• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅନେକ ତର୍କ ବିତର୍କ ପରେ ରାଜସ୍ଥାନ ରାଜନୀତିରେ ଜଣେ ନୂଆ ଚେହେରା ଏବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରାଜ୍ୟ ରାଜନୀତିରେ ଜଡ଼ିତ ଥିଲେ ବି ପ୍ରଥମଥର ନିର୍ବାଚନ ଜିତି ବିଧାୟକ ହୋଇଥିଲେ । ଏବେ ନୂଆ ବିଧାୟକରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ସିଟ୍‌ରେ ବସିବେ । ସେ ହେଉଛନ୍ତି ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା । ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରନ୍ତି ଭଜନଲାଲ । ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି ।

ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ । ରାଜସ୍ଥାନ ବିଜେପିର ସଂଗଠନ ସଂପାଦକ ଅଛନ୍ତି ଭଜନଲାଲ । ଭଜନଲାଲ ଶର୍ମାଙ୍କ ଘର ରାଜସ୍ଥାନର ଭରତପୁରରେ। ସେ ସାଙ୍ଗନୌର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ସେ ଏଥର ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ତାଙ୍କୁ ୧,୪୫,୧୬୨ ଖଣ୍ଡ ଭୋଟ୍ ମିଳିଥିଲା ।

ପ୍ରଥମଥର ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି ଭଜନଲାଲ । ଭଜନଲାଲଙ୍କ ନାଁ ବସୁନ୍ଧରା ରାଜେ ପ୍ରସ୍ତାବ କରିଥିବା ନେଇ କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଛତିଶଗଡ଼, ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ୨ ଉପମୁଖ୍ୟମନ୍ତ୍ରୀ ରହିବେ । ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲେ ରାଜନାଥ ସିଂହ । ଦୀୟା ସିଂହ ଓ ପ୍ରେମଚାନ୍ଦ ବୈରୱା ହେବେ ଉପମୁଖ୍ୟମନ୍ତ୍ରୀ । ବାସୁଦେବ ଦେବନାନୀ ବାଚସ୍ପତି ହେବେ ।

ରାଜସ୍ଥାନରେ ୫ ବର୍ଷର ବ୍ୟବଧାନ ପରେ ପୁଣି ସତ୍ତାକୁ ଫେରିଛି ବିଜେପି । ବିଧାନସଭା ନିର୍ବାଚନରେ ୧୧୬ ସିଟରେ ବିଜୟ ହାସଲ କରି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବା ପାଇଁ ଯାଉଛି ବିଜେପି । ସବୁଠୁ ବଡ଼ ପ୍ରଶ୍ନ ଉଠୁଥିଲା ଯେ କିଏ ହେବ ରାଜ୍ୟର ଆଗାମୀ ମୁଖିଆ । କାହାକୁ ସିଏମ୍ ଚୌକିରେ ବସାଇବ ବିଜେପି ? ତାହା ଏବେ ସ୍ପଷ୍ଟ ହୋଇଯାଇଛି । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହେବେ ।

ରାଜସ୍ଥାନ ନିର୍ବାଚନରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ​​ନିର୍ବାଚନ ଲଢ଼ିଥିଲା । ୨୦୦୩ ରୁ ରାଜସ୍ଥାନରେ ବସୁନ୍ଧରା ରାଜେ ହିଁ ବିଜେପିର ଚେହେରା ରହିଆସିଛନ୍ତି । ତେବେ ବସୁନ୍ଧରା ରାଜେଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଏତେଟା ସନ୍ତୁଷ୍ଟ ନଥିବା କୁହାଯାଉଥିଲା । ତେଣୁ ଏଥର ଦଳ ରାଜ୍ୟରେ ନୂଆ ମୁହଁ ଆଣିବ ବୋଲି ଚର୍ଚ୍ଚା ହେଉଥିଲା ।