• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାତ ଘଣ୍ଟା ତିଷ୍ଠିଲା ନାହଁ ସାତ ଜନ୍ମର ସମ୍ପର୍କ । ପରିବାର ସଦସ୍ୟଙ୍କ ସହମତିରେ ପ୍ରଥମେ କୋର୍ଟରେ ବିବାହ ହୋଇଥିଲା । ତା’ପରେ ରୀତିନୀତିରେ ବିବାହ ହୋଇଥଇଲା । ବିବାହ ପରେ ବାପଘର ଲୋକ ଝିଅକୁ ଗାଡିରେ ବସାଇ ବର ସହ ଶାଶୂଘରକୁ ପଠାଇ ଦେଇଥିଲେ । ହେଲେ ଶାଶୂଘରରେ ପହଞ୍ଚିବା ପୂର୍ବରୁ ଅଧାବାଟରୁ ବରକୁ ଛାଡି ଫେରିଆସିଲା କନ୍ୟା । ଶାଶୂଘର ଦୂର ହେବାରୁ ନବ ବିବାହିତା ବିବାହ ଭାଙ୍ଗି ଘରକୁ ଫେରି ଆସିଥିବା ଜଣାପଡ଼ିଛି । କନ୍ୟା ଘର ଉତ୍ତରପ୍ରଦେଶ ହୋଇଥିବା ବେଳେ ବରଙ୍କ ଘର ଥିଲା ରାଜସ୍ଥାନରେ ।

ଉତ୍ତରପ୍ରଦେଶ ବନାରସର ବୈଷ୍ଣବୀଙ୍କ ସହ ରାଜସ୍ଥାନ ବିକାନେରର ରବିଙ୍କ ବିବାହ ସ୍ଥିର ହୋଇଥିଲା । ଗୁରୁବାର ଦିନ ବାଜା ବଜାଇ ବାଣ ଫୁଟାଇ ବରଯାତ୍ରୀ ନେଇ ବନାରସକୁ ଆସିଥିଲେ ରବି । ଅଯଥା ଖର୍ଚ୍ଚ ନକରିବା ଉଦ୍ଦେଶ୍ୟରେ ରବି ଏବଂ ବୈଷ୍ଣବୀଙ୍କର ବିବାହ ପ୍ରଥମେ କୋର୍ଟରେ କରାଯାଇଥିଲା । ପରେ ରୀତିନୀତି ଅନୁଯାୟୀ ବେଦୀରେ ବସି ଦୁହେଁ ବିବାହ କରିଥିଲେ ।

ବିବାହ ଶେଷ ହେବା ପରେ ବାପଘର ଲୋକେ ସାଧ୍ୟ ମତେ ଉପହାର ଦେଇ ଝିଅକୁ ଶାଶୁଘରକୁ ପଠାଇଲେ । ହେଲେ ଘରୁ ବିଦା ହୋଇ ବନାରସ ଠାରୁ ୪୦୦କିଲୋମିଟର ଯାତ୍ରା କରିବା ପରେ ବୈଷ୍ଣବୀ ରବିଙ୍କୁ ପଚାରିଥିଲେ, ଆଉ କେତେ ସମୟ ପରେ ଘରେ ପହଞ୍ଚିବା । ରବି ଯେତେବେଳେ କହିଲେ ଆଉ ୯୦୦ କିମି ଯାତ୍ରା ପରେ ଘର ଆସିବ, ବୈଷ୍ଣବୀଙ୍କ ମୁଣ୍ଡ କାମ ଦେଇ ନଥିଲା । ସେ କେତେବେଳେ ଗାଡ଼ି ରହିବ, ଅପେକ୍ଷା କରି ରହିଲେ ।

ଠିକ୍‌ ଏହି ସମୟରେ ରବି ଚା’ ଏବଂ ଜଳଖିଆ ଖାଇବାକୁ ଏକ ପେଟ୍ରୋଲ ପମ୍ପ ନିକଟରେ କାର ଅଟକାଇଥିଲେ । ଆଉ ରବି ଯେପରି ଗାଡ଼ିରୁ ବାହାରିଛନ୍ତି, ପାଖରେ ଠିଆ ହୋଇଥିବା ପୋଲିସ୍‌ ପାଖରେ ହାଜର ହୋଇଗଲେ ବୈଷ୍ଣବୀ ।

ମୁଁ ଏତେ ଦୂର ଶାଶୂଘରକୁ ଯିବି ନାହିଁ କହି ଅଡ଼ି ବସିଥିଲେ । ଯେତେ ବୁଝାଇଲେ ମଧ୍ୟ ବୁଝିନଥିଲେ । କାନ୍ଦି କାନ୍ଦି ଅଥୟ ହୋଇ ପଡ଼ିଥିଲେ । ବନାରସରୁ ଏତେ ବାଟ ଆସି ଥକି ଗଲାଣି, ଆଉ ଆଗକୁ ଯାଇପାରିବି ନାହିଁ । ଅଧା ରାସ୍ତାରେ ହିଁ ବିବାହ ଭାଙ୍ଗିବା ପାଇଁ ରୋକଠୋକ୍‌ ଶୁଣାଇ ଦେଲେ ବୈଷ୍ଣବୀ ।

କନ୍ୟା ଠାରୁ ପୁରା କାହାଣୀ ଶୁଣିବା ପରେ ପୋଲିସ ସମସ୍ତଙ୍କୁ ମହାରାଜପୁର ପୋଲିସ ଷ୍ଟେସନକୁ ନେଇଯାଇଥିଲା । ସେଠାରେ ଥାନାବାବୁ ସତୀଶ ରାଠୋର ରବିଙ୍କ ସହିତ କଥା ହୋଇଥିଲେ । ରବି କୋର୍ଟରେ ବିବାହ କାଗଜପତ୍ର ଦେଖାଇ କହିଥିଲେ ଆମେ ବିକାନେରର ବାସିନ୍ଦା । ଆମ ଘର ଦୂର ବୋଲି ଝିଅ ଘର ଜାଣିଥିଲେ । କିନ୍ତୁ ବର୍ତ୍ତମାନ ବୈଷ୍ଣବୀ କହୁଛନ୍ତି, ମୁଁ ବିବାହ ପରେ ସେତେ ଦୂର ଯିବାକୁ ଚାହେଁ ନାହିଁ । ଏହା ପରେ ଥାନାବାବୁ ବୈଷ୍ଣବୀଙ୍କ ମା’ଙ୍କ ସହ କଥା ହୋଇଥିଲେ ।

ବୈଷ୍ଣବୀଙ୍କ ମା’ କହିଥିଲେ, ସ୍ୱାମୀ ନଥିବାରୁ ଜଣେ ସମ୍ପର୍କୀୟଙ୍କ ଦ୍ୱାରା ଝିଅର ବିବାହ ସ୍ଥିର ହୋଇଥିଲା । ରବି ପ୍ରୟାଗରାଜରେ ରହୁଥିବା କଥା ଆମକୁ କୁହାଯାଇଥିଲା । ଝିଅ ଯଦି ବିକାନେର ଯିବାକୁ ଚାହୁଁନି, ତେବେ ତାକୁ ଆମ ଘରକୁ ପଠାଇ ଦିଅ । ମା’ଝିଅଙ୍କ ଏପରି କଥା ଶୁଣିବା ପରେ ପୋଲିସ୍‌ ବା କ’ଣ କରିଥାଆନ୍ତା । ଏହା ପରେ ବୈଷ୍ଣବୀଙ୍କୁ ବନାରସ ପଠାଇ ଦେବା ସହ ରବିଙ୍କୁ ଏକା ଏକା ଘରକୁ ଫେରିବାକୁ ପଡ଼ିଲା ।