Advertisment

Corruption: ପରାସ୍ତ ହେବ ଦୁର୍ନୀତି ଦାନବ, ଚାଲ..ଦୁର୍ନୀତିମୁକ୍ତ ଭାରତ ପାଇଁ ଶପଥ ନେବା

ବର୍ତ୍ତମାନ ସମୟରେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଦଣ୍ଡ ଦେବା ଏକପ୍ରକାର ଅସମ୍ଭବ ହୋଇପଡ଼ୁଛି। ସମୟ ଆସିଲେ ରାଜନେତାମାନେ ଦଣ୍ଡିତ ହେଉଛନ୍ତି, କିନ୍ତୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦେହରେ ହାତ ଦେଇହେଉନି । ବଡ଼ ବଡ଼ ନେତାମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଚାଲିଛି କାରବାର ।

ଅଦ୍ୟତନ ହୋଇଛି
Corruption

Corruption

Advertisment

ଭ୍ରଷ୍ଟାଚାର ବା ଦୁର୍ନୀତି ଏକ ଦୁରାରୋଗ୍ୟ ସଂକ୍ରାମକ ବ୍ୟାଧି.. ଏକ ଅମାନୁଷିକ ବିଚାରଧାରା । କେତେକ ସ୍ୱାର୍ଥସର୍ବସ୍ୱ ଓ ସ୍ୱେଚ୍ଛାଚାରୀ ବ୍ୟକ୍ତିଙ୍କ ଦ୍ୱାରା ଜନ୍ମ ନେଇଥାଏ ଦୁର୍ନୀତି ଦାନବ । କୌଣସି ମତେ ନିଜର ସମ୍ପତ୍ତି, ପ୍ରତିପତ୍ତି ବୃଦ୍ଧି କରି ସମାଜରେ ପ୍ରତିଷ୍ଠିତ ହେବା ଲକ୍ଷ୍ୟରେ ଠିକଭୁଲର ବାଛବିଚାର କରିପାରୁନି ଦୁର୍ନୀତିଖୋର ମଣିଷ । ଏହି ବ୍ୟାଧି ବିକାଶଶୀଳ ସମାଜର ବିକାଶ ଓ ପ୍ରଗତିର ଗତିରୋଧ କରିଥାଏ । ଭାରତରେ ଦୁର୍ନୀତିର ବ୍ୟାପକ କାରଣ ରହିଛି । ଏହାର ଚେର ନେତାଙ୍କଠାରୁ ପ୍ରଶାସକ ପର୍ଯ୍ୟନ୍ତ ବ୍ୟାପିଛି। ସାଧାରଣତଃ ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ଓ ପ୍ରତିବଦ୍ଧତା ଉପରେ ନିର୍ଭର କରେ ଶାସନର ସ୍ବଚ୍ଛତା । ହେଲେ ଏମାନେ ହିଁ ଦୁର୍ନୀତିଗ୍ରସ୍ତ ହେଲେ ସାଧାରଣ ଜନତା କାହା ନିକଟରେ ଗୁହାରୀ ଜଣାଇବ । ନିମ୍ନ ପଦବୀର କିରାଣୀଙ୍କଠାରୁ ଆରମ୍ଭ କରି ନାଲି ବତି ବ୍ୟବହାର କରୁଥିବା ଉଚ୍ଚପଦସ୍ଥ ଅଧିକାରୀ ଏବଂ ମନ୍ତ୍ରୀନେତା ସମସ୍ତେ ଦୁର୍ନୀତିରେ ଜଡିତ । ସେମାନଙ୍କ ସମସ୍ତଙ୍କର ନିଜସ୍ୱ ମୂଲ୍ୟ ସ୍ଥିର ଅଛି, ଯାହ ପାଇବା କ୍ଷଣି ସେମାନେ ସହଜରେ ବିକ୍ରି ହୋଇଯାଆନ୍ତି।

Advertisment

ଏହିପରି ସମଗ୍ର ଦେଶର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ବ୍ୟବସ୍ଥାରେ ଦୁର୍ନୀତି ବ୍ୟାପିବାର ବହୁମୁଖୀ କାରଣ ଅଛି। ଯେପର୍ଯ୍ୟନ୍ତ ଏପରି ଲୋକଙ୍କ ମଧ୍ୟରେ ନୈତିକତା ବିକଶିତ ନହୁଏ, ଯେପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ସନ୍ତୋଷର ଭାବନା ନଆସେ, ସେପର୍ଯ୍ୟନ୍ତ ଦୁର୍ନୀତିରୁ ମୁକ୍ତି କଳ୍ପନା କରିବା କେବଳ ଏକ କଳ୍ପନା ହୋଇ ରହିବ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କେବଳ ସରକାର ଏବଂ ପ୍ରଶାସନରେ ବସିଥିବା ସଚ୍ଚୋଟ ଲୋକଙ୍କ ଦ୍ୱାରା ସମ୍ଭବ ହୋଇପାରିବ । ସେମାନଙ୍କ ପ୍ରୟାସ ଦ୍ୱାରା ଆମେ ଏକ ଉନ୍ନତ ଏବଂ ଦୁର୍ନୀତିମୁକ୍ତ ସରକାର ଏବଂ ସମାଜର ସ୍ୱପ୍ନ ଦେଖିପାରିବା। ଆମ ଦେଶ ଭାରତ ବର୍ଷର ଅଭିବୃଦ୍ଧି ତଥା ବିକାଶ ପାଇଁ ପ୍ରଥମେ ଦେଶରୁ ଦୁର୍ନୀତିକୁ ଲୋପ କରିବାକୁ ହେବ।

ଏଥର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ୧୦୩ ମିନିଟର ନିଜର ଲମ୍ବା ଭାଷଣରେ ଦେଶ ଦୁନିଆର ଧ୍ୟାନ ଆକର୍ଷଣ କଲାପରି ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଚର୍ଚ୍ଚାର ମୁଖ୍ୟ କାରଣ ପ୍ରଧାନମନ୍ତ୍ରୀଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା, ଯାହା ଦେଶର କାୟାକଳ୍ପ ପରିବର୍ତ୍ତନ କରିପାରେ ବୋଲି ବିଶ୍ୱାସ ରହିଛି । ଜିଏସଟିରେ ବ୍ୟାପକ ପରିବର୍ତ୍ତନ , ଦୁର୍ନୀତିର ମୂଳୋତ୍ପାଟନ, ନୂତନ ନିଯୁକ୍ତି ଯୋଜନା ଆରମ୍ଭ କରିବା, ଡେମୋଗ୍ରାଫି ମିଶନର ପ୍ରସ୍ତୁତି ଠାରୁ ଆରମ୍ଭ କରି ପ୍ରତିରକ୍ଷା ସହିତ ଜଡିତ ସୁଦର୍ଶନ ଚକ୍ର ଏବଂ ଶକ୍ତି ସୁରକ୍ଷା ସମ୍ମନ୍ଧୀୟ ସମୁଦ୍ର ମନ୍ଥନ ଭଳି ଯୋଜନା ନୂତନ ଆର୍ଥିକ ସଂସ୍କାର ଆଣିପାରେ । ଏତେ ସବୁ ଘୋଷଣା ମଧ୍ୟରୁ ଅଧା କାର୍ଯ୍ୟକାରୀ ହୋଇଗଲେ ଦେଶର ଭାଗ୍ୟୋଦୟ ନିଶ୍ଚିତ ।

Advertisment

ପ୍ରଧାନମନ୍ତ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଅର୍ଥାତ୍ ୨୦୧୪ରୁ ଲାଲକିଲ୍ଲାରେ ଦେଇଥିବା ତାଙ୍କର ଭାଷଣର କିଛି ବିନ୍ଦୁ ସମୟ ସମୟରେ ଆଲୋଚନା କରାଯାଏ । ଏପରି କିଛି ପ୍ରଭାବଶାଳୀ ଘୋଷଣା ବର୍ତ୍ତମାନ ସୁଦ୍ଧା ଯୋଜନାର ରୂପ ନେଇସାରିଛି, ଯେପରିକି ସ୍ୱଚ୍ଛ ଭାରତ ଅଭିଯାନ, ଶୌଚାଳୟ ନିର୍ମାଣ, ଆୟୁଷ୍ମାନ ଭାରତ ଯୋଜନା, କୃଷି ସମ୍ମାନ ନିଧି ଇତ୍ୟାଦି। ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ପ୍ରଥମରୁ ପ୍ରଧାନମନ୍ତ୍ରୀ ଶକ୍ତ ମନୋଭାବ ପୋଷଣ କରିଛନ୍ତି । ୨୦୨୪ ମସିହାରେ ନିର୍ବାଚନ ପ୍ରଚାର ସମୟରେ ସେ ସ୍ପଷ୍ଟ ଭାବରେ କହିଥିଲେ, 'ଦୁର୍ନୀତି ବିରୋଧରେ ଲଢ଼େଇ ସଚ୍ଚୋଟତାର ସହିତ ଜାରି ରହିବ ଏବଂ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦେଶର ସାଧାରଣ ନାଗରିକଙ୍କୁ ଲୁଟିବାର ପରମ୍ପରାରେ ଖୁବଶୀଘ୍ର ଲଗାମ ଲାଗିବ ।’ ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ କହିଥିଲେ, ମୁଁ ଖାଇବି ନାହିଁ କିମ୍ବା ଅନ୍ୟମାନଙ୍କୁ ଖାଇବାକୁ ଦେବି ନାହିଁ।

ଏଇଠି ପ୍ରଶ୍ନ ଉଠେ ମୋଦିଙ୍କ ଏହି ମନ୍ତ୍ର ଏବେ ସୁଦ୍ଧା କେତେଦୂର କାର୍ଯ୍ୟକାରୀ ହୋଇଛି । ହେଲେ କେବେ କେହି ଚିନ୍ତା କରିଛନ୍ତି, ସତରେ କ’ଣ ରାତାରାତି ଦୁର୍ନୀତିମୁକ୍ତ ହୋଇପାରିବ ଦେଶ । ଭ୍ରଷ୍ଟାଚାର ପରା ଲୋକଙ୍କ ଶିରାପ୍ରଶିରାରେ ପ୍ରବାହିତ ହେଉଛି । କେବଳ ଜଣେ ଚେଷ୍ଟା କଲେ ଏ ରୋଗର ମୂଳୋତ୍ପାଟନ ଅସମ୍ଭବ । ଏଥିପାଇଁ ମିଳିତ ଭାବରେ ଉଦ୍ୟମ ଆବଶ୍ୟକ ।

Advertisment

ବର୍ତ୍ତମାନ ସମୟରେ ବୈଧ କାମ କରାଇବା ପାଇଁ ମଧ୍ୟ ଲୋକଙ୍କୁ ବାଧ୍ୟ ହୋଇ ଲାଂଚ ଦେବାକୁ ପଡ଼ୁଛି । ସରକାରୀ ବ୍ୟବସ୍ଥାରେ ପ୍ରଚଳିତ ଦୁର୍ନୀତି ଏତେ ବୃଦ୍ଧି ପାଇସାରିଛି ଯେ ଏବେ ଏହା ଘରୋଇ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିଛି। ସରକାରୀ କ୍ଷେତ୍ରରେ ଲାଭଜନକ ପଦବୀରେ ନିଯୁକ୍ତି, କୌଣସି କାମ କିମ୍ବା ଚୁକ୍ତିନାମା କିମ୍ବା କ୍ରୟ ଦେବାରେ ଦୁର୍ନୀତି ଘରୋଇ କ୍ଷେତ୍ରରେ ମଧ୍ୟ କିଛିଟା ସମାନ। କମିଶନ ସବୁଠି ଅଛି । ହେଲେ ଏସବୁ ଆଧାରରେ ଦେଶର ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁର୍ନୀତିଗ୍ରସ୍ତ କୁହାଯାଇପାରିବ ନାହିଁ ।

ବି.ଦ୍ର.- ଏହା ଲେଖିକାଙ୍କ ନିଜସ୍ୱ ମତ ।

ଅଧିକ ପଢ଼ନ୍ତୁ: ଘରେ କୋଟି କୋଟି ଟଙ୍କା, ପାଟିକୁ ଭଲ ଲାଗିଲା ଭଳି ଖାଦ୍ୟ ଖାଇବାକୁ ମନା

PM Modi Corruption
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ