ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡି; ହୁଲୁସ୍ତୁଲ ହେଲାଣି ରାଜରାସ୍ତାରୁ ସଂସଦ, ବୁଲିଲାଣି ବୁଲଡୋଜର

ରାଜଧାନୀ ଦିଲ୍ଲୀରେ ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡି ଘଟଣାରେ ହୁଲୁସ୍ତୁଲ ହେଲାଣି ରାଜରାସ୍ତାରୁ ପାର୍ଲିଆମେଣ୍ଟ । ଘଟଣାରେ ଦିଲ୍ଲୀ ସରକାରଙ୍କୁ ସଂପୂର୍ଣ୍ଣ ଭାବେ ଦାୟୀ କରିବା ସହ ଆନ୍ଦୋଳନକୁ ତୀବ୍ର କରିଛି ବିଜେପି ।

Delhi Government

ରାଜଧାନୀ ଦିଲ୍ଲୀରେ ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡି ଘଟଣାରେ ହୁଲୁସ୍ତୁଲ ହେଲାଣି ରାଜରାସ୍ତାରୁ ପାର୍ଲିଆମେଣ୍ଟ । ଘଟଣାରେ ଦିଲ୍ଲୀ ସରକାରଙ୍କୁ ସଂପୂର୍ଣ୍ଣ ଭାବେ ଦାୟୀ କରିବା ସହ ଆନ୍ଦୋଳନକୁ ତୀବ୍ର କରିଛି ବିଜେପି । ଅନ୍ୟପଟେ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ପ୍ରତିବାଦ ଜାରି ରଖିଛନ୍ତି ।

ଘଟଣାରେ ଆଜି ଆଉ ୫ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ପରେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି । ଅନ୍ୟପଟେ ବୁଲଡୋଜର ଲଗାଇ ଡ୍ରେନ୍ ଉପରୁ ବେଆଇନ ନିର୍ମାଣ ହଟାଇବା ଆରମ୍ଭ କରିଛି ପ୍ରଶାସନ । ଅଘଟଣ ନୁହେଁ, ହତ୍ୟା ... ଆପ୍ ଭ୍ରଷ୍ଟାଚାରର ଶିକାର ଦେଶର ଭବିଷ୍ୟତ ।

ଦିଲ୍ଲୀ ରାଜେନ୍ଦ୍ର ନଗର କୋଚିଂ ଇନଷ୍ଟିଚ୍ୟୁଟ୍ ଟ୍ରାଜେଡି ଘଟଣାରେ ଆନ୍ଦୋଳନକୁ ଓହ୍ଲାଇବା ସହ ଆପ୍ ସରକାରକୁ ସିଧା ସଳଖ ନିଶାନା କରିଛି ବିଜେପି । ଦିଲ୍ଲୀ ଆମ୍‌ ଆଦମୀ ପାର୍ଟି ଅଫିସ ନିକଟରେ ବିଜେପି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ଶତାଧିକ ବିଜେପି କର୍ମୀ ଏକାଠି ହୋଇ ଥାଳି କର୍ଚୁଲି ଧରି ନିଆରା ଢଙ୍ଗରେ ପ୍ରତିବାଦ କରିବା ସହ ଆପ୍ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ।

ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ସ୍ଥିତି ବି ଉପୁଜିଛି । ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ଲାଗି ପାଣିମାଡ଼ କରିଛି ଦିଲ୍ଲୀ ପୋଲିସ । ଅନ୍ୟପଟେ ରାଜେନ୍ଦ୍ର ନଗର ଅଞ୍ଚଳରେ ଛାତ୍ରଛାତ୍ରୀମାନେ ମଧ୍ୟ ଧାରଣା ଜାରି ରଖିଛନ୍ତି । ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଲାଗି ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏପଟେ ଏ ଘଟଣା ପରେ ଦିଲ୍ଲୀରେ ଆରମ୍ଭ ହୋଇଛି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ।

ନାଳ ଉପରେ ବେଆଇନ ଭାବେ ହୋଇଥିବା ନିର୍ମାଣକୁ ଭାଙ୍ଗିବା ଆରମ୍ଭ କରିଛି ପ୍ରଶାସନ । ତେବେ ଏତେ ବିଳମ୍ବରେ ଏ କାର୍ଯ୍ୟାନୁଷ୍ଠାନର କିଛି ମୂଲ୍ୟ ନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ଅନ୍ୟପଟେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ଏମାନଙ୍କ ମଧ୍ୟରେ ୪ ଜଣ ବେସମେଣ୍ଟର ମାଲିକ ଅଛନ୍ତି । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ମୋଟ ୭ରେ ପହଞ୍ଚିଛି । ପୂର୍ବରୁ ଏ ଘଟଣାରେ କୋଚିଂ ସେଣ୍ଟର ମାଲିକ ଅଭିଷେକ ଗୁପ୍ତା ଏବଂ କୋର୍ଡିନେଟର ଦେଶପାଲ ସିଂଙ୍କୁ ଗିରଫ କରାଯାଇଥିଲା ।

ଏବେ ଘଟଣାର ଛାନଭିନ୍ ବେଳେ ଜଣାପଡ଼ିଛି ସଂପୃକ୍ତ କୋଚିଂ ସେଣ୍ଟରର ବେସମେଣ୍ଟ କେବଳ ଷ୍ଟୋରେଜ୍ ପାଇଁ ଅନୁମତି ଥିଲା । ବେସମେଣ୍ଟରେ କୌଣସି ପ୍ରକାରର କମର୍ସିଆଲ କାର୍ଯ୍ୟକଳାପ ଲାଗି ଅନୁମତି ନଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି ।

ଘଟଣାକୁ ନେଇ ରାଜନୀତି ବି ଥମିବାର ନାଁ ନେଉନି । ଘଟଣା ପାଇଁ କେଜରିୱାଲ ସରକାରଙ୍କୁ ବିଜେପି ସଂପୂର୍ଣ୍ଣ ଭାବେ ଦାୟୀ କରିଛି । ଏମସିଡି ଏବଂ ଦିଲ୍ଲୀର ଅନ୍ୟାନ୍ୟ ବିଭାଗ ଆପ୍ ଅଧିନରେ ଥିବା ବେଳେ କଣ ପାଇଁ ନାଳ ସଫେଇ କରାଯାଇନଥିଲା ବୋଲି ବିଜେପି ପ୍ରଶ୍ନ କରିଛି ।

ଅନ୍ୟପଟେ ଏ ଘଟଣାରେ ପ୍ରତିକ୍ରିୟା ରଖି ଆପ୍ ନେତା ସଞ୍ଜୟ ସିଂ କହିଛନ୍ତି ଦିଲ୍ଲୀରେ ଏମିତି ଅନେକ କୋଚିଂ ସେଣ୍ଟର ରହିଛି ଯେଉଁମାନେ ବିନା ଅନୁମତିରେ ବେସମେଣ୍ଟରେ କ୍ଲାସ୍ ଏବଂ ଲାଇବ୍ରେରୀ ଚଳାଉଛନ୍ତି । ଏହା ସଂପୂର୍ଣ୍ଣ ଭାବେ ଭୁଲ୍ ଅଟେ । କେଉଁ ଅଧିକାରୀଙ୍କ ସହ ମିଶି ସେମାନେ ଏଭଳି କାର୍ଯ୍ୟ ଚଳାଇଥିଲେ ତାହାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ।

ଏପଟେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନା । ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଶନିବାର ରାତିରେ ଦିଲ୍ଲୀ ରାଜେନ୍ଦ୍ର ନଗର ସ୍ଥିତ ଏକ IAS କୋଚିଂ ସେଣ୍ଟରରେ ଘଟିଥିଲା ଛାତିଥରା ଘଟଣା ।

କୋଚିଂ ସେଣ୍ଟର ବେସମେଣ୍ଟରେ ଲାଇବ୍ରେରୀ ଥିବା ବେଳେ ସେଠାରେ ପାଠ ପଢୁଥିଲେ ଅନେକ ଛାତ୍ରଛାତ୍ରୀ । ଏହି ସମୟରେ ପ୍ରବଳ ବର୍ଷା ପରେ ବେସମେଣ୍ଟରେ ଡ୍ରେନେଜ୍ ପାଣି ହଠାତ୍ ପଶିଯାଇଥିଲା । ଅନେକ ଛାତ୍ରଛାତ୍ରୀ ପାଣିରେ ଫସି ଯାଇଥିଲେ । ଅନେକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ।