ସ୍ଥଳଭାଗ ଛୁଇଁଲା ବାତ୍ୟା ‘ରେମାଲ’, ପ୍ରାୟ ୪ ଘଣ୍ଟା ଧରି ଜାରି ରହିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା

ଭୀଷଣ ରୂପ ଧାରଣ କରି ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍‌ । ପ୍ରାୟ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିବ ।

Cyclone Remal

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ୍‌ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ । ଭୀଷଣ ରୂପ ଧାରଣ କରି ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍‌ । ପ୍ରାୟ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିବ । ମଧ୍ୟରାତ୍ରି ସୁଦ୍ଧା ପବନର ବେଗ ୧୧୦ରୁ ୧୨୦ କିମି ଛୁଇଁବା ସମ୍ଭାବନା । ବାତ୍ୟାକୁ ଦେଖି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପୂର୍ବ ମେଦିନିପୁର ଜିଲ୍ଲା ପ୍ରଶାସନ। ତା’ସହ ସାମୟିକ ଭାବେ ବିମାନ ଓ ରେଳ ଚଳାଚଳ ବନ୍ଦ ରଖାଯାଇଛି । ଦୀଘା  ସମୁଦ୍ରକୂଳରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଉଦ୍ଧାରକାର୍ଯ୍ୟ ପାଇଁ ମୁତୟନ କରାଯାଇଛି ୧୨ଟି NDRF ଟିମ୍ ।

ସେପଟେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ଏବଂ ଏହାର ପ୍ରସ୍ତୁତି ନେଇ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇଏମଡି ଅଧିକାରୀ ଏବଂ ବିଭିନ୍ନ ବିଭାଗର ସଚିବଙ୍କ ସହ ମୋଦି ଆଲୋଚନା କରିଛନ୍ତି ।

ସେପଟେ ବାତ୍ୟା ରେମାଲର ପ୍ରଭାବ ଓଡ଼ିଶା ଉପରେ ସିଧାସଳଖ ନଥିଲେ ବି ପୂର୍ବ ଉପକୂଳ ଜିଲ୍ଲା ଗୁଡ଼ିକରେ ଆଜି ଅପରାହ୍ନରୁ ବର୍ଷା ଲାଗିରହିଛି। ଏପରିକି କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱର ଓ ପୁରୀରେ ମଧ୍ୟ ଆଜି ଦିନତମାମ ମେଘୁଆ ପାଗ ସହ ସ୍ଥାନେ ସ୍ଥାନେ ବର୍ଷା ହେଉଛି। ତେବେ ବାଲେଶ୍ୱର ଏବଂ ଭଦ୍ରକ ସମେତ ମୟୂରଭଞ୍ଜରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।