• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିଲ୍ଲୀରେ ବଢ଼ୁଥିବା କରୋନା କେସ୍ ଏବେ ସାରା ଦେଶ ପାଇଁ ଚିନ୍ତା ବଢ଼ାଇଛି । ଏଠାରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିଛି।

ଗତକାଲି ଦିଲ୍ଲୀରୁ ୧ ହଜାର ୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫେବ୍ରୁଆରୀ ୧୦ରୁ ସବୁଠୁ ଅଧିକ । ବର୍ତ୍ତମାନର ପରିସ୍ଥିତିକୁ ଦେଖି ଦିଲ୍ଲୀରେ ମାସ୍କ ଚେକିଂ ଭଳି ଗାଇଡ୍‌ଲାଇନ୍‌ ଗୁଡିକୁ କଡ଼ାକଡ଼ି କରାଯାଇଛି ।

ସେହିପରି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ସହ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ୫ ଶହ ଟଙ୍କା ଜରିମାନା ଲାଗୁ ହୋଇଛି । ସେହିପରି ବଢ଼ୁଥିବା କରୋନାକୁ ଦୃଷ୍ଟିରେ ରଖି ସ୍କୁଲ ଉପରେ କଡ଼ା ନଜର ରଖାଯାଇଛି । ପିଲାମାନେ ଯେପରି ସଂକ୍ରମିତ ନ ହେବେ ସେ ଦିଗରେ ଦିଲ୍ଲୀ ଓ କେନ୍ଦ୍ର ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି ।

ଅନ୍ୟପକ୍ଷେ, ୫ରୁ ୧୧ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଖୁବ୍ ଶୀଘ୍ର କରୋନା କବଚ ମିଳିପାରେ । ଏନେଇ ହାଇଦ୍ରାବାଦର ବାୟଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କର୍ବୋଭ୍ୟାକ୍ସ ଟିକାର ଜରୁରୀ ବ୍ୟବହାର ଅନୁମତି ପାଇଁ ଡଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ, ଡିସିଜିଆଇଙ୍କୁ ଏକ୍ସପର୍ଟ କମିଟି ସୁପାରିଶ କରିଛି । କରୋନାର ଚତୁର୍ଥ ଲହର ଆଶଙ୍କା ଭିତରେ ସ୍କୁଲ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଛୋଟ ପିଲାଙ୍କ ଟିକାକରଣ ଖବର ଆଶ୍ୱସ୍ତି ଆଣିଛି ।