/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659688719.jpg)
Special story
ନବବିବାହିତା ସ୍ତ୍ରୀର ବିଶ୍ୱାସ ସହ ଖେଳ । ବିବାହକୁ ୩ ମାସ ପୂରି ନଥିବା ବେଳେ ସ୍ତ୍ରୀକୁ ଏସିଡ୍ ପିଆଇ ମାରିଦେଲା ପିଶାଚ ସ୍ୱାମୀ । ବିହାର ବେଗୁସରାଇରେ ୨୧ ବର୍ଷୀୟା ନବବିବାହିତା ମହିଳାଙ୍କୁ ହତ୍ୟା କରାଯାଇଛି । ଶ୍ୱଶୁର ଘରୁ ମନ ମୁତାବକ ଯୌତୁକ ନଆଣିବାରୁ ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ । ସେପଟେ ଶାଶୁ, ଶ୍ୱଶୁର ଫେରାର ଅଛନ୍ତି।
ବେଗୁସରାଇରେ ଜଣେ ନବ ବିବାହିତା ମହିଳାଙ୍କୁ ତାଙ୍କ ଶାଶୂଘର ଲୋକ ମାଡ଼ ମାରିବା ସହ ଏସିଡ୍ ପିଆଇ ହତ୍ୟା କରିଛନ୍ତି । ମଞ୍ଝୋଲ ଥାନା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି । ହବେଇତପୁର ଗାଁର ବାସିନ୍ଦା ୨୧ ବର୍ଷିୟ ଅଞ୍ଜଳି କୁମାରୀ ହିନ୍ଦୁ ରୀତିନୀତି ଅନୁଯାୟୀ ୨ ମଇ ୨୦୨୨ରେ ବାଲ୍ମୀକି ସାହଣୀଙ୍କୁ ବିବାହ କରିଥିଲେ ।
ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ତେବେ ବିବାହ ପରେ ବାଇକ ଏବଂ ଦୁଇ ଲକ୍ଷ ଟଙ୍କା ଆଣ କହି ଅଞ୍ଜଳିକୁ ହଇରାଣ କରୁଥିଲେ ଶାଶୂଘର ଲୋକେ । ୨୮ ଜୁଲାଇ ରାତିରେ ଅଞ୍ଜଳିଙ୍କ ସ୍ୱାମୀ ଏବଂ ଶାଶୁ ସାବିତ୍ରୀ ଦେବୀ ତାଙ୍କୁ ମାଡ଼ ମାରିବା ପରେ ଏସିଡ୍ ପିଆଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଅଞ୍ଜଳିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଗୁରୁବାର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।
ବର୍ତ୍ତମାନ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ଶାଶୁ, ଶ୍ୱଶୁର ଫେରାର ଅଛନ୍ତି । ଉଭୟଙ୍କୁ ଖୋଜୁଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)