• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପାକ୍ ସମର୍ଥିତ କାଶ୍ମୀର ସଲିଡାରିଟି ଡେ ବାର୍ତ୍ତାକୁ ନେଇ ବିବାଦ

  • ବାର୍ତ୍ତାକୁ ନେଇ ଭାରତରେ ପ୍ରବଳ ଜନ ଆକ୍ରୋଶ

  • କଂପାନୀଙ୍କ ସାମଗ୍ରୀ ବର୍ଜନ ଲାଗି ଅଭିଯାନ ଜୋରଦାର

ହୁଣ୍ଡାଇ, କିଆ, କେଏଫସି, ପିଜାହଟ୍ । କାଶ୍ମୀର ପ୍ରସଙ୍ଗରେ ଏସବୁ କଂପାନିଙ୍କ ପାକିସ୍ତାନୀ ୟୁନିଟର ଆଭିମୁଖ୍ୟକୁ ନେଇ ଝଡ଼ । ପାକିସ୍ତାନ ଦ୍ୱାରା ପାଳିତ କାଶ୍ମୀର ସଲିଡାରିଟି ଡେ ଅବସରରେ ଏସବୁ କଂପାନୀଙ୍କ ବାର୍ତ୍ତା ଭାରତୀୟଙ୍କୁ କ୍ରୋଧିତ କରିଛି । ଏହି କଂପାନୀଙ୍କ ସାମଗ୍ରୀ ବର୍ଜନ ଲାଗି ଅଭିଯାନ ଜୋରଦାର ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ କିଛି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ନିଜ ନିଜ ପାକିସ୍ତାନୀ ୟୁନିଟକୁ ତାଗିଦ୍ କରିଛନ୍ତି । ସେହିପରି ଏଭଳି ଘଟଣାର ପୁନରାବୃତ୍ତି ନହେବାକୁ ପ୍ରିତଶ୍ରୁତି ଦେଇଥିଲେ ଭାରତରେ ଥମିନି ଅସନ୍ତୋଷ । ଭାରତ ବିରୋଧୀ ଆଭିମୁଖ୍ୟ ଲାଗି ଏସବୁ କଂପାନୀଙ୍କୁ ପାନେ ଚଖେଇବା ଲାଗି ସୋସିଆଲ ମିଡିଆରେ କ୍ୟାମ୍ପେନିଂ ଆରମ୍ଭ ହୋଇଛି ।

ଭାରତ ବିରୋଧୀ ଆଭିମୁଖ୍ୟକୁ ନେଇ ହରଡ଼ଘଣାରେ ହୁଣ୍ଡାଇ, କିଆ, ଆଇସୁଜୁ, କେଏଫସି ଓ ପିଜାହଟ୍ ଭଳି ମଲଟି ନ୍ୟାସନାଲ କଂପାନି । ଏସବୁ ବିଦେଶୀ ବ୍ରାଣ୍ଡକୁ ବିରୋଧ କରି ଆରମ୍ଭ ହୋଇଛି ଆନ୍ଦୋଳନ, ନାରାବାଜି, ହୋହାଲ୍ଲା ଓ ବିକ୍ଷୋଭ ପ୍ରଦର୍ଶନ । ରାଜରାସ୍ତା ହେଉ କି ସୋସିଆଲ ମିଡିଆ ପ୍ଲାଟଫର୍ମ ସବୁଠି ଜୋର ଧରୁଛି ବୟକଟର ନାରା । ଏସବୁ କଂପାନୀଙ୍କ ସାମଗ୍ରୀ ବ୍ୟବହାର ନକରିବାକୁ ଆହ୍ୱାନ ଜଣାଇ ଶାଣିତ ହେଉଛି ବିରୋଧର ସ୍ୱର । ପାକିସ୍ତାନବାସୀଙ୍କୁ ଖୁସି କରି ବ୍ୟବସାୟ ବଢାଇବା ଚକ୍କର ଏମାନଙ୍କ ପାଇଁ ଆଗାମୀ ଦିନରେ ମହଙ୍ଗା ପଡିବାକୁ ଯାଉଛି । ଅହମ୍ମଦାବାଦର ହୁଣ୍ଡାଇ ଅଫିସ୍ ସାମ୍ନାରେ ବ୍ୟାନାର ଓ ପ୍ଲାକାର୍ଡ ଧରି ପ୍ରଦର୍ଶନକାରୀ ପ୍ରତିବାଦ କରୁଛନ୍ତି ‌ଆନ୍ଦୋଳନକାରୀ ।

ଗତ ୫ ତାରିଖ ପାକିସ୍ତାନ ପାଳିଥିଲା କାଶ୍ମୀର ଏକତା ଦିବସ । ଏହି ଅବସରରେ ପାକିସ୍ତାନ ହୁଣ୍ଡାଇ ପକ୍ଷରୁ କାଶ୍ମୀରବାସୀଙ୍କ ଅଭିନନ୍ଦନ ଜଣାଯିବା ସହ ଏଠାରେ ଚାଲିଥିବା ବିଚ୍ଛିନ୍ନବାଦୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲ କାଶ୍ମୀର । କାଶ୍ମୀରବାସୀଙ୍କର ବୋଲି ନିଜ ପୋଷ୍ଟରେ ଲେଖିଥିଲା କେଏଫସି ପାକିସ୍ତାନ । ସେହିପରି ଆମେ କାଶ୍ମୀରବାସୀଙ୍କ ସହ ଅଛୁ ବୋଲି ନିଜ ମେସେଜରେ ଉଲ୍ଲେଖ କରିଥିଲା ପିଜାହଟ୍ ପାକିସ୍ତାନ । କିଆ, ଆଇସୁଜୁ ଓ ସୁଜୁକି ପାକିସ୍ତାନ ପକ୍ଷରୁ ମଧ୍ୟ ସମାନ ଟୁଇଟ୍ କରାଯାଇଥିଲା । ଏସବୁ ଟୁଇଷ୍ଟ ଓ ପୋଷ୍ଟ ଅନଭେରିଫାଏଡ୍ ଆକାଉଣ୍ଟ ଜରିଆରେ କରାଯାଇଥିଲେ ମଧ୍ୟ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ହୁଣ୍ଡାଇ ଓ କିଆ ପକ୍ଷରୁ ଏଭଳି ପୋଷ୍ଟକୁ ନେଇ ନୂଆଦିଲ୍ଲୀ ପକ୍ଷରୁ ଦକ୍ଷିଣ କୋରିଆ ନିକଟରେ କଡ଼ା ଆପତ୍ତି ଉଠାଯାଇଥିଲା । ଏହାପରେ ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରୀ ଚୁଙ୍ଗ୍ ଇୟୁ ୟୋଙ୍ଗ ଭାରତୀୟ ପ୍ରତିପକ୍ଷ ଏସ୍. ଜୟଶଙ୍କରଙ୍କ ସହ ଟେଲିଫୋନ୍ ଯୋଗେ କଥା ହେବା ସହ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ଏପଟେ ହୁଣ୍ଡାଇ ଇଣ୍ଡିଆ ପକ୍ଷରୁ ମଧ୍ୟ ପାକିସ୍ତାନୀ ଡିଲର୍ସଙ୍କ ପକ୍ଷରୁ କରାଯାଇଥିବା ଟ୍ୱିଟକୁ ସମାଲୋଚନା କରାଯିବା ସହ ନିସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଛି । ପାକିସ୍ତାନ ୟୁନିଟ୍ ସହିତ ଏହାର କୌଣସି ସଂପର୍କରେ ନାହିଁ ବୋଲି କଂପାନୀ ଦର୍ଶାଇବା ସହିତ ବିବାଦୀୟ ଟ୍ୱିଟକୁ ଡିଲିଟ୍ କରିଦିଆଯାଇଥିବା ଦର୍ଶାଇଛି ।

ଏପଟେ ସୋମବାର ନୂଆଦିଲ୍ଲୀରେ ଅବସ୍ଥାପିତ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ଚାଙ୍ଗ ଜେ-ବୋକଙ୍କୁ ସମନ ଜାରି କରାଯିବା ସହ ଅସନ୍ତୋଷ ଜଣାଇଛି ଭାରତ । ଦେଶର ଆଞ୍ଚଳିକ ଅଖଣ୍ଡତା ସହ କୌଣସି ପ୍ରକାର ସାଲିସ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି । ସେପଟେ ଏହି ପ୍ରସଙ୍ଗରେ ବିଧିବଦ୍ଧ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣ କୋରିଆ ସରକାର । ଭାରତର ଲୋକଙ୍କ ବିରୋଧରେ ହୋଇଥିବା ଅପରାଧ ପାଇଁ ଦୁଃଖିତ ବୋଲି ଦକ୍ଷିଣ କୋରିଆ ସରକାର କହିଛନ୍ତି । ସେହିପରି ପିଜାହଟ୍ ଓ କେଏଫସି ପକ୍ଷରୁ ମଧ୍ୟ କ୍ଷମା ମଗାଯିବା ସହ ଆମେ ଭାରତର ସମ୍ମାନ କରୁବୋଲି କହିଛନ୍ତି ।

କାଶ୍ମୀର ପ୍ରସଙ୍ଗରେ ନିଜ ନିଜ ପାକିସ୍ତାନୀ ୟୁନିଟ୍ ଦ୍ୱାରା କରାଯାଇଥିବା ଟ୍ୱିଟକୁ ଏସବୁ କଂପାନୀ ପକ୍ଷରୁ ଅଗ୍ରାହ୍ୟ କରାଯାଇଛି । ସେହିପରି ଭାରତୀୟଙ୍କ ଭାବନାକୁ ଆଘାତ ପହଞ୍ଚିଥିବାରୁ ଏସବୁ କଂପାନୀ ନିସର୍ତ୍ତ କ୍ଷମା ମାଗିଛନ୍ତି । ତେବେ ଏହାସତ୍ତ୍ୱେ ବି ଥମିନି କ୍ରୋଧ । ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଏସବୁ କଂପାନୀଙ୍କୁ ପାନେ ଚଖାଇବାକୁ ଆରମ୍ଭ ହୋଇଛି ଅଭିଯାନ । ହୁଣ୍ଡାଇ, କିଆ କାର ସମେତ କେଏଫସି ଓ ପିଜା ହଟ୍ ସାମଗ୍ରୀ ବର୍ଜ୍ଜନ ଲାଗି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆରମ୍ଭ ହୋଇଚି କ୍ୟାମ୍ପେନ୍. ।

ହୁଣ୍ଡାଇ କାର କିଣିବାକୁ ଇଛା ରଖିଥିବା କିଛି ଗ୍ରାହକ ସେମାନଙ୍କ ମନ ପରିବର୍ତ୍ତନ କରିଥିବା ବେଳେ ଆଉ କିଛି ବୁକିଂ କ୍ୟାନସଲ କରିଦେଇଛନ୍ତି । ଆଇପିଏସ ଅରୁଣ ବୋଥ୍ରାଙ୍କ ସମେତ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବୟକଟ୍ ଅଭିଯାନକୁ ସମର୍ଥନ କରିଛନ୍ତି । ମାରୁତି ସୁଜୁକି ପରେ ହୁଣ୍ଡାଇ ଭାରତୀୟ ବଜାରରେ ଦ୍ୱିତୀୟ ସର୍ବବୃହତ କାର ବିକ୍ରେତା ହୋଇଥିବା ବେଳେ ଆଗାମୀ ଦିନରେ ଏହାର କାରବାର ବାଧାପ୍ରାପ୍ତ ହେବା ଆଶଙ୍କା ବଢିଯାଇଛି । ସେହିପରି ପ୍ରତିବାଦ ସ୍ୱରୂପ ଅନେକ ଗ୍ରାହକ ପିଜହଟ୍ ଓ କେଏପସି ଆପକୁନିଜ ମୋବାଇଲରୁ ହଟାଇ ଦେଇଛନ୍ତି ।

୧୯୯୧ ମସିହାରେ ଜମାତ-ଏ-ଇସଲାମୀ ନେତା ହୁସେନ୍ ଅହମଦ କାଶ୍ମୀର ଡେ ପାଳନର ପ୍ରସ୍ତାବ ଦେଇଥିଲେ । ସେତେବେଳେ ଜମାତ ସହାୟତାରେ ସରକାର ଗଢିଥିବା ନଓ୍ୱାଜ୍ ସରିଫ୍ ପ୍ରସ୍ତାବ ଗ୍ରହଣ କରିବା ସହ ଏହାକୁ କାଶ୍ମୀର ସଲିଡାରିଟି ଡେ ଷ୍ଟ୍ରାଇକ୍ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ୨୦୦୪ ମସିହାରୁ ବର୍ତ୍ତମାନ ପାଳନ ହେଉଥିବା କାଶ୍ମୀର ସଲିଡାରିଟି ଡେ ଆରମ୍ଭ ହୋଇଥିଲା । କାଶ୍ମୀରକୁ ମୁକ୍ତ କରିବା ଆହ୍ୱାନ ଦେଇ ପାକିସ୍ତାନ ପକ୍ଷରୁ ଏଭଳି ଅପପ୍ରଚାର ଜାରି ରହିଛି । କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଓ ନିଜ ନିୟନ୍ତ୍ରଣରେ ଥିବା ପିଓକେକୁ ତୁରନ୍ତ ଖାଲି କରିବା ଲାଗି ନୂଆଦିଲ୍ଲୀ ବାରମ୍ବାର ପାକିସ୍ତାନକୁ କହିଆସୁଛି ।

ହୁଣ୍ଡାଇ , କିଆ, କେଏଫସି, ସୁଜୁକି, ଇସୁଜୁ ବିଶ୍ୱର ଏହି ପ୍ରମୁଖ କମ୍ପାନୀମାନେ ପାକିସ୍ତାନୀ ଗ୍ରାହକଙ୍କୁ ଆକୃଷ୍ଟ ଓ ବ୍ୟବସାୟରେ ଫାଇଦା ପାଇଁ କରିଥିଲେ ଏହି ସବୁ ପୋଷ୍ଟ । ଗୋଟିଏ କି ଦୁଇଟି ନୁହେଁ ଏମିତି ଅନେକ ପୋଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲେ । ପାକିସ୍ତାନରେ ବ୍ୟବସାୟ କରୁଥିବା ଏହି ସବୁ କମ୍ପାନୀର ଆଉଟଲେଟ୍ କାଶ୍ମୀର ପ୍ରସଙ୍ଗ ବାହାନାରେ ଭାରତକୁ ଅପମାନିତ କରିବାକୁ ଅପଚେଷ୍ଟା କରି ନିନ୍ଦିତ ହୋଇଛନ୍ତି ।