍ଗିଥିଲା ମୁଣ୍ଡ, ଛାତି, ବେକ, ଜଙ୍ଘର ହାଡ଼

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଗାଡ଼ିର ବେଗ ୧୩୦-୧୪୦ ଥିବାରୁ ଦୁର୍ଘଟଣା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯାହା ଫଳରେ ମୁଣ୍ଡ, ଛାତି, ଜଙ୍ଘ, ବେକର ହାଡ଼ ଭାଙ୍ଗି ଯାଇଥିଲା ।

Cyrus Mystry

ଦୁର୍ଘଟଣାରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଆଘାତ ଲାଗିବା ଏବଂ ଏକାଧିକ ହାଡ଼ ଭାଙ୍ଗିବା କାରଣରୁ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଜଣାପଡ଼ିଛି । ସାଇରସ୍‌ଙ୍କ ସାଙ୍ଗ ଜାହାଙ୍ଗୀରଙ୍କ କ୍ଷେତ୍ରରେ ମଧ୍ୟ ଏହା ହୋଇଛି । ମୁମ୍ବାଇ ଜେଜେ ହସ୍ପିଟାଲରେ ଉଭୟଙ୍କ ମୃତଦେହର ପୋଷ୍ଟମର୍ଟମ କରାଯାଇଛି ।

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଗାଡ଼ିର ବେଗ ୧୩୦-୧୪୦ ଥିବାରୁ ଦୁର୍ଘଟଣା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯାହା ଫଳରେ ମୁଣ୍ଡ, ଛାତି, ଜଙ୍ଘ, ବେକର ହାଡ଼ ଭାଙ୍ଗି ଯାଇଥିଲା । ମୁଣ୍ଡରେ ମାଡ଼ ପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଦୁର୍ଘଟଣାର ଅଳ୍ପ ସମୟ ପରେ ହିଁ ସାଇରସ୍ ଓ ତାଙ୍କ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଆଜି ମୁମ୍ବାଇ ୱର୍ଲି ଶ୍ମଶାନରେ ସାଇରସ୍‌ଙ୍କ ଅନ୍ତିମ ସଂସ୍କାର ହେବ । ସଂଧ୍ୟାରେ ପାର୍ସି ରୀତିନୀତିରେ ଜାହାଙ୍ଗୀର ପାଣ୍ଡୋଲେଙ୍କ ଅନ୍ତିମ ସଂସ୍କାର ହେବ ।

ରବିବାର ମୁମ୍ବାଇ-ଅହମଦାବାଦ ରାସ୍ତାର ପାଲଘର ନିକଟରେ ଡିଭାଇଡର୍‌ରେ ପିଟି ହୋଇଥିଲା ସାଇରସ୍‌ଙ୍କ ମର୍ସିଡିଜ୍ କାର୍। ପଛ ସିଟ୍‌ରେ ବସିଥିବା ସାଇରସ୍ ଓ ଜାହାଙ୍ଗୀରଙ୍କ ମୃତ୍ୟୁ ହୋଇଥିଲା । ଉଭୟେ ସିଟ୍ ବେଲ୍ଟ ପିନ୍ଧିନଥିବାର ଜଣାପଡ଼ିଛି। ଗୁଜରାଟ୍‌ର ଉଦ୍‌ୱାଡ଼ାରୁ ମୁମ୍ବାଇ ଅଭିମୁଖେ ଅନ୍ୟ ୩ ଜଣଙ୍କ ସହ ଯିବାବେଳେ ପଛ ସିଟ୍‌ରେ ବସିଥିଲେ ସାଇରସ୍। କିନ୍ତୁ ଦୁର୍ଯୋଗକୁ ପିନ୍ଧିନଥିଲେ ସିଟ୍ ବେଲ୍ଟ । କେବଳ ସେ ନୁହଁନ୍ତି, ଅନ୍ୟତମ ସହଯାତ୍ରୀ ଜାହାଙ୍ଗୀର ପାଣ୍ଡୋଲ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିନଥିଲେ ।