କଚ୍ଛ : ଡରାଇ ପାରିନି ଦାରିଦ୍ର୍ୟ । ହରାଇ ପାରିନି ଅଭାବ, ଅନଟନ୍ । ଦୃଢ଼ ଇଚ୍ଛାଶକ୍ତି ଆଗକୁ ରାସ୍ତା କଢ଼େଇ ନେଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ ଚାରି ପିଲାଙ୍କ ଭାର ମୁଣ୍ଡରେ ଥିଲା । ପିଲାଙ୍କ ମୁହଁରେ ଖାଇବା ଦେବାକୁ ରାହା ପାଉନଥିଲେ । ମୁଣ୍ଡ କାମ କରୁନଥିଲା । ତଥାପି ହାରିଯାଇ ନଥିଲେ ଗୁଜୁରାଟର ରାଜୀବେନ୍ । ପିଲାବେଳେ ଶିଖିଥିବା ବୁଣାବୁଣି କାମ ପ୍ରତିକୂଳ ପରିସ୍ଥିତିରେ କାମରେ ଆସିଲା । ପ୍ଲାଷ୍ଟିକ୍ ବର୍ଜ୍ୟରୁ ନିଜର ବ୍ରାଣ୍ଡ୍ ତିଆରି କଲେ । ଆଜି ଦେଶ ତଥା ବିଦେଶରେ ତାଙ୍କ ହାତ ତିଆରି ସାମଗ୍ରୀର ଚାହିଦା ଢ଼େର୍ ।
ଗୁଜୁରାଟର କଚ୍ଛ ଜିଲ୍ଲାର ରାଜୀବେନ୍ ୱାଙ୍କର୍ । ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ବାପା ଚାଷ କରି ପରିବାର ଚଳାଉଥିଲେ । ବଡ଼ ପରିବାର ହୋଇଥିବାରୁ ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ କରିବା ମଧ୍ୟ ମୁସ୍କିଲ ହୋଇ ପଡ଼ୁଥିଲା । ଏପରିସ୍ଥଳେ ଝିଅମାନଙ୍କୁ ପାଠ ପଢ଼ାଇବାର କୌଣସି ପ୍ରଶ୍ନ ଉଠୁନଥିଲା । ତେଣୁ ସେ ପଢ଼ିପାରିଲେ ନାହିଁ । ତାଙ୍କ ପରିବାରର କିଛି ଲୋକ ବୁଣାବୁଣି କାମ କରୁଥିଲେ।
ରାଜୀବେନ୍ ମଧ୍ୟ ବୁଣାବୁଣି କାମ କରିବାକୁ ଚାହୁଁଥିଲେ ଏବଂ ବାପାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ । କିନ୍ତୁ ଝିଅମାନଙ୍କୁ ବୁଣାବୁଣି କାମ କରିବାକୁ ଅନୁମତି ନଥିଲା । ହେଲେ ରାଜୀବେନ୍ ବାପାଙ୍କ ସାମ୍ନାରେ ସବୁବେଳେ ଜିଦ୍ କରୁଥିଲେ । କିଛି ଶିଖିବାକୁ ଚାହୁଁଥିଲେ । ହେଲେ ତାଙ୍କ ବାପା ଝିଅକୁ କିଛି ଶିଖାଇବାକୁ ଡରୁଥିଲେ । କାରଣ ଝିଅ ଟଙ୍କା ଖାଇଲେ ଗାଁରେ ଟାହିଟାପରା କରିବେ ବୋଲି ତାଙ୍କର ଭୟ ଥିଲା ।
ରାଜୀବେନଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଥିବା ସମୟରେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ୍ ବିଗିଡ଼ିଗଲା । ଆଉ ସେ କାମଧାମ କରିପାରିଲେ ନାହିଁ । ଚାଷ କାମ ଛାଡ଼ିବାକୁ ପଡ଼ିଲା । ୭ ଭାଇଭଉଣୀଙ୍କ ମଧ୍ୟରୁ ତିନି ଭଉଣୀ ବିବାହ କରିଥିଲେ । ତାଙ୍କ ପରେ ବଡ଼ ଥିଲେ ରାଜୀବେନ ଅନ୍ୟ ଦୁଇ ଭଉଣୀ ଏବଂ ଭାଇ ସାନ ଥିଲେ । ବାପାଙ୍କୁ କୌଣସି ମତେ ସାହାଯ୍ୟ କରିବାକୁ ତଥା ଘର ଚଳାଇବାକୁ ବୁଣାବୁଣି କାମ ଶିଖିଲେ ରାଜୀବେନ । ଆଉ ବୁଣାବୁଣି କାମ ଶିଖିବା ପରେ କିଛି କିଛି ଆୟ କରିବା ଆରମ୍ଭ କଲେ । ବାପାଙ୍କୁ କିଛି କିଛି ସାହାଯ୍ୟ କରିବାକୁ ଲାଗିଲେ ।
୧୮ ବର୍ଷ ବୟସରେ ବିବାହ କରିଥିଲେ ରାଜୀବେନ୍ । ସ୍ୱାମୀ ଜଣେ ଶ୍ରମିକ ଭାବରେ କାମ କରୁଥିଲେ । ଶାଶୂଘରେ ମଧ୍ୟ ଦାରିଦ୍ର୍ୟ କମ୍ ନଥିଲା । ସ୍ୱାମୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ, ହେଲେ ସେଠାରେ ବି ଲୋକଲଜ୍ଜା ଭୟରେ କାମ କରିବାକୁ ଅନୁମତି ଦିଆଗଲା ନାହିଁ । ବିବାହର ୧୨ ବର୍ଷ ପରେ ହଠାତ୍ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା । ଆଉ କିଛି ଦିନ ମଧ୍ୟରେ ସେ ଆରପାରିକୁ ଚାଲିଗଲେ ।
ସ୍ୱାମୀଙ୍କ ମୃତ୍ୟୁ ପରେ ରାଜିବେନ୍ଙ୍କ ମୁଣ୍ଡରେ ଦୁଃଖର ପାହାଡ଼ ଲଦି ହୋଇଗଲା । ଏକାକୀ ଚାରି ପିଲାଙ୍କର ଯତ୍ନ ନେବାକୁ ପଡିଲା । ପାଖରେ କିଛି ସମ୍ବଳ ନଥିଲା, ନା ଥିଲା ରୋଜଗାରର ପନ୍ଥା । ପରିବାର ଚଳାଇବା ପାଇଁ ଏକ କାରଖାନାରେ ମଜୁରିଆ ଭାବେ କାମ କରିବା ଆରମ୍ଭ କଲେ । ସେଠାରେ ପ୍ରାୟ ୨ ବର୍ଷ କାମ କଲେ ରାଜୀବେନ୍ ।
୨୦୧୦ ମସିହାରେ ଖମୀର ନାମକ ଏକ କମ୍ପାନୀ ଆରମ୍ଭ ହୋଇଥିଲା । ବୁଣାକାରଙ୍କ ସହ ମିଳିତ ଭାବେ ଏହି କମ୍ପାନୀ କାମ କରୁଥିଲା । କମ୍ପାନୀ ତିଆରି ହୋଇଥିବା ସ୍ଥାନରେ ବହୁ କମ୍ ବୁଣାକାର ମହିଳା ଥିଲେ । ତେଣୁ କମ୍ପାନୀ ପକ୍ଷରୁ ରାଜିବେନଙ୍କୁ ଭେଟିବା ପାଇଁ ଡକାଗଲା । ଆଉ ତା’ପରେ ରାଜୀବେନ୍ ଙ୍କ କାମ ଦେଖିଥିଲା କମ୍ପାନୀ । ବୈଠକ ପରେ ସେ ଦୈନିକ ୧୦୦ ଟଙ୍କା ଦରମାରେ ସେଠାରେ ଚାକିରି ଆରମ୍ଭ କରିଥିଲେ ରାଜୀବେନ୍ ।
ଖମୀର କମ୍ପାନୀରେ କାମ କରିବା ରାଜିବେନଙ୍କ ପାଇଁ ଟର୍ଣ୍ଣି ପଏଣ୍ଟ୍ ଥିଲା । ରୋଜଗାର କରିବା ସହ ସେ ଅନେକ କିଛି ଶିଖିବାକୁ ପାଇଥିଲେ । କାମ ପାଇଁ ଭିନ୍ନ ଭିନ୍ନ ସ୍ଥାନକୁ ମଧ୍ୟ ଯାଉଥିଲେ । ୨୦୧୨ରେ ରାଜୀବେନଙ୍କ ଜୀବନର ଗତିପଥ ବଦଳିଗଲା । ଜଣେ ଫରାସୀ ଝିଅ ତାଙ୍କ କମ୍ପାନୀକୁ ଆସଥିଲେ । ସେ ଜଣେ ଫ୍ୟାଶନ ଡିଜାଇନର୍ ଥିଲେ ଏବଂ ପ୍ରଡକ୍ଟ ଡିଜାଇନିଂରେ କାମ କରୁଥିଲେ । ଆଉ ରାଜିବେନ୍ଙ୍କୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତରୁ ବୁଣାବୁଣି ପାଇଁ ତାଲିମ୍ ଦେଇଥିଲେ । ଏହା ପରେ ରାଜୀବନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସାହାଯ୍ୟରେ ବ୍ୟାଗ୍, ମ୍ୟାଟ୍, ପର୍ସ, ମୋବାଇଲ୍ କଭର ସହିତ ବିଭିନ୍ନ ପ୍ରକାରର ଉତ୍ପାଦ ତିଆରି କରିବା ଆରମ୍ଭ କଲେ । ଏହିପରି ସେ ବହୁତ ରୋଜଗାର କରିବା ଆରମ୍ଭ କଲେ । ପ୍ରାୟ ୮ ବର୍ଷ ପର୍ଯ୍ୟନ୍ତ ସେ ଖମୀର ସହିତ କାମ କଲେ ।
୨୦୧୮ରେ ସେ ନିଜର ଏକ କମ୍ପାନୀ ଆରମ୍ଭ କରିଥିଲେ । ଏତେ ଦିନର କାମ କରିବାର ଅନୁଭୂତିକୁ ପାଥେୟ କରି ନିଜର ଷ୍ଟାଟଅପ୍ ଆରମ୍ଭ କଲେ । କିଛି ମହିଳାଙ୍କୁ ତାଲିମ୍ ଦେଇ ନିଜ କମ୍ପାନୀରେ ରଖିଲେ । ମାର୍କେଟିଂ ପାଇଁ ସେ କାରିଗର କ୍ଲିନିକର ପ୍ରତିଷ୍ଠାତା ନୀଲେଶ ପ୍ରିୟଦର୍ଶୀଙ୍କ ସହାୟତା ନେଇଥିଲେ । ସେ ରାଜୀବେନଙ୍କ ପାଇଁ ଏକ ଇ-କମର୍ସ ପ୍ଲାଟଫର୍ମ ବିକଶିତ କରିଥିଲେ । ଯାହା ମାଧ୍ୟମରେ ସେମାନେ ରାଜୀବେନଙ୍କ ଉତ୍ପାଦର ମାର୍କେଟିଂ କରନ୍ତି ।
ବର୍ତ୍ତମାନ ରାଜିବେନ୍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ବ୍ୟାଗ, ପର୍ସ, ମସିଣା ସମେତ ଦୁଇ ଡର୍ଜନରୁ ଅଧିକ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ସାରା ଦେଶରେ ଅଫଲାଇନ୍ ଏବଂ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ନିଜ ସାମଗ୍ରୀ ବିକ୍ରି କରୁଛନ୍ତି । କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଏହି ଉତ୍ପାଦର ଚାହିଦା ରହିଛି ।
ଦାରିଦ୍ରତା ଏବଂ ପ୍ରତିକୂଳ ପରିସ୍ଥିତିକୁ ଆଡ଼େଇ ରାଜୀବେନ୍ ନିଜ ବ୍ୟବସାୟକୁ ଆଗେଇ ନେଇଛନ୍ତି । ପ୍ଲାଷ୍ଟିକ ବର୍ଜ୍ୟରୁ ତିଆରି ହୋଇଥିବା ସାମଗ୍ରୀ ବିକ୍ରି କରି ପ୍ରତିମାସରେ ସେ ଏକ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ନିଜେ ରୋଜଗାର କରିବା ସହ ସେ ବହୁ ସଂଖ୍ୟକ ସ୍ଥାନୀୟ ମହିଳାଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି।