ନୂଆଦିଲ୍ଲୀ: ଖାଇବା ତେଲ ଦର ଆକାଶଛୁଆଁ ହୋଇଛି। ଲିଟର ପିଛା ଦର ୧୮୦ ଟଙ୍କା ଛୁଇଁଥିବାବେଳେ ସାଧାରଣ ଖାଉଟିଙ୍କ ପାଇଁ ବୋଝ ହୋଇପଡିଛି। ତେବେ ଖାଇବା ତେଲ ଦରକୁ ନେଇ ମିଳିଛି ଏକ ଆଶ୍ୱସ୍ତିର ଖବର। ଖୁବ୍ ଶୀଘ୍ର ଖାଇବା ତେଲ ଦର କମିବ। ଖାଇବା ତେଲ ଆମଦାନୀ ହ୍ରାସ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ନାଶନାଲ ମିଶନ ଅନ ଏଡିବୁଲ୍ ଅଏଲସ୍ (ଅଏଲ ପାମ୍) ପାଇଁ ୧୧, ୦୪୦ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଆୟୋଜିତ ମନ୍ତ୍ରିମଣ୍ଡଳ ବୈଠକରେ କୃଷି ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ପାମ ଚାଷ କରିବା ପାଇଁ ଚାଷୀଙ୍କୁ ସବ୍ସିଡି ଏବଂ ରୋପଣ ସାମଗ୍ରୀରେ ସହାୟତା ଦେବାକୁ ସରକାର ଘୋଷଣା କରିଛନ୍ତି। ଏଥିସହିତ ଚାଷୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି।
ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସାମ୍ବାଦିକଙ୍କୁ କହିଛନ୍ତି, ପାମ୍ ଅଏଲର କଞ୍ଚାମାଲ ଦାମ ସରକାର ସ୍ଥିର କରିବେ। ଏଥିସହିତ ସରକାର ଏକଥା ମଧ୍ୟ କହିଛନ୍ତି, ଯଦି ତେଲ ବଜାର ମୂଲ୍ୟ ହ୍ରାସ ପାଏ ଏବଂ ଫସଲର ଉଚିତ ମୂଲ୍ୟ ଚାଷୀକୁ ନ ମିଳେ ତେବେ ସରକାର ଚାଷୀଙ୍କୁ ତା ଫସଲର ବଳକା ମୂଲ୍ୟ ଭରଣା କରିବେ।