• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସକୁ ସିଦ୍ଧୁ ଅଡ଼ୁଆ । ସିଦ୍ଧୁଙ୍କ ବିଦ୍ରୋହ ଆଗରେ ମୁଣ୍ଡ ନୁଆଁଇବେ ନାହିଁ କଂଗ୍ରେସ ହାଇକମାଣ୍ଡ । ଜରୁରୀ ସ୍ଥିତିରେ ରାଜ୍ୟ କଂଗ୍ରେସକୁ ବିପଦ ମୁହଁକୁ ଠେଲି ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ । ତେବେ ପଞ୍ଜାବରେ ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ଅଧକ୍ଷ୍ୟ ପଦରୁ ଇସ୍ତଫା ଦେବା ସିଦ୍ଧୁଙ୍କୁ ମହଙ୍ଗା ପଡିପାରେ । ରାଜ୍ୟ ପାଇଁ ନୂତନ ରାଜ୍ୟ ସଭାପତିଙ୍କ ପାଇଁ ବିଚାର କରୁଛନ୍ତି ହାଇକମାଣ୍ଡ । ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ପୁଣି କନ୍ଦଳ ଆରମ୍ଭ ହୋଇଛି । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନବଜୋତ ସିଂ ସିଦ୍ଧୁ ଗତକାଲି କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବାପରେ ପଞ୍ଜାବ କଂଗ୍ରେସରେ ସ୍ଥିତି ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର ।

ନବଜୋତ ସିଂ ସିଦ୍ଧୁଙ୍କ ପାଇଁ ପଞ୍ଜାବ କଂଗ୍ରେସରେ ମୁସ୍କିଲ ବଢ଼ିବାରେ ଲାଗିଛି । ସିଦ୍ଧୁଙ୍କ ଇସ୍ତଫା ଉପରେ କଂଗ୍ରେସ ହାଇକମାଣ୍ଡ କ୍ଷୁବ୍ଧ ଥିବାବେଳେ ତାଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାର ସମ୍ଭାବନା ରହିଛି । କେବଳ ଏତିକି ନୁହେଁ ଏପର୍ଯ୍ୟନ୍ତ ସିଦ୍ଧୁଙ୍କ ସହ କଥା ହୋଇନାହାଁନ୍ତି ଦଳର ନେତୃତ୍ୱ । ସେପଟେ ସିଦ୍ଧୁଙ୍କ ଇସ୍ତଫା ମଧ୍ୟ ଗ୍ରହଣ କରାଯାଇ ନାହିଁ । ପଞ୍ଜାବ ପ୍ରଭାରୀ ହରିଶ ରାୱତ ବୁଧବାର ଚଣ୍ଡିଗଡ଼ ଗସ୍ତରେ ଯିବାର ଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି । ଆଉ ଏଥିରୁ ସ୍ପଷ୍ଟ ହୋଇଯାଉଛି, ନବଜୋତ ସିଂ ସିଦ୍ଧୁଙ୍କ ମନମାନୀଙ୍କୁ ଆଇ କଂଗ୍ରେସ ହାଇକମାଣ୍ଡ ବରଦାସ୍ତ କରିବେ ନାହିଁ। ।

ସୂତ୍ର ଅନୁସାରେ କଂଗ୍ରେସ ହାଇ କମାଣ୍ଡ ସମ୍ପୂର୍ଣ୍ଣ ରୂପେ ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସପକ୍ଷରେ ରହିଛି । ବର୍ତ୍ତମାନ ରାଜ୍ୟ ପାଇଁ ନୂତନ ରାଜ୍ୟ ସଭାପତିଙ୍କ ସନ୍ଧାନ ଆରମ୍ଭ ହୋଇଛି । କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଭାପତି କୁଲଜିତ ନାଗ୍ରା ଓ ଲୁଧିଆନା କଂଗ୍ରେସ ସାଂସଦ ରବନୀତ୍ ସିଂ ବିଟୁ ନୂତନ ରାଜ୍ୟ କଂଗ୍ରେସ ସଭାପତି ପଦ ପାଇଁ ଦଉଡ଼ରେ ଅଛନ୍ତି ବୋଲି କୁହାଯାଉଛି ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସକାଳ ୧୦.୩ ରେ କ୍ୟାବିନେଟ ବୈଠକ ଡାକିଛନ୍ତି । ଗତକାଲି ନବଜୋତ ସିଂ ସିଦ୍ଧୁ ରାଜ୍ୟ ସଭାପତି ପଦ ଛାଡିବା ପରେ ତାଙ୍କୁ ସମର୍ଥନ କରି ରଜିଆ ସୁଲତାନା ମଧ୍ୟ ମନ୍ତ୍ରୀ ପଦ ଛାଡିଥିଲେ। ତାଙ୍କ ବ୍ୟତୀତ ଅନେକ ରାଜ୍ୟ କଂଗ୍ରେସ ନେତା ଇସ୍ତଫା ଦେଇଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ଆଗାମୀ ରଣନୀତି ଉପରେ ଚର୍ଚ୍ଚା କରିବ ।