ଆସନ୍ତାକାଲି ଚନ୍ଦ୍ରୟାନ ଥ୍ରୀ ପାଇଁ ଆଉ ଏକ ବଡ଼ ପରୀକ୍ଷା

ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଦୁର୍ବଳ ହୋଇଥିବାରୁ, ଠିକ୍ ସମୟରେ ସ୍ପେଶକ୍ରାଫ୍ଟର ବେଗ ହ୍ରାସ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ରହିବ ।

Chandrayaan-3

ଆସନ୍ତାକାଲି ଚନ୍ଦ୍ରୟାନ ଥ୍ରୀ ପାଇଁ ଆଉ ଏକ ବଡ଼ ପରୀକ୍ଷାର ଦିନ। ଆସନ୍ତାକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଚନ୍ଦ୍ରର କକ୍ଷପଥରେ ସ୍ପେଶ୍ କ୍ରାଫ୍ଟକୁ ପ୍ରବେଶ କରାଇବ ଇସ୍ରୋ। ପୃଥିବୀ ନିକଟରୁ ବିଦାୟ ନେଇଥିବା ଚନ୍ଦ୍ରୟାନ-୩ କ୍ରମେ ଚନ୍ଦ୍ରର ନିକଟତର ହେବାରେ ଲାଗିଛି। ଚନ୍ଦ୍ରୟାନ ୩ ଆଜି ସୁଦ୍ଧା ଚନ୍ଦ୍ରଠୁ ମୋଟ ଦୂରତାର ୩ ଭାଗରୁ ଦୁଇ ଭାଗ ଅତିକ୍ରମ କରି ସାରିଛି। ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶର ସତୀଶ ଧାବନ ଉତକ୍ଷେପଣ କେନ୍ଦ୍ରରୁ ଚନ୍ଦ୍ରୟାନ ୩କୁ ସଫଳ ଉତକ୍ଷେପଣ କରାଯାଇଥିଲା।

ତା ପରେ ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରୁଥିବା ଚନ୍ଦ୍ରୟାନର ଟ୍ରାନ୍ସ ଲୁନାର ଇଞ୍ଜେକ୍ସନ ପ୍ରକ୍ରିୟା ବା-TLI ଗତ ୧ ତାରିଖରେ ସଫଳ ହୋଇଥିଲା। ପୃଥିବୀଠୁ ଚନ୍ଦ୍ରର ହାରାହାରି ଦୂରତା ୩.୮ ଲକ୍ଷ କିଲୋମିଟର ହୋଇଥିବା ବେଳେ, ଏବେ ଦୁଇ ତୃତୀୟାଂଶ ପଥ ଅତିକ୍ରମ କରିସାରିଛି ଚନ୍ଦ୍ରୟାନ-୩ । ଆସନ୍ତାକାଲି ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଦୁର୍ବଳ ହୋଇଥିବାରୁ, ଠିକ୍ ସମୟରେ ସ୍ପେଶକ୍ରାଫ୍ଟର ବେଗ ହ୍ରାସ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ରହିବ ।

ତେବେ ଯାଇ ଚନ୍ଦ୍ରୟାନ-୩ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଟାଣି ହୋଇ, ଏହାର କକ୍ଷପଥରେ ପ୍ରବେଶ କରିବାରେ ସଫଳ ହେବ । ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଆଶା ରଖିଛି ଇସ୍ରୋ।