• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ

  • ବଦଭ୍ୟାସ ଛାଡ଼ିପାରୁନି ଡ୍ରାଗନ୍

ବେଜିଂ : ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ । ସବୁବେଳେ ନିଜ ଦେଶର ପରିସୀମା ବଢ଼ାଇବା ଚକରରେ ବିସ୍ତାରବାଦୀ ଚୀନର ଟାର୍ଗେଟରେ ଭାରତ । କେଉଁଠି ପାନେ ଖାଉଛି, ତ କେଉଁଠି ଆଲୋଚନାରେ ବସୁଛି । ହେଲେ ବଦଭ୍ୟାସ ଛାଡ଼ି ପାରୁନି ଡ୍ରାଗନ୍ । ଗତ ଅଗଷ୍ଟରେ ଚୀନ୍ ସୈନ୍ୟ ଉତ୍ତରାଖଣ୍ଡରେ ଭାରତ ସୀମା ଭିତରକୁ ପଶିଆସିଥିବା ବେଳେ, ୧୦ ଦିନ ତଳେ ଅରୁଣାଚଳ ପ୍ରଦେଶରେ ବି ସମାନ ଧରଣର କାଣ୍ଡ ଦେଖିବାକୁ ମିଳିଛି । ତେବେ ଏସବୁ ସ୍ଥାନରେ ଗଲଓ୍ୱାନ୍ ଭଳି ସ୍ଥିତି ଉପୁଜିବା ଆଗରୁ ବିବାଦର ସମାଧାନ ହୋଇଯାଇଥିଲା ଏବଂ PLA ଯବାନ ନିଜ ଦେଶକୁ ଫେରିଯାଇଥିଲେ ।

ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ପୁଣି ଉତ୍ତେଜନା ମୁହାଁମୁହିଁ PLA ଓ ଭାରତୀୟ ସେନା । ୧୦ ଦିନ ତଳେ ଅରୁଣାଚଳପ୍ରଦେଶର ତଓ୍ୱାଙ୍ଗରେ ସାମ୍ନାସାମ୍ନି ହୋଇଥିଲେ ଦୁଇ ଦେଶର ସୈନ୍ୟ। ବେଶ୍ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଲାଗି ରହିଥିଲା । ତେବେ ସ୍ଥାନୀୟ କମାଣ୍ଡରଙ୍କ ମଧ୍ୟରେ ଆଲୋଚନା ପରେ ଉଭୟ ଦେଶର ସୈନ୍ୟ ନିଜ ନିଜ ଅଞ୍ଚଳକୁ ଫେରିଯାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଶହେରୁ ଅଧିକ ଚୀନି ସୈନ୍ୟ ତଓ୍ୱାଙ୍ଗରେ ପ୍ରାୟ ୫ କିଲୋମିଟର ଭାରତୀୟ ଅଞ୍ଚଳ ମଧ୍ୟକୁ ପଶିଆସିଥିଲେ ।

ତେବେ ସୁରକ୍ଷା ଦାୟିତ୍ୱରେ ଥିବା ଆଇଟିବିପି ଯବାନ ସେମାନଙ୍କ ମୁକାବିଲା କରିଥିଲେ । ଫଳରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସୀମାରେ ଏଧରଣର ଉତ୍ତେଜନା ହ୍ରାସ ଲାଗି ଦୁଇ ଦେଶ ମଧ୍ୟରେ ଥିବା ପୂର୍ବ ରାଜିନାମା ଅନୁଯାୟୀ ଆଲୋଚନା ପରେ ସ୍ଥିତି ଶାନ୍ତ ପଡିଥିଲା । ପାଟ୍ରୋଲିଂ ବେଳେ ଏଭଳି ଘଟଣା କିଛି ନୂଆ କଥା ନଥିଲେ ବି, ଶହେରୁ ଅଧିକ ଚୀନ ସୈନ୍ୟ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ଉଦବେଗର ବିଷୟ । କାରଣ ତଓ୍ୱାଙ୍ଗକୁ ନିଜ ଅଞ୍ଚଳ ବୋଲି ଦାବି କରୁଛି ଚୀନ୍ । ଏହା ଦକ୍ଷିଣ ତିବ୍ବତର ଅଂଶ ବୋଲି ବେଜିଂ ଯୁକ୍ତି କରୁଛି ।

ଅନ୍ୟପକ୍ଷରେ ଚୀନ୍ ସୈନ୍ୟ ପୂର୍ବରୁ ବାରମ୍ବାର ଏହି ଅଞ୍ଚଳରେ ଅନୁପ୍ରବେଶ କରିବା ସହ ଭାରତ ଦ୍ୱାରା ନିର୍ମିତ ବଙ୍କର୍ ଓ ଅନ୍ୟ ଭିତ୍ତିଭୂମିକୁ ନଷ୍ଟ କରିଦେବାର ନଜିର ରହିଛି । ମାତ୍ର ଏଥର ସଜାଗ ଭାରତୀୟ ସୈନ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ କରିବା କାରଣରୁ ଚୀନ୍ ସୈନ୍ୟ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇପାରିନଥିଲେ ।

ଗତ ଅଗଷ୍ଟ ୩୦ରେ ମଧ୍ୟ ଶହେରୁ ଅଧିକ ଚୀନି ସୈନ୍ୟ ଉତ୍ତରାଖଣ୍ଡରେ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିଲେ । ବାରାହୋତି ଅଞ୍ଚଳରେ ଏହି ଅନୁପ୍ରବେଶ ଘଟିଥିଲା । ଭାରତୀୟ ସୀମାର ପ୍ରାୟ ୫ କିଲୋମିଟର ଭିତରେ ପଶି ଆସିବା ସହ ଚୀନ୍ ସୈନ୍ୟ କିଛି ଘଣ୍ଟା ଧରି ସେଠାରେ ରହିଥିଲେ । ତେବେ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଇଣ୍ଡୋ-ତିବ୍ବେତାନ ବର୍ଡର ପୋଲିସ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପାଟ୍ରୋଲିଂ ଆରମ୍ଭ କରିଥିଲେ । ଫଳରେ ଚୀନ୍ ସୈନ୍ୟ ସେଠାରୁ ପଳାଇ ଯାଇଥିଲେ ।

ତେବେ ଉଭୟ ପକ୍ଷ ମଧ୍ୟରେ କୌଣସି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇନଥିବା ବେଳେ, ଘଟଣା ସଂପର୍କରେ ସେନା ପକ୍ଷରୁ ମଧ୍ୟ କୌଣସି ସୂଚନା ଦିଆଯାଇନଥିଲା । ଅନ୍ୟପକ୍ଷରେ କେଉଁ ଅଞ୍ଚଳ କାହାର ଓ କିଏ କେତେ ଯାଏଁ ପାଟ୍ରୋଲିଂ କରିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ଚିହ୍ନ ନଥିବାରୁ ବେଳେ ବେଳେ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ।

ସୀମା ବିବାଦର ସମାଧାନ ଲାଗି ଆଗାମୀ ସପ୍ତାହରେ ହେବ ଦୁଇ ଦେଶର କୋର କମାଣ୍ଡରଙ୍କ ମଧ୍ୟରେ ୧୩ ପର୍ଯ୍ୟାୟ ବୈଠକ । ତେବେ ତାପୂର୍ବରୁ ଚୀନର ଏଭଳି ଅଚରଣ ସେନା ଓ ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ବିସ୍ମିତ କରିଛି । କାରଣ ଚୀନ୍ ଶାନ୍ତିର କଥା କହୁଥିଲେ ମଧ୍ୟ ସୀମା ଭିତ୍ତିଭୂମିକୁ ସୃଦୃଢ କରିବାରେ ଲାଗିଛି । ସୀମାରେ ସୈନ୍ୟଙ୍କ ଦୀର୍ଘକାଳୀନ ରହଣୀ ଲାଗି ସ୍ଥାୟୀ ଶିବିର ସାଙ୍ଗକୁ ଏୟାରଷ୍ଟ୍ରିପ୍ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କରୁଛି । ତାସହିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବି ମୁତୟନ ଜାରି ରଖିଛି । ଭାରତ ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ କରାଯାଉଥିଲେ ମଧ୍ୟ ପ୍ରକୃତରେ କଣ ଚାହୁଁଛି ଡ୍ରାଗନ ତାହା ସ୍ପଷ୍ଟ ହୋଇପାରୁନି ।

ସେପଟେ ୩୪୮୮ କିଲୋମିଟର ଦୀର୍ଘ LACରେ ଚୀନ୍ ୫୦ ହଜାର ସୈନ୍ୟ ମୁତୟନ କରିଥିବା ବେଳେ ଭାରତ ବି ସମାନ ସଂଖ୍ୟକ ସୈନ୍ୟ ମୁତୟନ ରଖିଛି । ସେହିପରି ଚୀନ୍ ଚ୍ୟାଲେଞ୍ଜର ମୁକାବିଲା ଲାଗି ଟ୍ୟାଙ୍କ, ହାଓ୍ୱିଟଜରର ତୋପ, ଅତ୍ୟାଧୁନିକ ମେସିନ ଗନ୍ ଓ ଅନ୍ୟାନ୍ୟ ଭାରି ଯୁଦ୍ଧାସ୍ତ୍ରକୁ ବି ମୁତୟନ କରାଯାଇଛି । ଚୀନ୍ ଡ୍ରୋନ୍ ବ୍ୟବହାର କରି ଭାରତୀୟ ଅଞ୍ଚଳର ଉପରେ ନଜର ରଖିବା ସହ ବେଳେ ବେଳେ ଅନୁପ୍ରବେଶ ଉଦ୍ୟମ କରୁଥିବାରୁ ଭାରତ ଇସ୍ରାଏଲଠାରୁ ଆଣିଥିବା ଅତ୍ୟାଧୁନିକ ଡ୍ରୋନକୁ ସର୍ଭେଲାନ୍ସ କାର୍ଯ୍ୟରେ ଲଗାଇଛି । ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ.ଏମ୍ ନରଓ୍ୱାଣେ ମଧ୍ୟ ଗତ ସପ୍ତାହରେ ସୀମାକୁ ଯାଇ ଭାରତୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଚୀନ ସୈନ୍ୟଙ୍କ ମୁକାବିଲା ଲାଗି ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି, ତେବେ ପରବର୍ତ୍ତୀ ପର୍ଯ୍ୟାୟ ମିଲିଟାରୀସ୍ତରୀୟ କଥାବାର୍ତ୍ତା ପରେ ଶାନ୍ତି ପ୍ରକ୍ରିୟା ଆଗକୁ ବଢିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ମିଲିଟାରୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସୀମା ବିବାଦର ସମାଧାନ ସମ୍ଭବ ନୁହେଁ ବୋଲି ବୁଝି ସାରିଛି ବେଜିଂ । ଏହାସତ୍ତ୍ୱେ ନିଜ ଉଗ୍ର ମନୋଭାବ ପରିବର୍ତ୍ତନ କରୁନାହିଁ । ତେବେ ଭାରତୀୟ ସୈନ୍ୟ ମଧ୍ୟ ନିଜ କଡ଼ା ଆଭିମୁଖ୍ୟରେ ଅଡି ରହିବା ସହ ଚୀନର ଯେକୌଣସି ମନ୍ଦ ପଦକ୍ଷେପ ସଜାବ ଦେବାକୁ ସର୍ବଦା ସଜାଗ ରହିଛନ୍ତି ।