Astrospeak
  • Live TV
  • Read In English

ଫେଲ୍‌ ମାରିଲା ପିକେଙ୍କ ଫର୍ମୁଲା : ବିଜେପି କହିଲା-‘ଯଦି ପ୍ରଡକ୍ଟ ଖରାପ ଥିବ, ତା’ହେଲେ...’

ପ୍ରଶାନ୍ତ କିଶୋରଙ୍କୁ ପାର୍ଟିରେ ସାମିଲ କରିବାରେ ଅସଫଳ ହେବା ପରେ କଂଗ୍ରେସର ଏହି ଉଦ୍ୟମକୁ ବିଜେପି ସମାଲୋଚନା କରିଛି। ‘ପାର୍ଟି(କଂଗ୍ରେସ)ର ଏଜେଣ୍ଡା ହେଉଛି “ପରିବାର ବଚାଓ” ନା କି “ପାର୍ଟି ବଚାଓ” ବୋଲି ବିଜେପି ବ୍ୟଙ୍ଗୋକ୍ତି କରିଛି

BJP leader’s swipe at Congress over talks with Prashant Kishor
Prashant Kishor

ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବେନି ବୋଲି ରୋକଠୋକ ମନା କରି ଦେଇଛନ୍ତି। କଂଗ୍ରେସର ଅଫରକୁ ସେ ମନା କରିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି। କଂଗ୍ରେସ ପାର୍ଟିରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ନିର୍ବାଚନ ରଣନୀତି ବିଶାରଦ ପ୍ରଶାନ୍ତ କିଶୋରଙ୍କ ସଂସ୍କାର ନିଷ୍ପତ୍ତିକୁ ପାର୍ଟି ଗ୍ରହଣ କରିନଥିଲା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାର୍ଟିକୁ ପୁଣିଥରେ ମଜବୁତ୍‌ କରିବା ପାଇଁ କଂଗ୍ରେସର ପ୍ରୟାସକୁ ବିଜେପି ନେତାମାନେ ପରିହାସ କରିଛନ୍ତି। 

ପ୍ରଶାନ୍ତ କିଶୋରଙ୍କୁ ପାର୍ଟିରେ ସାମିଲ କରିବାରେ ଅସଫଳ ହେବା ପରେ କଂଗ୍ରେସର ଏହି ଉଦ୍ୟମକୁ ବିଜେପି ସମାଲୋଚନା କରିଛି। ବିଜେପି ପ୍ରବକ୍ତା ଶେହଜାଦ ପୁନାୱାଲା କହିଛନ୍ତି, ‘ଯଦି ପ୍ରଡକ୍ଟ ଖରାପ ଥିବ, ତା’ହେଲେ ବିକ୍ରେତା ଜଣକ ଯେତେ ଭଲ ଥିଲେ କିମ୍ବା ପ୍ରଡକ୍ଟକୁ ବିକ୍ରି କରିବା ପାଇଁ ଯେତେ ପ୍ରୟାସ କଲେ ମଧ୍ୟ ତାହା କାମ କରିବନି। ଆପଣ ପରିବାରବାଦ(ପରିବାରବାଦ ରାଜନୀତି)ର ପ୍ରଡକ୍ଟକୁ କେବେବି ବିକ୍ରି କରିପାରିବେନି। ପ୍ରଶାନ୍ତ କିଶୋରଙ୍କୁ ପାର୍ଟିରେ ସାମିଲ କରିବା ପାଇଁ କଂଗ୍ରେସ ଯେଉଁ ପ୍ରୟାସ ଚଳାଇଥିଲା ଏଥିରେ ବିଫଳ ହୋଇଛି ବୋଲି ସେ କହିଛନ୍ତି। 

ଜାତୀୟ ଗଣମାଧ୍ୟମ ସଂସ୍ଥା India Todayକୁ ସୂଚନା ଦେଇ ସେ କହିଛନ୍ତି, ‘ପାର୍ଟି(କଂଗ୍ରେସ)ର ଏଜେଣ୍ଡା ହେଉଛି “ପରିବାର ବଚାଓ” ନା କି “ପାର୍ଟି ବଚାଓ”। ଯେଉଁଥିପାଇଁ ସେମାନେ କିଶୋରଙ୍କ ପରିବର୍ତ୍ତନଶୀଳ ତଥା ଗଠନମୂଳକ ସଂସ୍କାର ପ୍ରସ୍ତାବରେ ବିଚଳିତ ହୋଇପଡ଼ିଲେ।’ 

ସେହିପରି ବିଜେପି ପ୍ରବକ୍ତା ଗୁରୁ ପ୍ରକାଶ ପାଶୱାନ କହିଛନ୍ତି, ‘ଗଣମାଧ୍ୟମ ହିଁ ପ୍ରଶାନ୍ତ କିଶୋରଙ୍କୁ ସେଲିବ୍ରେଟି କରିଛନ୍ତି। ନିର୍ବାଚନ ସମୟରେ ରାଜନୈତିକ ଦଳ ଭେଣ୍ଡର ବ୍ୟବହାର କରିଥାନ୍ତି ଓ ପ୍ରଶାନ୍ତ କିଶୋର ହେଉଛନ୍ତି ଜଣେ ଭେଣ୍ଡର। ଆପଣମାନେ ତାଙ୍କ ଟ୍ରାକ୍‌ ରେକର୍ଡ ମଧ୍ୟ ଚେକ୍‌ କରିପାରିବେ। ପଞ୍ଜାବ, ଉତ୍ତରପ୍ରଦେଶ ଓ ଅନ୍ୟ ସ୍ଥାନରେ ସେ ନିର୍ବାଚନ ହାରିଛନ୍ତି। ସବୁଠାରୁ ବଡ଼ ପ୍ରଶ୍ନ, କଂଗ୍ରେସରେ କ’ଣ ନେତୃତ୍ୱର ଅଭାବ ରହିଛି କି ? ଯେଉଁଥିପାଇଁ ବାହାର ଲୋକଙ୍କୁ ଖୋଜା ପଡ଼ୁଛି।’  

ଯଦି ସବୁ କାମ ପାଇଁ ତାଙ୍କୁ ମୁକ୍ତ ଭାବେ ଅନୁମତି ପ୍ରଦାନ କରାନଯାଏ, ତା’ହେଲେ କଂଗ୍ରେସକୁ ମଜଭୁତ୍‌ କରିବା ପାଇଁ ସେ ସାହାଯ୍ୟ କରିପାରିବେ ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। କିନ୍ତୁ କଂଗ୍ରେସର ଇଚ୍ଛା ଥିଲା, ପ୍ରଶାନ୍ତଙ୍କୁ ଷ୍ଟ୍ରାଟେଜି ଗ୍ରୁପ୍‌ର Empowered Action Group(EAG)ର ସଦସ୍ୟ ଭାବେ ନିଯୁକ୍ତ କରିବା ପାଇଁ। ହେଲେ କଂଗ୍ରେସ ଓ ପ୍ରଶାନ୍ତଙ୍କ ଇଚ୍ଛା ମଧ୍ୟରେ କୌଣସି ତାଳମେଳ ରହିଲା ନାହିଁ। ଯେଉଁଥିପାଇଁ କଂଗ୍ରେସରେ ସାମିଲ ହେବା ନେଇ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧି ଦେଇଥିବା ପ୍ରସ୍ତାବକୁ ପ୍ରଶାନ୍ତ ମନା କରି ଦେଇଥିବା ଚର୍ଚ୍ଚା ହେଉଛି।

କେବଳ ସେତିକି ନୁହେଁ, ପ୍ରଶାନ୍ତ କିଶୋର ସିଧାସଳଖ ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ କରିବାକୁ ଚାହୁଁଥିଲେ ଯାହା କିଛି ବରିଷ୍ଠ ନେତାଙ୍କ ପାଇଁ ଗ୍ରହଣୀୟ ହୋଇପାରିଲାନି। କଂଗ୍ରେସରେ ଯୋଗଦାନକୁ ପ୍ରଶାନ୍ତ ପ୍ରତ୍ୟାଖାନ କରିବା ପରେ ଏବେ ଏସବୁ କଥା ପଦାକୁ ଆସୁଛି । ପ୍ରଶାନ୍ତ ଏ ନେଇ  ଟ୍ୱିଟ୍‌ କରି କହିଥିଲେ,‘କଂଗ୍ରେସ ମୋ ଅପେକ୍ଷା ଭଲ ନେତୃତ୍ୱ ଆବଶ୍ୟକ କରୁଛି। ମିଳିତ ଇଚ୍ଛାଶକ୍ତି ଓ ତୃଣମୂଳ ସ୍ତରରେ ସଂଗଠନ ମଜବୁତ୍‌ ହେବା ଆବଶ୍ୟକ କରୁଛି ଦଳ’।

ଗୋଟିଏପଟେ ନୂଆ ରଣନୀତି ଆପଣାଇ ୨୦୨୪ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବା ପାଇଁ ପାର୍ଟି ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ କଂଗ୍ରେସର ଏଭଳି ଗୋଟିଏ ପରେ ଗୋଟିଏ ପ୍ରୟାସ ଫସର ପାଟି ଯାଉଛି। ପୁଣିଥରେ ପାର୍ଟି ୨୦୨୪ ସାଧାରଣ ନିର୍ବାଚନରେ ଏହାର ଶକ୍ତି ଦେଖାଇବ ନା ପୂର୍ବ ଭଳି ପରାଜୟର ମୁହଁ ଦେଖିବ, ତାହା ଦେଖିବାକୁ ବାକି ରହିଲା।