• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କୋମଳମତି ଶିଶୁ ପିନ୍ଧିବେ ହେଲମେଟ୍ । ୯ ମାସରୁ ଅଧିକ ଶିଶୁ ଦୁଇ ଚକିଆ ଯାନରେ ଯାଉଥିଲେ ହେଲମେଟ୍ ବାଧ୍ୟତାମୂଳକ ଏନେଇ ଗେଜେଟ୍ ନୋଟିଫିକେସନ୍ କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଜାରି କରିଛି । ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ରୁ ଏହି ନିୟମ ଲାଗୁ ହେବ। ହେଲମେଟ୍ ସହ ସୁରକ୍ଷା ବେଲ୍ଟକୁ ବି ବାଧ୍ୟତାମୂଳକ କରାଯାଇଛି । ତେବେ ଶିଶୁଙ୍କ ମୁଣ୍ଡ ସିଧା ହୋଇନଥିବା ବେଳେ କେମିତି ହେଲମେଟ୍ ପିନ୍ଧିବେ ବୋଲି ପ୍ରଶ୍ନ କରିଛନ୍ତି ବିଶେଷଜ୍ଞ ।

କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟର ନୂଆ ନିୟମ, କୋମଳମତି ଶିଶୁ ବି ପିନ୍ଧିବେ ହେଲମେଟ୍ । ୯ ମାସରୁ ୪ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ବାଇକରେ ନିଆଗଲେ ହେଲମେଟ୍ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏନେଇ ଗତ ୧୫ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି । ଆସନ୍ତା ବର୍ଷ ଅର୍ଥାତ ୨୦୨୩ ଫେବୃଆରୀ ୧୫ରୁ ଏହି ନିୟମ ଲାଗୁ ହେବ । ହାଲୁକା ଓ ୱାଟର ଫ୍ରୁପ୍ ହେଲମେଟ ବ୍ୟବାହାର ପାଇଁ କୁହାଯାଇଛି ।

ସେହିପରି ଦୁଇ ଚକିଆ ଯାନରେ ଶିଶୁ ବସିଥିଲେ, ଏହାର ବେଗ ୪୦ କିଲୋମିଟର ପ୍ରତି ଘଣ୍ଟାରୁ ଅଧିକ ହେବ ନାହିଁ । ଏହି ନିୟମର ଖିଲାପ କଲେ ୧ ହଜାର ଟଙ୍କା ଜରିମାନା ସହ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ବୋଲି କୁହାଯାଇଛି । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ନୂଆ ନିୟମକୁ ସ୍ଵାଗତ କରିଥିବା ବେଳେ ତର୍ଜମା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ହେଲମେଟ୍ ସହ ବାଇକରେ ଶିଶୁଙ୍କ ପାଇଁ ଏକ ସେଫ୍ଟୀ ହାର୍ନେସ ମଧ୍ୟ ରଖିବାକୁ ନିୟମ କରିଛନ୍ତି କେନ୍ଦ୍ର ସରକାର । ସେଫ୍ଟୀ ହାର୍ନେସ ଅର୍ଥାତ, ନିରାପଦା ଦୃଷ୍ଟିରୁ ବାଇକ୍ ଆରୋହୀଙ୍କ ସହ ଶିଶୁକୁ ଏକ ବେଲ୍ଟରେ ବନ୍ଧାଯିବ । ଏହି ସେଫ୍ଟୀ ହାର୍ନେସ ବା ନିରାପଦ ବେଲ୍ଟର ୩୦ କେଜି ଯାଏଁ ବାନ୍ଧି ରଖିବାର କ୍ଷମତା ଥିବା ଦରକାର । ନୂଆ ନିୟମକୁ ଅଭିଭାବକ ସ୍ଵାଗତ କରିଥିବା ବେଳେ ପ୍ରଶ୍ନ ଉଠାଇଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ ସୟଦ ମକବୁର୍ ଅଲ୍ଲୀ । ୪ ବର୍ଷରୁ କମ୍ ଶିଶୁଙ୍କ ବେକ ଶକ୍ତ ହୋଇନଥିବାରୁ ହେଲମେଟ୍ ପିନ୍ଧାଇବା ବିପଦଜନକ, ସେହିପରି ସେଫ୍ଟୀ ହାର୍ନେସ୍ ବଦଳରେ ସାଇଡ କାର୍ ବ୍ୟବହାର ବେଶୀ ନିରାପଦ ବୋଲି ମତ ଦେଇଛନ୍ତି । ମାର୍କେଟରେ ଶିଶୁଙ୍କ ଓଜନ ଅନୁଯାୟୀ ହାଲକା ହେଲମେଟ୍ ଆସି ନଥିବାରୁ ନୂଆ ନିୟମକୁ ଲାଗୁ ପାଇଁ ବର୍ଷେ ସମୟ ଦେଇଛନ୍ତି ସରକାର।