ଆଉ ନାହାନ୍ତି ଶିଳ୍ପପତି ସାଇରସ୍‌ ମିସ୍ତ୍ରୀ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଶିଳ୍ପପତି ସାଇରସ୍‌ ମିସ୍ତ୍ରୀଙ୍କ ପରଲୋକ ।

ସାଇରସ୍ ମିସ୍ତ୍ରୀଙ୍କ ପରଲୋକ

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ (Cyrus Mistry)ଙ୍କ ପରଲୋକ । ମହାରାଷ୍ଟ୍ର ପାଲଘର ନିକଟରେ ହୋଇଥିବା ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଉଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମୃତ୍ୟୁ ବେଳକୁ ସାଇରସ୍ ମିସ୍ତ୍ରୀଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ପାଲଘର ଏସପି ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସାଇରସ୍ ମିସ୍ତ୍ରୀ ନିଜ ମର୍ସିଡିଜ୍ କାରରେ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସମୟରେ ଦ୍ୱିପହର ପ୍ରାୟ ୩.୧୫ ସମୟରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ କାରଟି ଦ୍ରୁତ ଗତିରେ ମୁମ୍ବାଇ ଆଡ଼କୁ ମାଡ଼ି ଆସୁଥିଲା । ତେବେ ନିୟନ୍ତ୍ରଣ ହରାଇବା ପରେ   ଡିଭାଇଡରରେ ପିଟି ହୋଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂର୍ଯ୍ୟା ନଦୀ ଉପରେ ହୋଇଥିବା ସେତୁ ଉପରେ ଦୁର୍ଘଟଣା ଘଟିଛି । କାରରେ ୪ ଜଣ ସବାର ଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ସାଇରସ୍ ମିସ୍ତ୍ରୀ ଭାରତୀୟ ମୂଳର ସବୁଠାରୁ ସଫଳ ଏବଂ ଶକ୍ତିଶାଳୀ ବ୍ୟବସାୟୀମାନଙ୍କ ମଧ୍ୟରୁ ଅନ୍ୟତମ ପଲୋନଜୀ ଶାପୁରଜୀ ମିସ୍ତ୍ରୀଙ୍କ ପୁଅ । ସାଇରସ୍ ମିସ୍ତ୍ରୀ ଆୟର୍ଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ । ସେ ଲଣ୍ଡନ ବ୍ୟବସାୟ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସାଇରସ୍‌ ୧୯୯୧ରୁ ନିଜ ପାରିବାରିକ ପାଲୋଞ୍ଜୀ ଗ୍ରୁପରେ କାମ କରିବା ଆରମ୍ଭ କରିଥିଲେ ।

ସୂଚନାଯୋଗ୍ୟ ୨୦୧୨ରେ ରତନ ଟାଟାଙ୍କ ଇସ୍ତଫା ପରେ ସାଇରସ୍ ମିସ୍ତ୍ରୀଙ୍କୁ ଟାଟା ସନ୍ସର ଚେୟାରମ୍ୟାନ୍ ପଦ ଦିଆଯାଇଥିଲା । ତେବେ ୪ ବର୍ଷ ମଧ୍ୟରେ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା । ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।