ଆମ୍ୱ ଗଛ ଲଗାଇଲେ ମିଳିବ ୫୦ ହଜାର ଟଙ୍କା ! ଏହି ସରକାର ଆଣିଲେ ନୂଆ ଯୋଜନା

ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଏହି ଯୋଜନାର ନାଁ ହେଉଛି ‘ସଘନ ବାଗୱାନି ଯୋଜନା’ (Saghan Bagwani Yojana) ।

Saghan Bagwani Yojana

ସରକାର ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ବିଭିନ୍ନ ଯୋଜନା କରୁଛନ୍ତି । ମଞ୍ଜିଠୁ ଆରମ୍ଭ କରି ସାର ଯାଏଁ ସବୁକିଛି ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ବିଭିନ୍ନ ଫସଲ ପାଇଁ ସରକାରଙ୍କ ଅନେକ ଯୋଜନା ରହିଥିବାବେଳେ ବର୍ତ୍ତମାନ ଆମ୍ୱ ଗଛ ଲଗାଇବାକୁ ନେଇ ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ।

ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ବିହାର ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିଛନ୍ତି । ଏହି ଯୋଜନାର ନାଁ ହେଉଛି ‘ସଘନ ବାଗୱାନି ଯୋଜନା’ (Saghan Bagwani Yojana) । ଏହି ଯୋଜନା ଅନୁସାରେ ସରକାର ଚାଷୀଙ୍କୁ ମାଗଣାରେ ଚାରା ରୋପଣର ବ୍ୟବସ୍ଥା କରିଛନ୍ତି । ଖାଲି ଏତିକି ଯେ ନୁହେଁ, ଏହା ବ୍ୟତୀତ ବିହାର ସରକାର ଏହି ଗଛଗୁଡ଼ିକର ଯତ୍ନ ନେବା ପାଇଁ ଅନୁଦାନ ମଧ୍ୟ ପ୍ରଦାନ କରୁଛନ୍ତି ।

ସରକାରଙ୍କ ଯୋଜନା ଅନୁସାରେ, ଜଣେ ଚାଷୀ ଯଦି ନିଜ ଜମିରେ ଚାରା ଆଣି ବଗିଚା କରିବାକୁ ଚାହାଁନ୍ତି ତେବେ ଏହି ଯୋଜନାର ଲାଭ ନେଇପାରିବେ । ଏହି ଯୋଜନାରେ ଆବେଦନ କରିବାକୁ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି |

ଏହି ଯୋଜନା ଅଧୀନରେ ଚାଷୀମାନେ କେବଳ ଆମ୍ବ ଚାରା ରୋପଣ କରିବା ସହ ତାର ଯତ୍ନ ନେଇପାରିବେ ବୋଲି କୁହାଯାଇଛି । ଆମ୍ୱ ଚାରା ଗୁଡ଼ିକର ଯତ୍ନ ପାଇଁ ସରକାର କୃଷକମାନଙ୍କୁ ମୋଟ ୫୦,୦୦୦ ଟଙ୍କା ଦେବେ । ଚାଷୀଙ୍କୁ ମିଳିବାକୁ ଥିବା ଏହି ୫୦ ହଜାର ଟଙ୍କାକୁ ସରକାର ୩ଟି କିସ୍ତିରେ କୃଷକଙ୍କୁ ପ୍ରଦାନ କରିବେ ।

ବିହାର ସରକାରଙ୍କ ଯୋଜନା ଅନୁସାରେ ଚାରା ଲଗାଇବାର ପ୍ରଥମ ବର୍ଷରେ ୩୦ ହଜାର ଟଙ୍କା ମିଳିବ । ପରେ ଦ୍ୱିତୀୟ ବର୍ଷରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ତୃତୀୟ ବର୍ଷରେ ମଧ୍ୟ ଚାଷୀଙ୍କୁ ମିଳିବ ୧୦ ହଜାର ଟଙ୍କା ।

ସବୁଠାରୁ ବଡ଼ କଥା ହେଉଛି ଯୋଜନାରେ ଦିଆଯାଇଥିବା ତଥ୍ୟ ଅନୁସାରେ ଲଗାଯାଇଥିବା ଚାରା ଗଛ ଗୁଡ଼ିକ ୮୦ରୁ ୯୦ ପ୍ରତିଶତ ସୁରକ୍ଷିତ ରହିଲେ ସରକାର ଏହି ଟଙ୍କା ଚାଷୀଙ୍କୁ ପ୍ରଦାନ କରିବେ । ଏହାଛଡ଼ା ଆମ୍ବ ଗଛ ସହିତ ଗୁଆ ଏବଂ କଦଳୀ ବଗିଚା କରିବା ପାଇଁ ସରକାର ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଏହି ସମ୍ପର୍କରେ ଅଧିକ ଜାଣିବାକୁ ହେଲେ ଆପଣ କିସାନ ଉଦ୍ୟାନ ୱେବସାଇଟ୍‌ ପରିଦର୍ଶନ କରିପାରିବେ ।