• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁଜାଫରପୁର : ବିହାରର ମୁଜାଫରପୁରରେ ବଡ଼ ଧରଣର ଦୁର୍ଘଟଣା । ଆଜି ବେଲା ଶିଳ୍ପାଞ୍ଚଳର ଅଞ୍ଚଳରେ ଥିବା ଫେଜ୍ ୨ରେ ଥିବା ନୁଡୁଲ୍ସ ଓ କୁରକୁରେ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଯାଇଛି । ଏହାସହ ଅନେକ ସଂଖ୍ୟକ ଲୋକ ଆହତ ମଧ୍ୟ ହୋଇଛନ୍ତି । ନିକଟସ୍ଥ କାରଖାନାର କାମ କରୁଥିବା ଲୋକେ ମଧ୍ୟ ଆହତ ହୋଇଥିବା ଖବର ଆସିଛି । ବର୍ତ୍ତମାନ ଘଟଣାସ୍ଥଳରେ ଏସପି-ଡିଏମ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଉଛି ।

ନୁଡୁଲ୍ସ ଓ କୁରକୁରେ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ଛାତ ଉଡିଯାଇଛି । ବଏଲର ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଏହାର ଶବ୍ଦ ୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା । ବିସ୍ଫୋରଣ ହେତୁ ସଂଲଗ୍ନ ଚୁଡା ଏବଂ ମଇଦା କାରଖାନା ମଧ୍ୟ ନଷ୍ଟ ହୋଇଯାଇଛି । ବିସ୍ଫୋରଣର ଶବ୍ଦ ଶୁଣି ଆଖପାଖ ଅଞ୍ଚଳର ଲୋକମାନେ ଏକାଠି ହୋଇଥିଲେ । ଘରର କବାଟ ଓ ଝରକା ଥରିଉଠିଥିଲା ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ତେବେ ପରେ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଉପସ୍ଥିତ ଅଛନ୍ତି।

ଅନ୍ୟପଟେ ଅଗ୍ନିଶମ ବିଭାଗର ୫ ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି । ବର୍ତ୍ତମାନ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଚିହ୍ନଟ କରାଯାଇ ନାହିଁ । ବିସ୍ଫୋରଣ ସମୟରେ କାରଖାନା ଭିତରେ କେତେ ଲୋକ କାମ କରୁଥିଲେ ତାହା ମଧ୍ୟ ଜଣା ପଡିନାହିଁ । କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ସମ୍ପର୍କୀୟମାନେ ନିଜ ଲୋକଙ୍କୁ ଖୋଜାଖୋଜି କରୁଛନ୍ତି । ଅନ୍ୟପଟେ ପ୍ରଶାସନର ଅଧିକାରୀମାନେ ଲୋକଙ୍କୁ ଭିତରକୁ ଯିବାକୁ ବାରଣ କରିଛନ୍ତି ।