ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ହମଲା, ନକ୍ସଲ ଦମନ ଅଭିଯାନରେ ଖତମ୍ ୩୧ ମାଓବାଦୀ

ଅମାବାସ୍ୟା ରାତିର ଘନ ଅନ୍ଧାରରେ ଲାଲଗଡ଼ରେ ପଶିଲେ, ଅନ୍ଧାଧୂନ ଫାୟାରିଂ କରି ଘଞ୍ଚ ଜଙ୍ଗଲରେ ୩୧ ମାଓବାଦୀଙ୍କୁ ନିପାତ କଲେ।

31 Naxals Killed

ଅମାବାସ୍ୟା ରାତିର ଘନ ଅନ୍ଧାରରେ ଲାଲଗଡ଼ରେ ପଶିଲେ, ଅନ୍ଧାଧୂନ ଫାୟାରିଂ କରି ଘଞ୍ଚ ଜଙ୍ଗଲରେ ୩୧ ମାଓବାଦୀଙ୍କୁ ନିପାତ କଲେ। ଛତିଶଗଡ଼ ଆବୁଝମାଡ୍ ଜଙ୍ଗଲରେ DRG ଏବଂ STF ମିଳିତ ଅପରେସନ, ନକ୍ସଲ ସଂଗଠନର ମେରୁଦଣ୍ଡକୁ ଦୋହଲାଇ ଦେଇଛି। କୁହାଯାଉଛି, ଏବର୍ଷ ଛତିଶଗଡ଼ରେ ଏହା ହେଉଛି ସବୁଠୁ ବଡ଼ ମାଓ ଅପରେସନ୍ । ଆଉ ଏ ହେଉଛି ସେହି ମାଓବାଦୀଙ୍କ ମୃତଦେହ । ଧାଡ଼ି ଧାଡ଼ି କରି ଛତିଶଗଡ଼ ଦନ୍ତେୱାଡ଼ା ଏସପିଙ୍କ ଅଫିସ ପରିସରରେ ରଖାଯାଇଛି ୩୧ଟି ଡେଡବଡ଼ି । ଜବତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ବି ରଖାଯାଇଛି ସାଇତି କରି ।

ଲାଲବାହିନୀଙ୍କ ସୁରକ୍ଷାଗଡ଼ କୁହାଯାଉଥିବା ଛତିଶଗଡ଼ ଆବୁଝମାଡ୍ ଜଙ୍ଗଲରେ ହୋଇଥିବା ଅପରେସନ୍ ହୋସ୍ ଉଡ଼ାଇଦେଇଛି ଅନ୍ୟ ମାଓ ସଂଗଠନକୁ । ୪୮ ଘଣ୍ଟାରୁ ଅଧିକ ସମୟର ନନଷ୍ଟପ୍ ଅପରେସନ୍ ସାରି ଜଙ୍ଗଲ ଭିତରୁ ଫେରିଛନ୍ତି ସୁରକ୍ଷାକର୍ମୀ । ଫେରୁଛନ୍ତି ଜଙ୍ଗଲ ଭିତରୁ। ହାତରେ ଅସ୍ତ୍ରଶସ୍ତ୍ର...କାନ୍ଧରେ ମାଓବାଦୀଙ୍କ ମୃତଦେହ ଧରି ହେଡକ୍ବାର୍ଟର ମୁହାଁ ସମସ୍ତେ । ଗୋଟିଏ କି ଦୁଇଟି ନୁହଁ, ଆଗପଛ ହୋଇ ୩୧ ନକ୍ସଲଙ୍କ ଡେଡବଡ଼ି ଧରି ଫେରୁଛନ୍ତି ସଫଳତାର ସହ ।

ସାହସୀ ଯବାନଙ୍କ ମୁହଁରୁ ହିଁ ବାରି ହେଉଛି, କେମିତି ଥିଲା ନକ୍ସଲ ବିରୋଧୀ ଅପରେସନ୍...ଦମ୍ଭ ଆଉ ସାହସର ପ୍ରତୀକ ସାଜି ଲାଲଗଡ଼ରେ ପଶି କେମିତି ନକ୍ସଲ ଦମନ ପରେ ଫେରୁଛନ୍ତି ମହିଳା ଯବାନ । ଏମାନଙ୍କ ମଧ୍ୟରୁ କିଏ ଦନ୍ତେୱାଡ଼ା ଏବଂ ନାରାୟଣପୁର DRG ଯବାନ ତ ଆଉ କିଏ ସ୍ପେଶାଲ୍ ଟାସ୍କଫୋର୍ସ । କୁହାଯାଉଛି, ନିହତ ମାଓବାଦୀମାନେ ବସ୍ତର ଡିଭିଜନ୍ ଏବଂ PLGAର ।

ଖବର ଆସିଲା ଦନ୍ତେୱାଡ଼ା ଓ ନାରାୟଣପୁର ଜିଲ୍ଲା ସୀମାନ୍ତ ଆବୁଝମାଡ଼ ଜଙ୍ଗଲରେ ହେବାକୁ ଯାଉଛି ବଡ଼ ଧରଣର ମାଓମେଳି। ବଡ଼ ରଣନୀତି ପାଇଁ ୪୦ରୁ ୫୦ ନକ୍ସଲ ଠୁଳ ହେବାକୁ ଯାଉଛନ୍ତି । ଏହି ଖବର ପରେ ଦନ୍ତେୱାଡ଼ା DRG ଆଡିସନାଲ ଏସପି ଏବଂ ଡିଏସପି ଅପରେସନ, ନାରାୟଣପୁର ଡିଆରଜିର ଡିଏସପିଙ୍କ ନେତୃତ୍ବରେ ତିଆରି ହେଲା ଟିମ୍ । ଅକ୍ଟୋବର ୨ର ଅମାବାସ୍ୟା ରାତି । ଦନ୍ତେୱାଡ଼ା ଏବଂ ନାରାୟଣପୁରରୁ ଦଳବଳ ଧରି କିଛି ବାଟ ଭ୍ୟାନରେ ଗଲେ । ପରେ ୧୫ କିଲୋମିଟର ଦୂରରୁ ଦୁର୍ଗମ ପାହାଡ଼, ନଦୀ ନାଳ ଡେଇଁ ଅନ୍ଧାର ରାତିରେ ବର୍ଷା ସତ୍ତ୍ବେ ଚାଲି ଚାଲି ଆବୁଝମାଡ଼ ଜଙ୍ଗଲମୁହାଁ ହେଲେ ଯବାନ । ୨ଦିନ ଧରି ଚାଲିବା ପରେ ପହଞ୍ଚିଥିଲେ ଲକ୍ଷ୍ୟସ୍ଥଳରେ ।

ଅକ୍ଟୋବର ୪। ସମୟ ଦିନ ପ୍ରାୟ ଗୋଟାଏ । ସୁରକ୍ଷାକର୍ମୀ ପହଞ୍ଚିଥିବା ଜାଣି ମେଳି ବାନ୍ଧିଥିବା ନକ୍ସଲ ଆରମ୍ଭ କରିଦେଲେ ଫାୟାରିଂ । ବାସ୍..ତାପରେ ନକ୍ସଲ-ସୁରକ୍ଷାକର୍ମୀ ମଧ୍ୟରେ ଚାଲିଲା ଗୁଳି ବିନିମୟ । ପ୍ରତିଟି ମୁହୁର୍ତ୍ତରେ ଯବାନଙ୍କ ଗୁଳିରେ ଟଳିପଡୁଥିଲେ ଜଣଙ୍କ ପରେ ଜଣେ ନକ୍ସଲ । ଏଭଳି ଭାବେ ରାତି ପ୍ରାୟ ୮ଟା ଯାଏଁ ଗୁଳି ବିନିମୟ ଚାଲିଥିଲା । ଯେଉଁଥିରେ ୧୫ କ୍ୟାଡର ମାଓବାଦୀଙ୍କ ସହ ନିପାତ ହୋଇଗଲେ ମୋଟ୍ ୩୧ ନକ୍ସଲ। ଏସବୁ କ୍ୟାଡରଙ୍କ ମୁଣ୍ଡ ଉପରେ ଥିଲା କୋଟିଏରୁ ଅଧିକ ଟଙ୍କାର ପୁରସ୍କାର ରାଶି । ମୃତକଙ୍କ ମଧ୍ୟରେ ଅଛି ଇଷ୍ଟ୍ ଗୋଦାବରୀ ଡିଭିଜନ୍ ମୁଖ୍ୟ ଉର୍ମିଳା।

ମାଓ ଦମନ କ୍ଷେତ୍ରରେ ସତ ହେବାକୁ ଯାଉଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମିଶନ୍ ଛବିଶ୍ । କାରଣ ୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ ପାଇଁ ଶାହ ଟାର୍ଗେଟ୍ ଦେଇଥିଲେ। ସେହି ଅନୁଯାୟୀ କ୍ରମାଗତ ଅପରେସନ ଜାରି ରହିଥିବାବେଳେ ଛତିଶଗଡ଼ରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୮୮ ମାଓବାଦୀ ଟଳିଲେଣି। ଆଉ ଏବେକାର ସଫଳତା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଶାହ।