Advertisment

ଉଦ୍ଧବଙ୍କୁ ପୁଣି ଝଟକା; ସିନ୍ଦେ କ୍ୟାମ୍ପରେ ଯୋଗ ଦେବେ ୧୨ ସାଂସଦ !

ଶିବସେନାର ସାଂସଦଙ୍କୁ ନେଇ ଏବେ ଚର୍ଚ୍ଚା । ପୁଣି ଲାଗିପାରେ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା । ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ସାଂସଦଙ୍କ ସହ ସିନ୍ଦେ ଅନଲାଇନ୍ ବୈଠକ କରିଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Maharashtra Political Crisis

Maharashtra Political Crisis

ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେବି ଥମୁନି ଚର୍ଚ୍ଚା । ଶିବସେନାରେ ପୁଣି ଥରେ ଫାଟ ସୃଷ୍ଟି ହେବା ନେଇ ଚର୍ଚ୍ଚା ହେଉଛି । ଏଥର ଚର୍ଚ୍ଚାରେ ରହିଛନ୍ତି ଶିବସେନାର ସାସଂଦ । ସୂଚନାନୁସାରେ, ଆଜି ଶିବସେନାର ୧୨ ଜଣ ସାଂସଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିପାରନ୍ତି । ଏଥିପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ସାଂସଦଙ୍କ ସହ ସିନ୍ଦେ ଅନଲାଇନ୍ ବୈଠକ କରିଛନ୍ତି। ଏକନାଥ ସିନ୍ଦେଙ୍କ ଏହି ପଦକ୍ଷେପ ଦ୍ୱାରା ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଲାଗିପାରେ ବୋଲି ଅନୁମାନ କରାଯାଉଛି।

Advertisment

ମିଳିଥିବା ସୂଚନାନୁଯାୟୀ ସିନ୍ଦେଙ୍କ ସହ ଯୋଗାଯୋଗରେ ଥିବା ୧୨ ଜଣ ସାଂସଦ ହେଉଛନ୍ତି ଧିର୍ୟଶିଲ୍‌ ସମ୍ୱାଜିରାଓ ମଣେ, ସଦାଶିବ୍‌ ଲୋଖଣ୍ଡେ, ହେମନ୍ତ ଗୋଡସେ, ହେମନ୍ତ ପାଟିଲ, ରାଜେନ୍ଦ୍ର ଗାଭିଟ, ସଞ୍ଜୟ ମାଣ୍ଡଲିକ, ଶ୍ରୀକାନ୍ତ ସିନ୍ଦେ, ଶ୍ରୀରଙ୍ଗ ବର୍ଣ୍ଣେ, ରାହୁଲ ଶେୱାଲେ, ପ୍ରତାପରାଓ ଗଣପତରାଓ ଯାଦବ, କୃପାଲ ତୁମାନେ, ଭାୱନା ଗୱଲି ।

ଗତକାଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରାମଦାସ କଦମ ଏବଂ ଆନନ୍ଦରାଓ ଆଡସୁଲଙ୍କ ସମେତ ଅନେକ ନେତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଦଳ ବିରୋଧୀ କାର୍ଯ୍ୟକଳାପ ଦର୍ଶାଇ ଏହି ନେତାମାନଙ୍କୁ ଦଳରୁ ବାହାର କରି ଦିଆଯାଇଛି।

Advertisment

ସେପଟେ ଶିବସେନାର ବିଦ୍ରୋହୀ ବିଧାୟକ ଗୋଷ୍ଠୀ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ବୈଠକ କରିଥିଲେ। ଏଥିରେ ଦଳର ପୁରୁଣା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ଭାଙ୍ଗି ଦିଆଯାଇଛି। ନୂଆ କାର୍ଯ୍ୟକାରିଣୀ ଗଠନ ହୋଇଛି। ଏହାର ମୁଖ୍ୟ ହୋଇଛନ୍ତି ଏକନାଥ ସିନ୍ଦେ। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଶିବସେନାର ମୁଖ୍ୟ ପଦ ହଟାଯାଇ ନାହିଁ। ଏହି ପଦରେ ଉଦ୍ଧବ ଠାକରେ ରହିଛନ୍ତି। ଅର୍ଥାତ୍‌ ଉଦ୍ଧବଙ୍କ ପଦରେ ସେମାନେ କୌଣସି ପରିବର୍ତ୍ତନ ଆଣିନାହାନ୍ତି।

ନୂଆ କାର୍ଯ୍ୟକାରିଣୀରେ ଦୀପକ କେସରକରଙ୍କୁ ମୁଖପାତ୍ର ଭାବେ ଚୟନ କରାଯାଇଛି। ରାମଦାସ କଦମ ଓ ଆନନ୍ଦରାଓ ଅଡ଼ସୁଲ୍‌ଙ୍କୁ ନେତା ବଛାଯାଇଛି। ଉଦ୍ଧବ ସୋମବାର ଦଳର ସ୍ଥିତି ମଜଭୁତ ପାଇଁ ରାଜ୍ୟରେ ୧୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି। ମୁମ୍ବାଇ, ପାଳଘର, ୟୱଟମାଲ, ଅମରାବତୀ ଓ ଅନ୍ୟ ଜିଲ୍ଲାରେ ଏହି କାର୍ଯ୍ୟକର୍ତ୍ତା ନିଯୁକ୍ତ ହୋଇଛନ୍ତି।

Udhav Thackrey Eknath Shinde Maharashtra Political Crisis
Advertisment
Advertisment